ବ୍ରହ୍ମପୁର,(ବି.ବି.ନ୍ୟୁଜ୍): ପ୍ରତିଷ୍ଠାର ଚାରି ବର୍ଷ ପରେ ମଧ୍ୟ ଭିତ୍ତିଭୂମି ହୋଇପାରିଲାନି । ଏବେ ବର୍ଷକୁ ପ୍ରାୟ ଏକ କୋଟି ଟଙ୍କାରେ ଭଡ଼ା ଘରେ ଚାଲିବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ । ଏଥିପାଇଁ ସରକାରଙ୍କ ମଞ୍ଜୁରି ମିଳିିଛି । ଅତିରିକ୍ତ ସଚିବ ଲକ୍ଷ୍ମୀଧର ମହାନ୍ତି ଚିଠି ନଂ ୧୩୫୭୨/୬.୭.୧୯ ଅନୁସାରେ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ ଜଣାଇଛନ୍ତି । ଓଡ଼ିଶା ସରକାରଙ୍କ ଇ- ଡେସ୍ପାଚ୍ ୱେବ୍ରେ ଜୁଲାଇ ୬ ତାରିଖରୁ ଏହି ଚିଠି ଉପଲବ୍ଧ ହୋଇଛି । ବିଶ୍ୱବିଦ୍ୟାଳୟ ସହର ଉପକଣ୍ଠ କନିଷିରେ ଜାତୀୟ ରାଜପଥ କଡ଼ରେ ଥିବା ଜିମାକ୍ସ ବିଲ୍ଡିଂ ଭଡ଼ାରେ ନେବାକୁ ଖଲିକୋଟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ । ଏହାକୁ ସରକାର ମଞ୍ଜୁର କରିଛନ୍ତି । ଭଡ଼ା ବାବଦରେ ମାସିକ ୮ ଲକ୍ଷ ୨୬ ହଜାର ୨୭୬ ଟଙ୍କା ଆକଳନ କରିଛି ପୂର୍ତ୍ତ ବିଭାଗ । ଘର ଭଡ଼ା ବାବଦରେ ମାସିକ ୭,୫୨, ୪୦୦ଟଙ୍କା ଓ ଆସବାବପତ୍ର ବାବଦରେ ୭୩, ୮୭୬ ଟଙ୍କା ଆକଳନ କରିଛି । ଏହା ସହିତ ଟିକସ ମଧ୍ୟ ପୈଠ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ହେବା ପର୍ଯ୍ୟନ୍ତ ଭଡ଼ା ଘରେ ଚାଲିବ ବିଶ୍ୱବିଦ୍ୟାଳୟ । ଏଣୁ ଘର ମାଲିକଙ୍କ ସହ ଚୁକ୍ତିନାମା କରିବାକୁ ଅତିରିକ୍ତ ସଚିବ ଚିଠିରେ ଦର୍ଶାଇଛନ୍ତି । ସେପଟେ ବ୍ରହ୍ମପୁର ଉପକଣ୍ଠ ପାଲୁର ହିଲ୍ ଠାରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିର୍ମାଣ ପାଇଁ ମିଳିଥିବା ୨୦ ଏକର ଜମିରେ ମାଟି ମୁଠାଏ ପଡ଼ିନଥିବାବେଳେ ୪ବର୍ଷ ପରେ ବିଶ୍ୱବିଦ୍ୟାଳୟକୁ ଗୋଟିଏ ଭଡ଼ା ଘରକୁ ନିଆଯାଉଥିବା ବୁଦ୍ଧିଜୀବୀଙ୍କ ଭ୍ରୂକୁଞ୍ଚନ ସୃଷ୍ଟି କରିଛି ।
ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଚାରି ବର୍ଷ ବିତିଯାଇଥିଲେ ମଧ୍ୟ ଭିତ୍ତିଭୂମି ନାହିଁ । ଗୋଟିଏ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଚାରି ବର୍ଷ ପରେ ଭଡ଼ା ଘରକୁ ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଘୋଷଣା ସମୟରେ ସରକାର ଖଲିକୋଟ କଲେଜକୁ ଦ୍ୱିତୀୟ କ୍ୟାମ୍ପସ୍ର ସ୍ୱୀକୃତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ୨୦୧୬ ଫେବ୍ରୁଆରୀରେ ଦ୍ୱିତୀୟ କ୍ୟାମ୍ପସ୍ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ । ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ହେବା ପର୍ଯ୍ୟନ୍ତ କଲେଜ କ୍ୟାମ୍ପସ୍ରେ ବିଶ୍ୱବିଦ୍ୟାଳୟ ଚାଲିବ ବୋଲି ଦର୍ଶାଯାଇଥିଲା । ତେବେ ୨୦୧୬-୧୭ରେ ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ବିଶ୍ୱବିଦ୍ୟାଳୟର ଆର୍ଥିକ ଅନୁଦାନରୁ କଲେଜ କ୍ୟାମ୍ପସ୍ରେ ନୂତନ ଏକାଡେମିକ୍ ବ୍ଲକ୍ ପାଇଁ ୫ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ଏହାର କାର୍ଯ୍ୟ ଆରମ୍ଭ ହୋଇସାରିଛି । ସେହିପରି ଆଉ ୧ କୋଟି ଟଙ୍କା ବିନିମୟରେ ଟଏଲେଟ୍ କମ୍ପେ୍ଲକ୍ସ କରାଯାଇଛି । ଷ୍ଟାଡିୟମ୍ର ମରାମତି ଓ ସ୍ପୋର୍ଟସ୍ କାଉନ୍ସିଲ୍ ଅଫିସ୍ କରିବାକୁ ୫ କୋଟି ମଞ୍ଜୁର ହୋଇଥିଲା । ଖଲ୍ଲିକୋଟ କଲେଜ କ୍ୟାମ୍ପସ୍ରେ ଭିତରେ ବିଶ୍ୱବିଦ୍ୟାଳୟର ଅନୁଦାନକୁ ଖର୍ଚ୍ଚ କରି ବିକାଶମୂଳକ କାର୍ଯ୍ୟ କରାଯାଉଥିବା ବେଳେ ଭିତ୍ତିଭୂମି ଅଭାବ ଦର୍ଶାଇ ଏକ ଭଡ଼ାଘରକୁ ସ୍ଥାନାନ୍ତର କରିବା କେତେଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି ।
ସେପଟେ ବିଶ୍ୱବିଦ୍ୟାଳୟ ଭଡ଼ା ଘରେ ଚାଲିବା ପାଇଁ କୌଣସି ଚିଠି ଆସିନାହିଁ ବୋଲି କୁଳସଚିବ କିଶୋର ଚନ୍ଦ୍ର ଦାଶ କହିଛନ୍ତି । ସେ କହିଛନ୍ତି ବିଶ୍ୱବିଦ୍ୟାଳୟରେ ପିଲାଙ୍କ ପାଠ ପଢ଼ା ପାଇଁ କ୍ଲାସ୍ ରୁମ୍ର ଅଭାବ ଏବଂ ପ୍ରଶାସନିକ ଭବନ ଚଳାଇବାକୁ ଜାଗା ନଥିବାରୁ ଭଡ଼ାରେ ନେବାକୁ ସରକାରଙ୍କୁ ନିଷ୍ପତ୍ତି ନିଆଯାଇଥିଲା । ଚିଠି ପହଞ୍ଚିବା ପରେ ଘର ମାଲିକଙ୍କ ସହ ଚୁକ୍ତିନାମା କରାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି କୁଳସଚିବ ଦାଶ କହିଛନ୍ତି । ୫୪ହଜାର ବର୍ଗଫୁଟରେ ଜିମାକ୍ସ କ୍ୟାମ୍ପସ୍ ରହିଥିବା କହିଛନ୍ତି ଜିମାକ୍ସ ମାଲିକ ପ୍ରତାପ ପାତ୍ର । ଦୁଇ ମହଲା ବିଶିଷ୍ଟ କୋଠାରେ ୪୫ଟି ରୁମ୍ ଓ ଚାରୋଟି ସମ୍ମିଳନୀ କକ୍ଷ ରହିଛି । ଶୈକ୍ଷିକ ବାତାବରଣ ପାଇଁ ଉପଯୋଗୀ ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.