୭୮ ଲକ୍ଷର ଅପମିଶ୍ରିତ ଘିଅ ଜବତ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): କଟକରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ ହେବା ଘଟଣା ଥମିବାର ନାଁ ଧରୁନାହିଁ । ଗତ ୧୮ ଦିନ ଭିତରେ ୯ଟି ନକଲି କାରଖାନା ଧରାପଡ଼ିଥିଲା ବେଳେ ଆଜି ପୁଣି ଏକ ଅପମିଶ୍ରିତ ଘିଅ କାରଖାନା ଠାବ କରିଛି ପୁଲିସ । ସଦର ଥାନା ଅନ୍ତର୍ଗତ ବୟାଳିଶମୌଜାର ଶ୍ରୀରାମ ବଜାରଠାରେ ଦୀର୍ଘ ଦିନ ହେବ ଏହି କାରଖାନାରେ ଭେଜାଲ୍ ଘିଅ ପ୍ରସ୍ତୁତ କରାଯାଉଥିଲା । ଏନେଇ ଖବର ପାଇବା ପରେ କଟକ ସଦର ଥାନା କାରଖାନା ଉପରେ ଚଢ଼ଉ କରି ସେଠାରୁ ପ୍ରାୟ ୭୮ ଲକ୍ଷ ଟଙ୍କାର ଅପମିଶ୍ରିତ ଘିଅ ଜବତ କରିଛି । ଏହି ଘଟଣାରେ କାରଖାନାର ଜଣେ ମାଲିକଙ୍କୁ ପୁଲିସ ଅଟକ ରଖିଛି । ଜବତ ନକଲି ସାମଗ୍ରୀର ପରିମାଣ ଏତେ ଅଧିକ ଯେ ପୁଲିସ ସେଗୁଡ଼ିକୁ ଆଣି ନପାରି ସଂପୂର୍ଣ୍ଣ କାରଖାନାକୁ ସିଲ୍ କରିଦେଇଛି ।
ଗଲା ମାସେ ହେବ ନକଲି କାରଖାନା ବିରୋଧରେ କଟକ କମିସନରେଟ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଚାଲିଛି । ସେହିକ୍ରମରେ ସହର ଓ ଏହାର ଆଖପାଖ ଅଞ୍ଚଳରେ ନକଲି ତଥା ଅପମିଶ୍ରିତ ଖାଦ୍ୟ ସାମଗ୍ରୀର ତିଆରି ଉପରେ ପୁଲିସ ଜୋରଦାର ଚଢ଼ଉ କରୁଛି । ଆଜି କଟକ ସଦର ଥାନା ପୁଲିସକୁ ଏକ ସୂଚନା ମିଳିଥିଲାକି ବୟାଳିଶମୌଜାର ଶ୍ରୀରାମ ବଜାରଠାରେ ଏକ ନକଲି ଘିଅ ତିଆରି କାରଖାନା ଚାଲୁଛି । ତେବେ ସ୍ଥିତି ଯାଞ୍ଚ୍ କରିବା ପାଇଁ ଆଜି ସଦର ଥାନା ପୁଲିସ ଓ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆର ମିଳିତ ଭାବେ କାରଖାନାରେ ଚଢ଼ଉ କରିଥିଲା । ଚଢ଼ଉବେଳେ ପୁଲିସ ନିଶ୍ଚିତ ହୋଇଯାଇଥିଲା ଯେ, ସେଠାରେ ଗାଈ ଘିଅ ନାଁରେ ଅପମିଶ୍ରିତ ଭେଜାଲ୍ ଘିଅ ପ୍ରସ୍ତୁତ ହେଉଛି । ପାମୋଲିନ୍ ତେଲ ଓ ବନସ୍ପତି ଘିଅକୁ ମିଶାଇ ସେଥିରେ ଏକ ପ୍ରକାର ସେଣ୍ଟ୍ ଦିଆଯାଇ ଗାଈ ଘିଅ ତିଆର ହେଉଛି । ଏହି ଘିଅ ତିଆରି କରିବା ପାଇଁ ଦୁଇଟି ପ୍ୟାକିଂ ୟୁନିଟ୍ ଅଛି । ହିମେଶ୍ୱର ଓ ବାଲାଜୀ ନାମରେ ଦୁଇଟି ୟୁନିଟ୍ରେ ଘିଅ ପ୍ୟାକିଂ ହେଉଛି । ମାତ୍ର ଏହି ଦୁଇ ବ୍ରାଣ୍ଡ୍ ପାଇଁ ଟ୍ରେଡ୍ମାର୍କ ରେଜିଷ୍ଟେ୍ରସନ୍ ମଧ୍ୟ ନାହିଁ ।
ଏପରିକି ଅତି ଆବଶ୍ୟକ ଥିବା ଏଫ୍ଏସ୍ଏସ୍ଏଆଇର ପ୍ରମାଣପତ୍ର ମଧ୍ୟ ନାହିଁ । ଏହି ସବୁ ବିଷୟ ଦେଖିବା ପରେ ସେଠାରେ ବେଆଇନ ଭାବେ ଅପମିଶ୍ରିତ ଗାଈ ଘିଅ ତିଆରି ହେଉଥିବା ପ୍ରାଥମିକ ଭାବେ ଜଣାପଡ଼ିଥିଲା । ଏହା ପରେ ପୁଲିସ ଉକ୍ତ କାରଖାନାରେ ଥିବା ଜିନିଷଗୁଡ଼ିକୁ ଜବତ କରିବା ଆରମ୍ଭ କରିଥିଲା । ଜବତ ବେଳେ ପ୍ରାୟ ୪୧ ହଜାର ଲିଟର ଅପମିଶ୍ରିତ ଗାଈ ଘିଅ, ବନସ୍ପତି ଘିଅ, ପାମ୍ ତେଲ, କିଛି ରାଶି ତେଲ ଓ ଜଡ଼ା ତେଲ ସହିତ କେମିକାଲ୍ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୭୮ ଲକ୍ଷ ଟଙ୍କା ହେବ । କେବଳ ଗୋଟିଏ ଟାଙ୍କିରେ ପ୍ରାୟ ୨୦ ହଜାର ଲିଟର ନିମ୍ନମାନର ବନସ୍ପତି ଘିଅ ରହିଛି । ଏଥିସହିତ ପ୍ୟାକିଂ ପାଇଁ ରହିଥିବା ୮ଟି ମେସିନ୍ ଜବତ ହୋଇଛି । ତେବେ ଏତେ ସବୁ ଜିନିଷକୁ ଜବତ କରି ଆଣି ଥାନାରେ ରଖିବା ସମ୍ଭବ ହୋଇନଥିବାରୁ ଏସବୁକୁ କାରଖାନା ଭିତରେ ରଖାଯାଇ ସିଲ୍ କରାଯାଇଛି । ଏହି ଘଟଣାରେ ସଦର ଥାନା ପୁଲିସ କାରଖାନାର ଜଣେ ମାଲିକଙ୍କୁ ଥାନାରେ ଅଟକ ରଖିଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ଆଜିର ଏହି ଚଢ଼ଉରେ ଜୋନ୍ ଏସିପି ସତ୍ୟରଂଜନ ମଲ୍ଲିକ, ସଦର ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା, ଅତିରିକ୍ତ ଥାନା ଅଧିକାରୀ ଅନିତା ସାହୁ, ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ ସାହୁ, ବେଣ୍ଟକାର ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଡ଼, ଏସ୍ଆଇ ମୁରଲୀଧର ସାହୁ, ହୃଷିକେଶ ରଥ ଓ ରବିନାରାୟଣ ସିଂହ ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons