ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚି ଯାଇଛି । ସୋମବାର ରାତିରେ ଦୁଇ ଦେଶ ସେନା ଯବାନଙ୍କ ମଧ୍ୟରେ ଗଲୱାନ ଭ୍ୟାଲିରେ ରକ୍ତାକ୍ତ ସଂଘର୍ଷ ପରେ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ଏସବୁ ଭିତରେ ଭାରତ ଭିତରେ ଚାଇନା ବିରୋଧରେ ନିଆଁ ତୀବ୍ର ହେବାରେ ଲାଗିଛି । ସେହିପରି ଲୋକମାନେ ଚାଇନା ଦ୍ରବ୍ୟକୁ ବର୍ଜନ କରିବା ସହ ବେଜିଂକୁ ଏହାର ଜବାବ ଦେବାକୁ ଦାବି କରିଛନ୍ତି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୧ ତାରିଖରେ ଦେଶବାସୀଙ୍କୁ ଚାଇନା ବିବାଦ ସମ୍ପର୍କରେ ଉଦ୍ବୋଧନ କରିବେ । ଏଲ୍ଏସିରେ କ’ଣ ଘଟିଛି ଓ ଭାରତ ଏହାପରେ କ’ଣ ସବୁ ପଦକ୍ଷେପ ନେଉଛି, ସେ ବିଷୟରେ ମୋଦି ଦେଶବାସୀଙ୍କୁ ଜଣାଇବେ । ଏହାପୂର୍ବରୁ ୧୯ ତାରିଖରେ ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ମୋଦି ଚାଇନା ବିବାଦ ସମ୍ପର୍କରେ ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ଭାରତ ସରକାର ଆଗକୁ କ’ଣ ସବୁ ପଦକ୍ଷେପ ନେବାକୁ ଯାଉଛନ୍ତି, ସେ ବିଷୟରେ ମୋଦି ସମସ୍ତଙ୍କୁ ଅବଗତ କରାଇବେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଆଜି ମୋଦି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । କରୋନା ଦ୍ୱାରା ପ୍ରଭାବିତ ଓଡ଼ିଶା ସମେତ ଦିଲ୍ଲୀ , ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଭଳି ରାଜ୍ୟଗୁଡିକ ସହ ମୋଦି ଆଲୋଚନା କରିଛନ୍ତି । ବୈଠକ ପୂର୍ବରୁ ମୋଦି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏଥି ସହ ଛିଡ଼ା ହୋଇ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ । ମୋଦି କହିଛନ୍ତି, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଆମ ପାଇଁ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତ ସର୍ବଦା ଶାନ୍ତି ଚାହେଁ । କିନ୍ତୁ ଭାରତକୁ ଉସକାଇଲେ ଏହାର ଜବାବ ମଧ୍ୟ ନୂଆଦିଲ୍ଲୀ ଦେବାକୁ ପ୍ରସ୍ତୁତ ରହିଛି । ଜବାବ ଦେବାକୁ ଭାରତ ପାଖରେ ଯଥେଷ୍ଟ କ୍ଷମତା ରହିଛି ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.