
କଟକ,(ବି.ବି.ନୁ୍ୟଜ): କରୋନାରେ ମୃତକ ରୋଗୀ ଓ ଚିକିତ୍ସା ପାଇଁ ଆସିଥିବା ସାଧାରଣ ରୋଗୀ ଏବେ ଗୋଟିଏ ଜାଗାରେ । ପାଖାପାଖି ହୋଇ ବେଡ୍ ପଡିଛି । ଗୋଟିଏ ବେଡ୍ ଉପରେ କୋଭିଡ୍ ପଜିଟିଭ ରୋଗୀଙ୍କ ମୃତଦେହ ଓ ଅନ୍ୟ ବେଡ୍ ଉପରେ ଚିକିତ୍ସାଧୀନ ରୋଗୀ । ଘଣ୍ଟାଏ କିମ୍ବା ୨ଘଣ୍ଟା ନୁହେଁ ଦୀର୍ଘ ୧୨ଘଣ୍ଟା କାଳ ଜଣେ ସାଧାରଣ ରୋଗୀଙ୍କ ନିକଟରେ କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ ପଡିରହିବା ଭଳି ଅଭାବନୀୟ ଘଟଣା ଏସ୍ସିବି ଅଣ ଟ୍ରମା କାଜୁଆଲ୍ଟିରେ ଦେଖିବାକୁ ମିଳିଛି । ଏହାକୁ ନେଇ ରୋଗୀ, ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମହଲରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ଏଭଳି ଘଟଣା ସଂକ୍ରମଣ ବ୍ୟାପକ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
ସୂଚନାଥାଉକି, ଶୁକ୍ରବାର ସନ୍ଧ୍ୟାରେ ଯାଜପୁର ଜିଲ୍ଲା ଜେନାପୁର ଅଞ୍ଚଳରୁ ଜଣେ ୪୩ ବର୍ଷ ବୟସର ବ୍ୟକ୍ତି କାଜୁଆଲ୍ଟିକୁ ଆସିଥିଲେ । ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ । ଶରୀରରେ ଅମ୍ଳାଜାନ ସ୍ତର ମାତ୍ର ୩୦ ଥିଲା । ମଧୁମେହ ଓ ଅନ୍ୟାନ୍ୟ ରୋଗରେ ସେ ପୀଡ଼ିତ ଥିଲେ । ଆଣ୍ଟିଜେନ୍ ପରୀକ୍ଷା କରିବା ପରେ ରୋଗୀ କୋଭିଡ୍ ପଜିଟିଭ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କୋଭିଡ ୱାର୍ଡକୁ ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା ହୋଇଥିଲା । ମାତ୍ର ରାତି ସାଢେ ୧୧ଟା ପର୍ଯ୍ୟନ୍ତ ତାଙ୍କୁ ସ୍ଥାନାନ୍ତର କରାଯାଇ ପାରିନଥିଲା । ଏହାପରେ ରୋଗୀ ସେହିଠାରେ ମୃତୁ୍ୟବରଣ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରାନ୍ତଙ୍କ ମୃତଦେହକୁ ମଧ୍ୟ କାଜୁଆଲ୍ଟିରୁ ଉଠାଯାଇ ନଥିଲା । ସାରା ରାତି କାଜୁଆଲଟି ବେଡ୍ ଉପରେ ମୃତଦେହ ପଡି ରହିବା ପରେ ମଧ୍ୟ କୋ÷ଣସି ବ୍ୟବସ୍ଥା କରାଯାଇ ନଥିଲା । ଏପରିକି ଶନିବାର ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ମଧ୍ୟ ଶବ ଉଠାଯାଇ ନଥିଲା । କାଜୁଆଲଟିକୁ ଆସୁଥିବା ଲୋକଙ୍କ ପାଖରେ ଏହା କୋଭିଡ ଆକ୍ରାନ୍ତଙ୍କ ମୃତଦେହ ବୋଲି ଜାଣିବାର କୋ÷ଣସି ସୁଯୋଗ ପାଇନଥିଲେ । ଫଳରେ ଅନ୍ୟ ସାଧାରଣ ରୋଗୀ ମଧ୍ୟ ସେହିଠାରେ ଚଳପ୍ରଚଳ ହୋଇଥିଲେ ।
ପ୍ରକାଶଥାଉକି, ମାସକ ତଳୁ ଏସ୍ସିବିରେ କାଜୁଆଲ୍ଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ଟ୍ରମା କାଜୁଆଲଟି ଓ ଅନ୍ୟଟି ଅଣ ଟ୍ରମା କାଜୁଆଲ୍ଟି । ଟ୍ରମା କାଜୁଆଲ୍ଟିକୁ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କ ପାଇଁ ଥିବାବେଳେ ବାକି ରୋଗୀମାନଙ୍କୁ ଅଣଟ୍ରମା କାଜୁଆଲଟିରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ।


Comments are closed, but trackbacks and pingbacks are open.