ତେନ୍ତୁଳିଖୁଣ୍ଟି ,(ବି.ବି.ନୁ୍ୟଜ୍): ଅସହାୟଙ୍କ ପାଇଁ ସରକାର ନାନା ଯୋଜନା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ପ୍ରକୃତ ଲୋକଙ୍କ ପାଖରେ ପହଞ୍ଚିପାରୁନି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳାଭ;ା ପଞ୍ଚାୟତ ଡେଙ୍ଗାଗୁଡା ଗାଁରେ । ଏହାର ଶିକାର ହୋଇଛନ୍ତି ଗାଁର ମୋତି ଜାନୀ(୬୫) । ପର ହାତ ଟେକାରେ ଏବେ ମୋତି ଦିନ କାଟୁଛନ୍ତି ।
ସୂଚନା ଅନୁସାରେ, ମୋତି ଜନ୍ମରୁ ମୁକ । ବୟସ ବଢିବା ସହ ଶୁଣିବା କ୍ଷମତା ବି କମି ଯାଇଛି । ନିଜର ଘର ନାହିଁ କି ପରିବାର ନାହିଁ । କିଛି ଅସୁବିଧା ହେଲେ ପଡୋଶୀ ଲୋକଙ୍କ ସାହାଯ୍ୟ ନେଉଛନ୍ତି । ଏହି ଅସହାୟ ବୃଦ୍ଧାଙ୍କୁ ଆଜିଯାଏ କୌଣସି ପ୍ରକାର ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିନି । କେବଳ ଭଣଜାଙ୍କ କାର୍ଡରେ ନାମ ସଂଯୋଗ କରାଯାଇ ସରକାରୀ ରାସନ ଗଣ୍ଡେ ମିଳୁଛି । ଏହି ବୃଦ୍ଧାଙ୍କୁ ଆଜିଯାଏ ଆବାସ ଖଣ୍ଡେ ମଧ୍ୟ ମିଳିନି ।
ମୋତିଙ୍କ ଭଣଜା ନବ ଜାନୀ କହନ୍ତି, କିଛି ବର୍ଷ ତଳେ ମୋତି ପାଖ ପଡୋଶୀଙ୍କ ଘରଘର ବୁଲି ମାଗୁଥିଲେ । ଯିଏ ଯାହା ଦେଲା ଖାଇ ରହି ଯାଉଥିଲେ । ତାଙ୍କର ଖାଇବା ଓ ରହିବାର କୌଣସି ଠିକ୍ ଠିକଣା ରହୁ ନଥିଲା । ସମ୍ପର୍କରେ ପିଉସୀ ହୋଇଥିବାରୁ ବାଧ୍ୟ ହୋଇ ତାଙ୍କୁ ଘରେ ରଖି ଖାଇବାକୁ ଗଣ୍ଡେ ଲେଖାଏଁ ଦେଉଛି । ମୋର ପରିବାର ବଡ ହୋଇଥିବାରୁ ଘରର ଅଭାବ ରହିଛି । ଫଳରେ ସମସ୍ୟା ଦେଖାଦେଉଛି । ଅନ୍ୟପକ୍ଷରେ, ଏହି ବୃଦ୍ଧାଙ୍କୁ ସରକାରୀ ଆବାସ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଏ ସମ୍ପର୍କରେ ପିଇଓ ଅବା ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରିନି ।


Comments are closed, but trackbacks and pingbacks are open.