୬୦ ହଜାର ପାଇଁ ନାବାଳକଙ୍କୁ ଅପହରଣ

Get real time updates directly on you device, subscribe now.

ଜଗତସିଂହପୁର: ୬୦ ହଜାର ଟଙ୍କା ଦେଲେ ତୋ ପୁଅକୁ ନେଇଯିବୁ । ଆମେ ତୋ’ ପୁଅକୁ ରଖିଛୁ । ଟଙ୍କା ନ ମିଳିଲେ ଆମଠୁ କେହି ଖରାପ ନାହାନ୍ତି ବୋଲି ଜାଣିିବୁ ।’ – ବାଲିକୁଦା ଥାନା କୃଷ୍ଣଦାସପୁର ପଞ୍ଚାୟତ ଖାଙ୍କରପୁର ଗାଁର ଦେବେନ୍ଦ୍ର ଜେନାଙ୍କୁ ଏମିତି ଭାଷାରେ ୨ ଜଣ ଯୁବକ ଫୋନ୍ ଯୋଗେ ଧମକ ଦେଇଛନ୍ତି । ଅପହୃତ ନାବାଳକ ହେଲେ ଦେବେନ୍ଦ୍ରଙ୍କ ପୁଅ ଚିନ୍ମୟ ରଞ୍ଜନ ଜେନା(୧୭) ଓରଫ ଚିକୁ । ଏ ନେଇ ବାଲିକୁଦା ଥାନାରେ ଦେବେନ୍ଦ୍ରଙ୍କ ବାପା ଯଦୁମଣୀ ଜେନା ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଅପହୃତଙ୍କୁ ଠାବ କରିପାରିନି । ପୁରୁଣା ଟଙ୍କା ଦେଣନେଣ ବିବାଦକୁ ନେଇ ଚିକୁଙ୍କୁ ସେହି ଗାଁର ବବୁଲ୍ ଓରଫ ରଶ୍ମିରଞ୍ଜନ ସ୍ୱାଇଁ(୨୫) ଓ ଦେବହତା ଗାଁର ହେମନ୍ତ ସାହୁ(୨୭) ଅପହରଣ କରି କେଉଁଆଡେ଼ ନେଇ ଯାଇଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ମୁତାବକ, ଚିକୁ ଆଜି ଦିନ ୧୧ଟାରେ ଗାଁ ମନ୍ଦିର ନିକଟରେ ଥିବା ବେଳେ ଅପହରଣକାରୀ ଯୁବକ ଦୁହେଁ ସେଠାରେ ପହଞ୍ଚି ସୁଜିତ ନେଇଥିବା ଟଙ୍କା ମାଗିଥିଲେ । ହେଲେ ସୁଜିତ ଟଙ୍କା ମୁଁ କେମିତି ଦେବି ବୋଲି ଚିକୁ ସେମାନଙ୍କୁ ପଚାରିବାରୁ ସେ ତୁମ ଘରେ ଅଫିିସ କରିଥିଲା । ତୁ’ ଆମଠାରୁ ଟଙ୍କା ନେଇ ତାକୁ ଦେଇଥିଲୁ ବୋଲି କହି ଚିକୁକୁ ସେମାନେ ଜବରଦସ୍ତ ଉଠାଇ ନେଇ ପଳାଇଥିଲେ । ପରେ ଚିକୁର ବାପା ଦେବେନ୍ଦ୍ରଙ୍କୁ ଏଭଳି ଫୋନ୍ କରି ଧମକ ଦେଇଥିଲେ । ଟଙ୍କା ନଦେଲେ ପୁଅକୁ ନଦୀକୁ ଫିଙ୍ଗିଦେବୁ ବୋଲି କହିଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ ସୁଜିତ ରାଉତ ନାମକ ଯୁବକ ଅଭିଯୋଗକାରୀ ଯଦୁମଣୀଙ୍କ ଡେଙ୍ଗାପୋଲଠାରେ ଥିବା ଘରକୁ ଭଡ଼ା ସୂତ୍ରରେ ନେଇ ଏକ ସଂସ୍ଥା ଖୋଲି ସେଥିରେ ସ୍ଥାନୀୟ କିଛି ଯୁବକଙ୍କୁ ନିଯୁକ୍ତି ଦେବା ନାଁରେ ପ୍ରାୟ ୪ ଲକ୍ଷ ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲା । ଟଙ୍କା ଦେଇଥିବା ଯୁବକମାନେ ଗତ ସେପ୍ଟେମ୍ୱର ମାସରେ ସୁଜିତକୁ କାବୁ କରି ଥାନାରେ ପୁଲିସ ଜିମା ଦେଇଥିଲେ । ସେତେବେଳେ ୨ ଲକ୍ଷ ୮୯ ହଜାର ଟଙ୍କା ଫେରସ୍ତ କରିବାକୁ ସୁଜିତ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ ମଧ୍ୟ ପୁନର୍ବାର ଖସି ଫେରାର ହୋଇଯାଇଥିଲା । ସୁଜିତଠାରୁ ୬୦ ହଜାର ଟଙ୍କା ପାଇବାକୁ ଥିବା ଦର୍ଶାଇ ଅପହରଣକାରୀ ଦୁହେଁ ଘର ମାଲିକଙ୍କ ପୁଅକୁ ଅପହରଣ କରିଥିବା କୁହାଯାଉଛି । ବାଲିକୁଦା ଥାନାଧିକାରୀ ଦିଲ୍ଲୀପ ସାହୁ ଅପହୃତ, ଅପହରଣକାରୀଙ୍କୁ ଠାବ କରିବାକୁ ଚେଷ୍ଟା ଜାରି ରହିଥିବା କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons