ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ୍): ମଙ୍ଗଳବାର ରକ୍ତରଞ୍ଜିତ ହୋଇଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ପୀଠ । ଦାବି ମୁତାବକ ଦକ୍ଷିଣା ନଦେବାରୁ ଭକ୍ତଙ୍କୁ ଦୁଇ ଜଣ ସେବାୟତ ଖଣ୍ଡାରେ ହାଣିଥିବା ଅଭିଯୋଗ । ଆକ୍ରମଣରେ ଗୁରୁତର ହୋଇଛନ୍ତି କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀର ରାହୁଳ ପ୍ରଧାନ ଓ ପୁରୁଷୋତ୍ତମପୁର ନାରାୟଣ ବିହାରର ସୁଦାମ ମହାରଣା । ଉଭୟ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ସେବାୟତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା କହିଛନ୍ତି ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ । ଏନେଇ ଥାନାରେ କେସ୍ ନମ୍ବର ୩୩/୨୦୨୦ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ କହିଛନ୍ତି ।
ପୁଲିସ ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନରେ କୋଦଳାର କେତେକ ଲୋକ ଗାଡ଼ି ପୂଜା ପାଇଁ ତାରାତାରିଣୀ ମନ୍ଦିର ଆସିଥିଲେ । ଗାଡ଼ି ପୂଜା ପରେ ୨ ଜଣ ସେବାୟତ ୫ ହଜାର ଟଙ୍କା ଦକ୍ଷିଣା ମାଗି ଥିଲେ । ଏତେ ପରିମାଣ ଦକ୍ଷିଣା ମାଗିବାରୁ ସେବାୟତଙ୍କ ସହ ରାହୁଳ ପ୍ରଧାନଙ୍କ ପାଟିତୁଣ୍ଡ ହୋଇଥିଲା । ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ୨ ଜଣ ସେବାୟତ ଖଣ୍ଡା ଆଣି ରାହୁଳଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ଦେଖି ସେଠାରେ ଉପସ୍ଥିତ ସୁଦାମ ମହାରଣା ପ୍ରତିବାଦ କରିଥିଲେ । କ୍ରୋଧରେ ଜର୍ଜରିତ ସେବାୟତ ସୁଦାମଙ୍କୁ ମଧ୍ୟ ଆକ୍ରମଣ କରି କ୍ଷତାକ୍ତ କରିଛନ୍ତି । ରାହୁଳଙ୍କ ହାତ ପାପୁଲି ଛିଣ୍ଡି ଯାଇଥିବା କୁହାଯାଇଛି । ଏହି ଘଟଣା ପରେ ମନ୍ଦିର ବେଢ଼ାରେ ଉପସ୍ଥିତ ଲୋକ ଭୟଭୀତ ହୋଇ ଛିନ୍ଛତ୍ର ହୋଇ ଏଣେତେଣେ ଦୌଡ଼ି ଥିଲେ । ଘଟଣାସ୍ଥଳରେ ବହୁ ସମୟ ଧରି ଭୟର ବାତାବରଣ ଖେଳି ଯାଇଥିଲା ।
ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଉଚ୍ଚ ଦକ୍ଷିଣା ଦାବି ବନ୍ଦ କରିବାକୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତାରାତାରିଣୀ ମନ୍ଦିରକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ମନ୍ଦିର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ବହୁ ବରିÂ ପ୍ରଶାସନିକ ଅଧିକାରୀ ମନ୍ଦିରକୁ ଆସି ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି । ମନ୍ଦିର ବେଢ଼ାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ ଭକ୍ତଙ୍କୁ ସୁରକ୍ଷା ତଥା ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପଦକ୍ଷେପ ନେବାକୁ ସ୍ଥିର ହୋଇଛି । ମନ୍ଦିରରେ ଏକ ପୁଲିସ ଫାଣ୍ଡି ପ୍ରତିÂା କରିବାକୁ ଏବେ ଦାବି ହୋଇଛି । ତେବେ ଏହି ଘଟଣା ପରେ ପୀଠ ପରିସରରେ ପୁଲିସ ମୁତୟନ କରି ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । କିଛି ଦିନ ତଳେ ମଧ୍ୟ ଉଚ୍ଚ ଦକ୍ଷିଣାକୁ ନେଇ ଭକ୍ତଙ୍କ ସହିତ ମାର୍ପିଟ ଓ ଗାଳିଗୁଲଜ ଅଭିଯୋଗ ହୋଇଥିଲା । ପୁଲିସ ବିଟ୍ ହାଉସ୍ ଖୋଲିଥିଲେ ମଧ୍ୟ ଦର୍ଶନାର୍ଥେ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ଉଠିଛି ।
Comments are closed, but trackbacks and pingbacks are open.