ଜୟପୁର,(ବି.ବି.ନ୍ୟୁଜ୍): ସହର ଉପକଣ୍ଠରେ ଥିବା ଗ୍ଲୋକାଲ ହସ୍ପିଟାଲ ବନ୍ଦକୁ ୪ ମାସ ବିତିଲାଣି । ହେଲେ ଏଠାରେ କାମ କରିଥିବା କର୍ମଚାରୀମାନେ ୫ ମାସର ଦରମା ନପାଇ ହନ୍ତସନ୍ତ ହେଉଛନ୍ତି । ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ବି କର୍ତ୍ତୃପକ୍ଷ ହସ୍ପିଟାଲ ଖୋଲୁନାହାନ୍ତି କି ସେମାନଙ୍କ ପାଉଣା ଦେଉନାହାନ୍ତି । ବକେୟା ପାଉଣା ପ୍ରଦାନ ଦାବିରେ ଆଜି ହସ୍ପିଟାଲର ପାରାମେଡିକାଲ କର୍ମଚାରୀମାନେ ଉପଜିଲ୍ଲାପାଳ ଲୋକନାଥ ଦଳବେହେରାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କର୍ମଚାରୀଙ୍କ ଗୁହାରି ଶୁଣି ରିପୋର୍ଟ ମଗାଇବା ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦଳବେହେରା କହିଛନ୍ତି ।
କର୍ମଚାରୀମାନେ କହିଛନ୍ତି, ସହରରେ ଥିବା ଏକମାତ୍ର ଘରୋଇ ମେଡିକାଲ ‘ଗ୍ଲୋକାଲ ହସପିଟାଲ’ ଗତ ଫେବ୍ରୁଆରୀରୁ ବନ୍ଦ ପଡିଛି । ମେଡିକାଲରେ ତାଲା ପକାଇ କର୍ମକର୍ତ୍ତାମାନେ ଚାଲିଯାଇଛନ୍ତି । ସ୍ଥାନୀୟ ପ୍ରଶାସକ ସତ୍ୟନାରାୟଣ ମହାପାତ୍ର ହସ୍ପିଟାଲ ଆଜି କାଲି ଖୋଲିବ କହି ଦିନ ଗଡାଇ ଚାଲିଛନ୍ତି । ଏ ଭିତରେ ୪ ମାସ ବିତି ଯାଇଥିଲେ ବି ମେଡିକାଲ ଖୋଲିବ ନା ନାହିଁ, କୌଣସି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି । ଏଠାରେ କାମ କରୁଥିବା ୩୭ ଜଣ ଜିଏନ୍ଏମ, ଏଏନ୍ଏମ୍, ଆଟେଣ୍ଡାଣ୍ଟ ଏବଂ ସୁଇପର୍ଙ୍କୁ ୫ ମାସର ଦରମା ଦିଆଯାଇନି । ୨୦୧୮ ଅଗଷ୍ଟ ମାସର ଦରମା ଡିସେମ୍ବରରେ ଦିଆଯାଇଥିଲା । କାମ ନଥିଲେ ବି କର୍ମଚାରୀମାନେ ହସ୍ପିଟାଲ ଯାଇ ଉପସ୍ଥାନ ଖାତାରେ ଦସ୍ତଖତ କରି ବସିବସି ଆସୁଥିଲେ । ସ୍ଥାନୀୟ ମେଡିକାଲ ପ୍ରଶାସକ ମଧ୍ୟ କର୍ମଚାରୀଙ୍କୁ ହସ୍ପିଟାଲ ଖୋଲିବ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ । ସେପ୍ଟେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ୫ ମାସର ଦରମା ଦାବି କରିବା ପରେ ସେମାନଙ୍କୁ ଅସିବାକୁ ବାରଣ କରାଯାଇଥିଲା । କିନ୍ତୁ ୫ ମାସର ଦରମା, ୩ ବର୍ଷର ବୋନସ୍, ଇଏସ୍ଆଇ ଏବଂ ପ୍ରୋଭିଡେଣ୍ଟ ଫଣ୍ଡ ବାବଦ ଟଙ୍କା ଦିଆଯାଇନଥିଲା । ଫଳରେ ଏହି କର୍ମଚାରୀମାନେ ଆର୍ଥିକ ଏବଂ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଛନ୍ତି । ଚାରିଆଡୁ ବାକି ଫଳରେ ଆଉ କେହି ଉଧାର ଦେବାକୁ ରାଜି ହେଉନାହାନ୍ତି । ପରିବାର ଭରଣପୋଷଣ କରିବା ସେମାନଙ୍କ ଲାଗି ଅସମ୍ଭବ ହୋଇପଡ଼ିିଥିବା କହିଛନ୍ତି ।
ବକେୟା ପାଉଣା ଦାବି କରି ନିରାଶ ହେବାପରେ କର୍ମଚାରୀମାନେ ସ୍ଥାନୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲେ । ଉଭୟ କାର୍ଯ୍ୟାଳୟର ହସ୍ତକ୍ଷେପ ଫଳରେ କୋଲକାତାରେ ଥିବା ମୁଖ୍ୟ କାର୍ଯ୍ୟାଳୟ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ଦେବାକୁ ରାଜି ହୋଇଥିଲା । ୨୪ରୁ ୪୮ ଘଣ୍ଟା ମଧ୍ୟରେ ୩୦ କର୍ମଚାରୀଙ୍କ ୫ ମାସର ଦରମା ଏବଂ ୩ ବର୍ଷର ବୋନସ୍ ବାବଦକୁ ୧୫ ଲକ୍ଷ ୪୨ ହଜାର ୬୫୩ ଟଙ୍କା ପ୍ରଦାନ କରିବାକୁ ଗତ ଡିସେମ୍ବର ୩ ତାରିଖରେ ପ୍ରତିଶ୍ରୁତି ଦେଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ପ୍ରାପ୍ୟ ବାବଦକୁ ଟଙ୍କାଟିଏ ଦିଆଯାଇ ନାହିଁ । ଅନ୍ୟ ଉପାୟ ନପାଇ ସ୍ନିଗ୍ଧା କୁଳଦୀପ, ରୋମିଓ ହରିଜନ, ଲିନାରାଣୀ ବେହେରା, ସିଲ୍ପା ନାୟକ, ସିକି ନାୟକ, ରୋହିଣୀ ନାୟକ, ଗ୍ଲାସଷ୍ଟୋନ୍ ନାୟକ, ବାଲ୍ୟନନ୍ଦିନୀ ଖରା, ମରିୟମ ନାୟକ, ନୈବେଦ୍ୟ ଅମ୍ବରିକା ସାଧୁ, ସୁନିତା ପଣ୍ଡା ପ୍ରମୁଖ କର୍ମଚାରୀ ଉପଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି ।
Comments are closed, but trackbacks and pingbacks are open.