{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ସନ୍ଧ୍ୟା ପାଟ୍ରୋଲିଂ ସମୟରେ ତିର୍ତ୍ତୋଲ ପୁଲିସକୁ ମିଳିଛି ବଡ଼ ସଫଳତା। ପାଟ୍ରୋଲିଂ ବେଳେ ଏକ ଅବକାରୀ ମାମଲା ଠାବ କରାଯାଇଥିବା ବେଳେ ଅଭିଯାନ ସମୟରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ସନ୍ଧ୍ୟା ପାଟ୍ରୋଲିଂ ସମୟରେ ସନ୍ଦେହ ହେବାରୁ ଜଣେ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଥିଲା। ପରେ ଯାଞ୍ଚ କରାଯିବା ସମୟରେ ତାଙ୍କ ଦଖଲରୁ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ମିଳିଥିଲା। ଜବତ ମଦର ମୋଟ ପରିମାଣ ୨୫.୯୨୦ ଲିଟର ବୋଲି ଜଣାପଡ଼ିଛି।ଜବତ ହୋଇଥିବା ମଦ ମଧ୍ୟରେ ମ୍ୟାକଡାୱେଲ୍ସ ନମ୍ବର-୧ ହ୍ୱିସ୍କି ୮.୬୪୦ ଲିଟର, ଆଇକୋନିକ୍ ହ୍ୱାଇଟ୍ ୮.୬୪୦ ଲିଟର ଏବଂ ଓଲ୍ଡ ମଙ୍କ ୮.୬୪୦ ଲିଟର ରହିଛି। ଅର୍ଥାତ୍ ପ୍ରତ୍ୟେକ ବ୍ରାଣ୍ଡର ୮.୬୪୦ ଲିଟର ଲେଖାଏଁ ବିଦେଶୀ ମଦ ଜବତ କରାଯାଇଛି। ତଦନ୍ତ ସମୟରେ ଅଭିଯୁକ୍ତଙ୍କ ସଂଗଠିତ ଅପରାଧ ସହ ସମ୍ପୃକ୍ତି ଥିବା ନେଇ ପୁଲିସ ସୂଚନା ପାଇଛି। ଏହି ଘଟଣାକୁ ନେଇ ତିର୍ତ୍ତୋଲ ଥାନା କେସ୍ ନମ୍ବର ୩୮୯, ତାରିଖ ୨୨ ଅଗଷ୍ଟ ୨୦୨୬ରେ BNS ଧାରା ୧୧୧(୨)/୧୧୨(୨)/୩(୫) ସହିତ ଓଡ଼ିଶା ଅବକାରୀ ଆଇନର ଧାରା ୫୨(କ)/୫୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଚିତ୍ତରଞ୍ଜନ କବି (୩୯)। ସେ କଟକ ଜିଲ୍ଲା ନେମାଳ ଥାନା ଅଧୀନ କାକୁଡ଼ିଆପଡ଼ା ଗ୍ରାମର ଗନ୍ଧର୍ବ କବିଙ୍କ ପୁଅ। ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି। ଆଇନଗତ ପ୍ରକ୍ରିୟା ଅନୁଯାୟୀ ଅଭିଯୁକ୍ତଙ୍କୁ ଆସନ୍ତାକାଲି ମାନ୍ୟବର ଅଦାଲତରେ ହାଜର କରାଯିବ। ଏହି ମାମଲାରେ ଅବକାରୀ ମଦର ଉତ୍ସ ଏବଂ ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।


Comments are closed, but trackbacks and pingbacks are open.