୪୫କେଜି ହାତୀ ଦାନ୍ତ ଜବତ, ୨ ଗିରଫ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ): ଶିମିଳିପାଳରେ ହାତୀ ଶିକାର ଏବଂ ହାତୀଦାନ୍ତ ଚୋରାକାରବାରରେ ଲିପ୍ତ ଦୁଇ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ନୟା ରଙ୍ଗାମାଟିଆ ଅନ୍ତର୍ଗତ ଅଙ୍ଗାରପଦା ଗାଁର ସ୍ୱର୍ଗତଃ ରାମଚନ୍ଦ୍ର ହାଁସଦାର ପୁଅ ଫାଗୁ ପ୍ରସାଦ ହାଁସଦାଃ (୪୬) ଏବଂ ଉଦଳା ଥାନା ବଡଖମଣ ଅନ୍ତର୍ଗତ ଅନନ୍ତ ପୁର ଗାଁର ସ୍ୱର୍ଗତଃ ଲେଦ ସୋରେନର ପୁଅ ପିଥ ସୋରେନ (୪୫) । ସେମାନଙ୍କ ନିକଟରୁ ବନ ବିଭାଗ ଦୁଇଟି ହାତୀଦାନ୍ତ (୮ଖଣ୍ଡ) ଜବତ କରିଛି । ଜବତ ହାତୀଦାନ୍ତର ଓଜନ ୪୪କିଗ୍ରା ୯୦ଗ୍ରାମ ହୋଇଥିବା ବେଳେ ହାତୀଦାନ୍ତର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ବହୁତ ଅଧିକ ବୋଲି ଜଣାପଡଛି । ଜବତ ହୋଇଥିବା ହାତୀଦାନ୍ତ ବାବଦରେ ସାମାନଙ୍କ ନିକଟରୁ କୌଣସି କାଗଜପତ୍ର ନ ମିଳିବାରୁ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ଶିକାର ଅପରାଧରେ ୭୬ ନଂରେ ଏକ ମାମଲା ରୁଜୁ କରି ୱାଇଲ୍ଡ ଲାଇଫ ପ୍ରଟେକ୍ସନ ଆକ୍ଟ (ବନ୍ୟ ଜନ୍ତୁ ସୁରକ୍ଷା ନିୟମ) ୧୯୭୨ ଅନୁଯାୟୀ ଗିରଫ କରିଛି । ଏଥି ସହିତ ଜବତ୍ ହାତୀଦାନ୍ତ ଗୁଡିକୁ ଡେରାଡୁନ୍ ଠାରେ ଥିବା ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ କେମିକାଲ ପରୀକ୍ଷା ଏବଂ ତଦନ୍ତ ପାଇଁ ପଠାଇ ଦିଆ ଯାଇଛି ।
ସୂଚନା ମୁତାବକ ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ହାତୀଦାନ୍ତ ଗୁଡିକୁ ଜବତ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ମିଶନର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବନ ବିଭାଗ । ପୂର୍ବ ଯୋଜନା ମୁତାବକ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀଙ୍କ ନିଦେ୍ର୍ଧଶ କ୍ରମେ ହାତୀଦାନ୍ତ କିଣିବା ନିମନ୍ତେ ବନବିଭାଗ କର୍ମଚାରୀ ଅଙ୍ଗାର ପଦା ଗାଁରେ ପହଞ୍ଚିଥିଲେ । ୮ଟି ହାତୀ ଦାନ୍ତକୁ ୧୮ ଲକ୍ଷ ଟଙ୍କାରେ କିଣିବା ନିମନ୍ତେ ବନବିଭାଗ କର୍ମଚାରୀ ଡିଲ୍ ଫାଇନାଲ କରିଥିଲେ । ଡିଲ୍ ଫାଇନାଲ ହେବା ପରେ ଛଦ୍ମ ବେଶରେ ଯାଇଥିବା ବନ ବିଭାଗର କର୍ମଚାରୀଙ୍କୁ ବେପାରୀ ଭାବି ତାଙ୍କୁ ହାତୀ ଦାନ୍ତ ଦେଖାଇଥିଲେ ଅଭିଯୁକ୍ତ ।ଏହି ସମୟରେ ସେଠାରେ ପୂର୍ବରୁ ଛପି ରହିଥିବା ବନବିଭାଗ କର୍ମଚାରୀମାନେ ମାଡି ବସିଥିଲେ ଦୁଇ ହାତୀ ଦାନ୍ତ ବେପାରୀକୁ । ସେମାନଙ୍କ ନିକଟରୁ ୮ ପିସ୍ ହାତୀଦାନ୍ତ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିବା ପରେ ବାରିପଦା ରେଞ୍ଜ ଅଫିସକୁ ଆଣିଥିଲେ । ଏହି ମିଶନରେ ବାରିପଦା ଡିଭିଜନର ଡେପୁଟି ରେଞ୍ଜର ଶୈଳେନ୍ଦ୍ର ଦାସ, ଫରେଷ୍ଟର ଖଗେଶ୍ୱର ସେଠୀ, ଫରେଷ୍ଟର ପ୍ରଶାନ୍ତ ସିଂହସମନ୍ତରାୟ, ଆଶିଷ ବେହେରା, ଲକ୍ଷ୍ମୀଧର ବେହେରା, ଅଶୋକ ମାଝୀ ଓ ଉଦଳା ରେଞ୍ଜର ଅରୁଣ କୁମାର ବେହେରା ଏବଂ ବନ କର୍ମଚାରୀ ସାମିଲ ଥିଲେ । ଏହି ୮ ଖଣ୍ଡ ହାତୀଦାନ୍ତ ଗୋଟିଏ ହାତୀର ଦୁଇଟି ଦାନ୍ତ ହୋଇଥିବା ଅନୁମାନ କରାଯାଉଛି । ଦାନ୍ତ ଗୁଡିକ ଦେଖି ବୟସ୍କ ଦନ୍ତାହାତୀର ଦାନ୍ତ ବାଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ତଳେ କପ୍ତିପଦା ରେଞ୍ଜରେ ଦୁଇଟି ଦନ୍ତା ହାତୀର ମୃତୁ୍ୟ ହୋଇଥିବା ବେଳେ ଗୋଟିଏ ଦନ୍ତାହାତୀର ଦାନ୍ତକୁ ଶିକାରୀ ଲୁଟି ନେଇଥିଲେ । ବୁଧବାର ଦୁଇଟି ହାତୀଦାନ୍ତ ଜବତ ଘଟଣା ବନ ବିଭାଗର ଆଖି ଖୋଲି ଦେଇଥିବା ବେଳେ ଶିମିଳିପାଳରେ ହାତୀ ଶିକାର ନେଇ ପରିବେଶବିତ୍ଙ୍କ ମତ ସ୍ପଷ୍ଟ ହୋଇ ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons