ଯୁବକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା

Get real time updates directly on you device, subscribe now.

ଖଲିକୋଟ,(ବି.ବି.ନୁ୍ୟଜ୍): ଖଲିକୋଟ ଥାନା ଅନ୍ତର୍ଗତ କେଶପୁର ଇଣ୍ଡିଆନ୍ ପେଟ୍ରୋଲ୍ ପମ୍ପ୍ ନିକଟରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ରାମଚନ୍ଦ୍ରପୁର ଗ୍ରାମର ଶଙ୍କର ପାହାନ (୨୪) । ପୂର୍ବ ଶତ୍ରୁତା ଓ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି । ଗୁରୁବାର ରାତି ୧୧ଟାରେ ଏହି ଘଟଣା ଘଟିଛି ।
ଗୁରୁବାର ରାତିରେ ଶଙ୍କର ବାଇକ୍ରେ ପେଟ୍ରୋଲ ପକାଇବା ପାଇଁ ପେଟ୍ରୋଲ୍ ପମ୍ପ୍କୁ ଆସିଥିଲେ । ସେଠାରେ ୨ ଜଣ ଯୁବକ ପହଞ୍ଚି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏକ କାଠ ଫାଳିଆରେ ଶଙ୍କରଙ୍କ ମୁଣ୍ଡକୁ ଶକ୍ତ ପାହାର ଦେବା ପରେ ସେ ତଳେ ପଡ଼ିଯାଇଥିଲେ । ସେହି କାଠ ଫାଳିଆରେ ଶଙ୍କରଙ୍କ ମୁଣ୍ଡକୁ ପାହାର ପରେ ପାହାର ପକାଇବା ସହ ଶେଷରେ ଇଟା ଛେଚି ହତ୍ୟା କରିଥିଲେ ଦୁଇ ଆକ୍ରମଣକାରୀ । ଖବର ପାଇ ଖଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ଏସ୍ଆଇ ସିଲୁ ଧଳ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ମୃତ ଦେହ ନିକଟରୁ ରକ୍ତ ଭିଜା କାଠ ଫାଳିଆ ଓ ଇଟା ଜବତ କରାଯାଇଛି ।
ଶୁକ୍ରବାର ସକାଳୁ ଫରେନ୍ସିକ୍ ତଥା ସାଇଣ୍ଟିଫିକ ଟିମ୍ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଥିଲା । ଏ ସମ୍ପର୍କରେ ମୃତ ଶଙ୍କର ପାହାନଙ୍କ ମାଆ ସରସ୍ୱତୀ ପାହାନ ଦେଇଥିବା ଏତଲାକୁ ଭିତ୍ତି କରି ଖଲିକୋଟ ଥାନାରେ କେସ୍ ନମ୍ବର ୩୪୨ ।୨୦୧୯ ହତ୍ୟା ମକଦ୍ଧମା ରୁଜୁ ହୋଇଛି । ପୁଲିସ ପେଟ୍ରୋଲ୍ ପମ୍ପ୍ର ସିସି ଟିଭି ଫୁଟେଜ୍କୁ ଅନୁଧ୍ୟାନ କରି ତଦନ୍ତ ଆଗକୁ ବଢ଼ାଉଛି । ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି । ଛତ୍ରପୁର ଏସ୍ଡିପିଓ ଉକ୍ରଳକେଶରୀ ଦାସ ଶୁକ୍ରବାର ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons