ଯାଁଳା,(ବି.ବି.ନ୍ୟୁଜ୍): ୧୬ ନମ୍ବର ଜାତୀୟ ରାଜପଥରେ ଲୁଟେରା ଆତଙ୍କ ଖେଳାଇ ଚାଲିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ବାଇକ୍ ପଛରେ ବସି ଯାଉଥିବା ଜଣେ ମହିଳାଙ୍କ ହାତରୁ ଭ୍ୟାନିଟି ଓ ବେକରୁ ସୁନାହାର ଝାମ୍ପି ନେଇଛନ୍ତି । ଫଳରେ ବାଇକ୍ରୁ ଖସି ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଏନେଇ ଯାଁଳା ଫାଣ୍ଡିରେ ଅଭିଯୋଗ ହୋଇଛି । ତେବେ ପୁଲିସ ଲୁଟ୍ର ଶିକାର ଦମ୍ପତିଙ୍କ ବିଷୟରେ କିଛି କହୁନାହିଁ ।
ଘଟଣାରୁ ଜଣାଯାଇଛି, ଆଜି ସନ୍ଧ୍ୟା ୭ଟାବେଳେ ଖୋର୍ଦ୍ଧା ଅଞ୍ଚଳର ଦମ୍ପତି ବାଇକ୍ରେ ଭୁବନେଶ୍ୱରରୁ ଖୋର୍ଦ୍ଧା ଫେରୁଥିଲେ । ସେମାନେ ଯାଁଳା ଦଶହରା ପଡ଼ିଆ ସମ୍ମୁଖରେ ପହଞ୍ଚଥିବା ବେଳେ ପଛପଟୁ ଦୁଇ ଲୁଟେରା ଆସି ହଠାତ୍ ସେମାନଙ୍କୁ ଅଟକାଇଥିଲେ । ଦମ୍ପତି କିଛି ବୁଝିବା ପୂର୍ବରୁ ଜଣେ ମହିଳାଙ୍କ ବେକରୁ ସୁନାହାର ଓ ଅନ୍ୟଜଣେ ତାଙ୍କ ହାତରୁ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇଥିଲେ । ଫଳରେ ଭାରସାମ୍ୟ ହରାଇ ଦମ୍ପତି ବାଇକ୍ ସହ ତଳେ ପଡ଼ି ଯାଇଥିଲେ । ଲୁଟେରା ଦୁଇଜଣ ଖୋର୍ଦ୍ଧା ଆଡ଼େ ଦ୍ରୁତ ଗତିରେ ପଳାଇଥିଲେ । ଖବରପାଇ ଯାଁଳା ଫାଣ୍ଡି ପୁଲିସ ପହଞ୍ଚି ଦମ୍ପତିଙ୍କୁ ନେଇ ଏକ କ୍ଲିନିକ୍ରେ ଚିକିତ୍ସା କରାଇଥିଲା । ଏନେଇ ଦମ୍ପତିଙ୍କ ପକ୍ଷରୁ ଯାଁଳା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ସୁନାହାର ସମେତ ଭ୍ୟାନିଟିରେ ୨୦ ହଜାର ଟଙ୍କା ଓ ଜରୁରି କାଗଜପତ୍ର ଥିବା ସେମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ।
ସୂଚନା ଥାଉକି, ଗତ ୯ ତାରିଖ ରାତିରେ ଜାତୀୟ ରାଜପଥର ଗୋହିରା ଛକ ନିକଟରେ ଯାଁଳାର ଦମ୍ପତିଙ୍କ ଠାରୁ ଭ୍ୟାନିଟି ଲୁଟ୍ ଉଦ୍ୟମ ବେଳେ ବାଇକରୁ ଖସି ପତିପତ୍ନୀ ଗୁରୁତର ଆହତ ହୋଇଥିଲେ । ସେମାନେ ହେଲେ ଯାଁଳାର ଚିନ୍ମୟ ରଞ୍ଜନ ମହାପାତ୍ର ଓ ତାଙ୍କ ପତ୍ନୀ ରୋଜାଲିନ୍ । ତେବେ ରୋଜାଲିନ୍ ଭ୍ୟାନିଟି ଭିଡ଼ି ଧରିବାରୁ ଲୁଟେରାମାନେ ବିଫଳ ହୋଇଥିଲେ । ସେହିପରି ମାସେ ତଳେ ଯାଁଳା ବାଟ ଭୁଆଶୁଣି ମନ୍ଦିର ସମ୍ମୁଖରୁ ଜଣେ ମହିଳାଙ୍କ ଠାରୁ ଲୁଟେରାମାନେ ୨ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ସୁନାହାର ଲୁଟି ନେଇଥିଲେ । ଲୁଟ୍ର ଶିକାର ହୋଇଥିଲେ ପୋଖରୀପୁଟରେ ରହୁଥିବା ଦେଉଳିଆପାଟଣା ଗ୍ରାମର ରତ୍ନାକର ସାହୁଙ୍କ ପତ୍ନୀ ମମତା ସାହୁ । ଆଜି ପର୍ଯ୍ୟନ୍ତ ପୁଲିସ ଉକ୍ତ ଲୁଟ୍ ମାମଲାର ପର୍ଦ୍ଦଫାସ କରିପାରିନାହିଁ ।
Comments are closed, but trackbacks and pingbacks are open.