ନବରଙ୍ଗପୁର,(ବି.ବି.ନୁ୍ୟଜ): ଗଞ୍ଜେଇ ଚାଲାଣ ରୋକିବାରେ ନବରଙ୍ଗପୁର ପୁଲିସ୍କୁ ମିଳିଛି ଆଉ ଏକ ସଫଳତା । ଆଜି ସକାଳେ ୩ କୁଇଣ୍ଟାଲ ୧୭ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି କାରବାରରେ ୨ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବିହାର ବୈଶାଳି ଜିଲ୍ଲା ପାଟଣାସାହେବ ଗାଁର କହ୍ନେୟା କୁମାର ଦୁବେ (୨୬) ଏବଂ ବିଟୁ କୁମାର (୧୯) । ଗଞ୍ଜେଇ ଚାଲାଣ ହୋଉଥିବା (ଓଡି୧୮ବି-୨୭୮୪) ନମ୍ବର ବୋଲେରୋକୁ ପୁଲିସ୍ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ବୋଲେରୋ ଉପରେ ରହିଥିଲା ଏକ ସ୍ୱତନ୍ତ୍ର କଣ୍ଟେନର୍ । କଣ୍ଟେନରରେ ଏକ ଚୋରା ଚାମ୍ବର କରାଯାଇ ଗଞ୍ଜେଇ ଚାଲାଣ କରାଯାଉଥିଲା । ଏ ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଇନ୍ଦ୍ରାବତୀ ପୋଲ ନିକଟରେ ଉକ୍ତ ଗାଡିକୁ ଅଟକାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ କଣ୍ଟେନର୍ର ପ୍ରଥମ ଭାଗରେ ଥିବା ଚୋରା ଚାମ୍ବରରେ ଗଞ୍ଜେଇ ରହିଥିଲା । ଏହାକୁ ତଡ଼ାଯାଇଥିଲା । ୬୦ଟି ପଲିଥିନ ପ୍ୟାକେଟ୍ରେ ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା ।
ଜବତ ଗଞ୍ଜେଇ ଜୟପୁରରୁ ବିହାରଚାଲାଣ ହେଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ନବରଙ୍ଗପୁର ଥାନା ଅଧିକାରୀ ତାରେକ ଅହମ୍ମଦ କହିଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି । ଏହି ଚଢଉରେ ଇନ୍ସପେକ୍ଟର ରାମେଶ୍ୱର ପ୍ରଧାନ, ଏଏସ୍ଆଇ କ୍ଷୀରସିନ୍ଧୁ ସାହୁ, କନଷ୍ଟେବଳ ହେମନ୍ତ ହରିଜନ, ପ୍ରଭାକର ହରିଜନ, ବିଦୁ୍ୟତ୍ କୀର୍ତ୍ତନିଆ, କେ. ସି.ଏଚ ବିଷୋୟୀ, ଏସ. ମାଝୀ, ଏସ. ଜାନୀ, ଧନର ମାଝୀ ପ୍ରମୁଖ ସାମିଲ ହୋଇଥିଲେ । ସୂଚନା ଥାଉକି, ଆଜିକୁ ମିଶାଇ ଗତ ୩ ଦିନରେ ନବରଙ୍ଗପୁର ପୁଲିସ୍ ମୋଟ ୭ କୁଇଣ୍ଟାଲ୬୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । କାରବାରରେ ୩ଟି ଗାଡି ଜବତ କରିଛି ଏବଂ ୬ଜଣଙ୍କୁ ଗିରଫ କରିଛି ।


Comments are closed, but trackbacks and pingbacks are open.