ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଖଲ୍ଲିକୋଟ କଲେଜ ଲାବ୍ ଅଟେଣ୍ଡାଣ୍ଟଭୁବନେଶ୍ୱର ନାୟକ(୨୭)ଙ୍କୁ ହତ୍ୟା! ଗତରାତିରୁ ଘରକୁ ଫେରିନଥିବା ଭୁବନେଶ୍ୱରଙ୍କ ଶବ ମିଳିଛି ଖୋଡ଼ାସିଙ୍ଗି ଏଲ୍ଆଇସି ଅଫିସ୍ ପଛ ଟ୍ରେନ୍ ଲାଇନ୍ କଡ଼ରୁ । ଭୁବନେଶ୍ୱରଙ୍କ ଘର ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ବନ୍ଧାଗୁଡ଼ାରେ ହୋଇଥିବା ବେଳେ ଖଲ୍ଲିକୋଟ କଲେଜ ଝାନ୍ସୀରାଣୀ ହଷ୍ଟେଲ୍ କ୍ୟାମ୍ପସ୍ରେ ବାପା-ମାଆଙ୍କ ସହ ରହୁଥିଲେ । ସରକାରୀ ରେଳବାଇ ପୁଲିସ (ଜିଆର୍ପି) ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଭୁବନେଶ୍ୱରଙ୍କ ଅସ୍ୱାଭାବିକ ମୃତୁ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିବାବେଳେ ପୁଲିସ କିଛି ସ୍ପଷ୍ଟ କରିନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଟ୍ରେନ୍ ଧକ୍କାରେ ତାଙ୍କର ମୃତୁ୍ୟ ହୋଇଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଆର୍ପି ଥାନା ଆଇଆଇସି ସୁକାନ୍ତ ଭୋଇ । ଘଟଣା ସ୍ଥଳରୁ ଭୁବନେଶ୍ୱରଙ୍କ ବାଇକ୍ ସହ ତାଙ୍କ ମନିପର୍ସ ଏବଂ ମୋବାଇଲ୍ ଫୋନ୍ ଜବତ କରିଛି ପୁଲିସ । ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ଓ ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ ।
ପରିବାର ସୂତ୍ରରୁ ଜଣାଯାଇଛି ଯେ, ଭୁବନେଶ୍ୱର ସୋମବାର ରାତି ସାଢେ଼ ୧୦ଟାରେ ମାଆ ରମା ନାୟକଙ୍କୁ ଫୋନ୍ରେ କଥା ହୋଇଥିଲେ । ‘ବ୍ୟାଙ୍କ୍ରେ ଟଙ୍କା ଜମା କରିଦେଇଛି । ଆଉ କିଛି ସମୟ ପରେ ଘରକୁ ଆସୁଛି ।’ ଏହାଥିଲା ତାଙ୍କର ଶେଷ କଲ୍ । ରାତି ୧୧ଟା ସୁଦ୍ଧା ଭୁବନେଶ୍ୱର ଘରେ ନପହଞ୍ଚିବାରୁ ମାଆ ବାରମ୍ବାର ତାଙ୍କୁ ଫୋନ୍ କରିଥିଲେ । ତାଙ୍କ ଫୋନ୍ ରିଙ୍ଗ୍ ହେଉଥିଲା କିନ୍ତୁ କେହି ଫୋନ୍ ଉଠାଉନଥିଲେ । ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରଙ୍କ ଦାଦା ସନ୍ତୋଷ ନାୟକ ପୁଣି ଫୋନ୍ କରିଥିଲେ । ଜଣେ ପୁଲିସ ଅଧିକାରୀ ଫୋନ୍ ଉଠାଇ ଏଲ୍ଆଇସି ଅଫିସ୍ ପଛକୁ ଆସିବାକୁ କହିଥିଲେ । ଭୁବନେଶ୍ୱରଙ୍କ ବାପା ଗଣପତି, ମାଆ ରମା ଓ ଦାଦା ସନ୍ତୋଷ ଏଲ୍ଆଇସି ଅଫିସ ପଛରେ ପହଞ୍ଚି ଭୁବନେଶ୍ୱରଙ୍କ ରକ୍ତାକ୍ତ ଶବ ଦେଖିଥିଲେ । ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଟ୍ରେନ୍ ଲାଇନ୍ ଠାରୁ କିଛି ଦୂରରେ ଭୁବନେଶ୍ୱରଙ୍କ ବାଇକ୍, ଶବ ଚାରି ପାଖରେ ୫ଟି ବିୟର ବୋତଲ ପଡିଥିଲା । ପାରିପାଶ୍ୱର୍ିକ ସ୍ଥିତି ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନେ୍ଦହକୁ ଆସୁଥିଲା । ଭୁବନେଶ୍ୱରଙ୍କ ପ୍ୟାଣ୍ଟଖୋଲା ରହିଥିଲା । ଯଦିଓ ସେ ଏଠାରେ ମଦ୍ୟପାନ କରୁଥିଲେ, ତାହେଲେ ଏକୁଟିଆ କେବେବି ଆସିନଥିବେ । ତାଙ୍କ ସହ ଅନ୍ୟକେଉଁ ମାନେ ଥିଲେ ତାହା ମଧ୍ୟ ତଦନ୍ତ କରାଯାଉଛି ବୋଲି ପୁଲିସ ପ୍ରକାଶ କରିଛି । ଭୁବନେଶ୍ୱରଙ୍କ ଚାରି ଭଉଣୀ ଥିବା ବେଳେ ସେ ଏକମାତ୍ର ପୁଅ ଥିଲେ । ଏମ୍ସିଏ ପାଠ ପଢ଼ା ସରିବା ପରେ ଖଲ୍ଲିକୋଟ ଜୁନିୟର କଲେଜରେ ଲ୍ୟାବ୍ ଆଟେଣ୍ଡାଣ୍ଟଭାବେ କାମ କରୁଥିଲେ ।
ଭୁବନେଶ୍ୱରଙ୍କ ମାଆ ରମା ଓ ବାପା ଗଣପତି ନାୟକ । ଭୁବନେଶ୍ୱର ଖଲ୍ଲିକୋଟ ଜୁନିୟର କଲେଜରେ ଲାବ୍ ଆଟେଣ୍ଡାଣ୍ଟଭାବେ ୩ବର୍ଷ ହେଲା କଣ୍ଟ୍ରାକ୍ଚୁଆଲ୍ ଭାବେ କାମ କରୁଛନ୍ତି । ଏହି କଲେଜର ଝାନ୍ସୀ ରାଣୀ ହଷ୍ଟେଲ୍ରେ ତାଙ୍କ ବାପା ଗଣପତି ନାୟକ ଜଗୁଆଳ ଭାବେ କାମ କରନ୍ତି । ଗତକାଲି ରାତି ସାଢେ଼ ୮ଟାରେ ଘରୁ ବାହାରି ଆସିଥିଲେ । ଘରୁ ୨ହଜାର ଟଙ୍କା ଆଣିଥିଲେ । ରାତି ୮ଟା ୪୧ରେ ସେ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖାରେ ଥିବା ମେସିନ୍ ଜରିଆରେ ସେ ଆକାଉଣ୍ଟରେ ୨ହଜାର ଟଙ୍କା ଜମା କରିଛନ୍ତି । ରାତି ସାଢେ଼ ୧୦ଟାରେ ଘରୁ ଫୋନ୍ ଆସିବାରୁ ସେ ସଙ୍ଗେ ସଙ୍ଗେ ପହଞ୍ଚିଯାଉଛି ବୋଲି କହିଥିଲେ । ତା’ପରେ ସେ ଆଉ ଫୋନ୍ ଉଠାଇନଥିଲେ । ଆଜି ସକାଳୁ କିଛି ଲୋକ ଭୁବନେଶ୍ୱରଙ୍କ ଶବ ଦେଖି ଜିଆର୍ପିରେ ସୂଚନା ଦେଇଥିଲେ । ସେଠାରୁ ତାଙ୍କ ମୋବାଇଲ୍ ଫୋନ୍ ମିଳିଥିଲା । ସେତେବେଳେ ତାଙ୍କ ଦାଦା ଫୋନ୍ କରିବାରୁ ପୁଲିସ ଘଟଣା ସ୍ଥଳକୁ ଡାକିଥିଲା । ଭୁବନେଶ୍ୱରଙ୍କ ସହ କାହା ଶତ୍ରୁତା ରହିଥିବା କଥା ଜାଣିନାହାନ୍ତି ବୋଲି ପରିବାର ଲୋକ ସ୍ପଷ୍ଟ କରିଥିବା ବେଳେ କୌଣସି କାରଣକୁ ନେଇ ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ସନେ୍ଦହ କରାଯାଉଛି ।
Comments are closed, but trackbacks and pingbacks are open.