ବଲାଙ୍ଗୀର,(ବି.ବି.ନ୍ୟୁଜ୍): ଜମି ଦଲାଲି କରି କୋଟିପତି ହେବାର ସ୍ୱପ୍ନ ଦେଖିବା କନଷ୍ଟେବଳ ଅଞ୍ଜନ ପ୍ରଧାନଙ୍କୁ ମହଙ୍ଗା ପଡ଼ିଛି । ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ଅଭିଯୋଗରେ ଆଜି ଏସପି କେ.ଶିବା ସୁବ୍ରମଣି ସଂପୃକ୍ତ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଳମ୍ବନ କରିଥିବା ଅତିରିକ୍ତ ଏସପି ସୁବାଷ ଜମାଦାର ସୂଚନା ଦେଇଛନ୍ତି । କନଷ୍ଟେବଳ ଅଞ୍ଜନ ଅପରାଧିକ ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ଆସିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବନ କରାଯାଇଛି । ଆଗକୁ ଏକ ବିଭାଗୀୟ ପ୍ରୋସିଡିଂ ମଧ୍ୟ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଏସପି ଶ୍ରୀ ଜମାଦାର କହିଛନ୍ତି । ଗତକାଲି ଗିରଫ ହେବା ପରେ କନଷ୍ଟେବଳ ଅଞ୍ଜନଙ୍କୁ କୋର୍ଟରୁ ଜାମିନ ମିଳିଥିଲା ।
ସ୍ଥାନୀୟ ଗାନ୍ଧୀନଗର ପଡ଼ା ବାସିନ୍ଦା ଭୁବନେଶ୍ୱରୀ ବାଗ୍ଙ୍କ ଜମିକୁ ବିକାଶ ଜୈନ ନାମକ ଜଣେ ବେପାରୀଙ୍କୁ ବିକ୍ରି କରିବା ପାଇଁ କନଷ୍ଟେବଳ ଅଞ୍ଜନ ମଧ୍ୟସ୍ଥତା କରିଥିଲେ । ଯାହାର ବଜାର ମୂଲ୍ୟ ୧କୋଟି ୪୦ଲକ୍ଷ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ମହିଳାଜଣକ ଜମି ବିକ୍ରି କରିବାକୁ ଚାହୁଁ ନଥିବାରୁ ସେମାନେ ଅଡୁଆରେ ପଡ଼ିଥିଲେ । ଯେକୌଣସି ମତେ ଉକ୍ତ ଜମିବିକ୍ରି କରିବା ପାଇଁ ଅଞ୍ଜନ ଉଦ୍ୟମ କରିଥିଲେ । ତେଣୁ ଅଞ୍ଜନ ପୁଲିସ କ୍ଷମତାର ଅପବ୍ୟବହାର କରି ଜୋରଜବରଦସ୍ତି ମହିଳାଙ୍କ ଦୁଇଛୁଆକୁ ପିସିଆରରେ ଥାନାକୁ ନେଇ ଆସିଥିଲେ । ପରେ ମହିଳାଜଣକ ଛୁଆମାନଙ୍କୁ ନେବା ପାଇଁ ଥାନାକୁ ଆସିବା ପରେ ଏକ କାଗଜରେ ସ୍ୱାକ୍ଷର କରିବା ପାଇଁ ଅଞ୍ଜନ ମହିଳାଙ୍କୁ କହିଥିଲେ । କିନ୍ତୁ ସେହି କାଗଜ ତଳେ ଏକ ଷ୍ଟାମ୍ପପେପର ରହିଥିବା ମହିଳା ଜାଣିବାକୁ ପାଇବାରୁ ତାକୁ ଧରି ଦୌଡ଼ିଦୌଡ଼ି ବାହାରକୁ ପଳାଇ ଆସିଥିଲେ । ପରେ ଅଞ୍ଜନ ମହିଳାଙ୍କୁ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବାର ଦୀର୍ଘସମୟ ପରେ ପୁଲିସ କନଷ୍ଟେବଳ ଅଞ୍ଜନକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହାପରେ ସେ କୋର୍ଟରୁ ଜାମିନରେ ଆସିଥିଲେ ।
Comments are closed, but trackbacks and pingbacks are open.