ଆସିକା,(ବି.ବି.ନୁ୍ୟଜ): ଦୀପାବଳିରେ ବାଣ ଫୁଟାଇବା ମନା । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ଗ୍ରୀନ୍ ଦୀପାବଳି ପାଳିବାକୁ ମୁଖ୍ୟମନ୍ତ୍ରୀ ବି ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ସରକାରୀ ନିଦେ୍ର୍ଧଶକୁ ଉଲଂଘନ କରି ମିନି ଶିବକାଶୀ କୁହାଯାଉଥିବା ଆସିକା ବ୍ଲକ ନଳବଣ୍ଟାରେ ଚାଲିଛି ବେଆଇନ ବାଣ ପ୍ରସ୍ତୁତି ଓ ଚାଲାଣ । ଗ୍ରାମରେ ଆଜି ପୁଲିସ ଚଢ଼ଉ କରି ୮ଟି ଟ୍ରକ୍ରେ ଚାଲାଣ ହେଉଥିବା ୭୦ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ କରିଛି । ବାଣ ସମେତ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ବାରୁଦ ମଧ୍ୟ ଜବତ ହୋଇଛି । ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଲବ ବେହେରା, ଜିତୁ ପ୍ରଧାନ, ରଞ୍ଜନ ପ୍ରଧାନ । ନଳବଣ୍ଟା ଗ୍ରାମରୁ ୮ଟି ମିନି ଟ୍ରକ୍ ବୋଝେଇ ବାଣ ଥାନାକୁ ଅଣାଯାଇଛି । କେତେକ କମ୍ପାନି ପ୍ରସ୍ତୁତ ବାଣ ଥିବା ବେଳେ ଆଉ ସବୁ ଦେଶୀ ବାଣ । ଏଥିରେ ବମ୍, ତାଳ ଫୋଟକା, ଚକ୍ରି, ଫୁଲଝରି, ଲଙ୍ଗସଟ୍, ଲାରା, ମଥାପି, କଲର ସଟ୍, ଆକାଶ ଦୀପ ଭଳି ବିଭିନ୍ନ କିସମର ବାଣ ରହିଛି । ଏହାସହିତ ଗନ୍ ପାଉଡର୍ ଓ ବାଣ ପ୍ରସ୍ତୁତି ସାମଗ୍ରୀ ନାଇଟ୍ରୋଜେନ ପାଉଡର, ସଲ୍ଫର୍ ପାଉଡର୍, ଚାର୍କଲ୍ ଜବତ ହୋଇଛି । ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ପ୍ରୋବେସନ୍ ଆଇପିଏସ ରାଘବେନ୍ଦ୍ର ଗୁଣ୍ଡାଲା, ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ଆସିକା ତହସିଲଦାର ସଦାନଦ ସେଠୀ, ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସମେତ ୫ ପୁଲସ ଅଧିକାରୀ ସହ ୨ ପ୍ଲାଟୁନ ଫୋର୍ସ ଚଢ଼ଉରେ ସାମିଲ ହୋଇଥିଲେ ।
ନଳବଣ୍ଟା ଗ୍ରାମ ବାଣ ତିଆରି ପାଇଁ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚିତ । ଦୀର୍ଘ ବର୍ଷ ଧରି ପୁରୁଷାନୁକ୍ରମେ ଏଠି ପ୍ରସ୍ତୁତ ହେଉଛି ବାଣ । ବାରୁଦ ଗଦାରେ ନଳବଣ୍ଟା ଗ୍ରାମ ରହିଛି । ଅତୀତରେ ବହୁ ଦୁର୍ଘଟଣା ଘଟିଥିବା ନଜିର ରହିଛି । ଧନ ଜୀବନ କ୍ଷୟକ୍ଷତି ହୋଇଛି । ତଥାପି ବାଣ ତିଆରି ବନ୍ଦ ହୋଇନାହିଁ । ଗ୍ରାମଠାରୁ ଅନତିଦୂର ନଦୀ ହୁଡ଼ା, ଚାଷଜମି, ପାହାଡ଼ ତଳେ ବାଣ ପ୍ରସ୍ତୁତ ହେଉଛି । ପ୍ରତିବର୍ଷ ଦୀପାବଳି ପୂର୍ବରୁ ଏକାଧିକ ଚଢ଼ଉ ହେଉଛି । କିନ୍ତୁ ପରିସ୍ଥିତିରେ କୌଣସି ସୁଧାର ଆସୁନାହିଁ । ବାଣ ପ୍ରସ୍ତୁତି ପାଇଁ କାହାକୁ ଲାଇସେନ୍ସ ଦିଆଯାଇ ନଥିବା ସ୍ପଷ୍ଟ କରିଛନ୍ତି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ।
Comments are closed, but trackbacks and pingbacks are open.