ପଜିଟିଭ୍ ଆସନ୍ନପ୍ରସବାଙ୍କୁ ମିଳିଲାନି ସହାୟତା

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): କରୋନା ସତେଯେମିତି ଲୁଟିନେଇଛି ମଣିଷପଣିଆକୁ । ପ୍ରସବ ଯନ୍ତ୍ରଣାରେ ଜଣେ ମହିଳା ଛଟପଟ ହେଉଥିବାର ଖବର ପାଇ ମଧ୍ୟ ଆଶାଦିଦି କିମ୍ବା ସ୍ୱାସ୍ଥ୍ୟକର୍ମୀ କେହି ତାଙ୍କ ପାଖରେ ପହଞ୍ଚି ନଥିଲେ । ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲେ ମଧ୍ୟ ଏହା ପହଞ୍ଚିନଥିଲା । ମହିଳା ଜଣକ ପଜିଟିଭ୍ ହୋଇଥିବା ହେତୁ ପଡୋଶୀ ବି କେହି ସହାୟତାର ହାତ ବଢାଇନଥିଲେ । ଯନ୍ତ୍ରଣା ଭୋଗି ବିପଜ୍ଜନକ ଭାବେ ଘରେ ସନ୍ତାନ ଜନ୍ମ କରିଥିଲେ ସଂପୃକ୍ତ ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ର ଉପାନ୍ତ ଅଞ୍ଚଳ ଖରିନାସୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ପ୍ରସବ ପରେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ଉକ୍ତ ମହିଳା ଓ ନବଜାତ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହୋଇନାହିଁ । କେହି ନ ଆସିବାରୁ ଶେଷରେ ମହିଳାଙ୍କ ଶାଶୂ ବାଧ୍ୟ ହୋଇ ତାଙ୍କର ପ୍ରସବ କରାଇଥିଲେ । ତେବେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି । ମହିଳାଙ୍କ ସ୍ୱାମୀ ମହାକାଳପଡ଼ା ବିଡିଓ, କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଓ ଶେଷରେ ରାଜ୍ୟ ମାନବିକ ଅଧିକାର କମିସନ୍ (ଓଏଚ୍ଆରସି)ଙ୍କୁ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଶିଶୁ ଓ ମାତୃ ମୃତୁ୍ୟହାର କମାଇବା ପାଇଁ ସରକାର ଡାକ୍ତରଖାନାରେ ପ୍ରସବ କରାଯିବା ନେଇ ଉଭୟ ଆଶା ଓ ଗର୍ଭବତୀ ମହିଳାଙ୍କୁ ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରିଥିବା ବେଳେ ଏହା କାହା ପାଇଁ ବୋଲି ସେ ନିଜ ଆବେଦନରେ ପ୍ରଶ୍ନ କରିଛନ୍ତି ।
ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଖରନାସୀ ଗ୍ରାମର ମଳୟ ରାୟଙ୍କ ପତ୍ନୀ ସବିତା ଗର୍ଭବତୀ ଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିୟମିତ ରାମନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମହାକାଳପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ସବିତାଙ୍କ ରିପୋର୍ଟ କରୋନା ପଜିଟିଭ୍ ବାହାରିଛି ବୋଲି ଆଶାଦିଦି ଆସି ଘରେ କହିଥିଲେ । ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଘରେ ପହଞ୍ଚି ଗୃହ ସଙ୍ଗରୋଧରେ ରହିବାର ନିୟମ ବୁଝାଇଥିଲେ । ମାସ୍କ, ସାନିଟାଇଜର ସହ ଅନ୍ୟାନ୍ୟ ସାମଗ୍ରୀ ଦେଇଥିଲେ । ସାହି ପଡ଼ିଶା ଏ ବାବଦରେ ଜାଣିବା ପରେ ଅଚିହ୍ନା, ଅପରିଚିତ ଭଳି ଦୂରେଇ ରହିଥିଲେ । ସବିତା ଓ ତାଙ୍କ ଗର୍ଭସ୍ଥ ଶିଶୁ ବାବଦରେ କେହି କିଛି ବୁଝିବାକୁ ଚେଷ୍ଟା କରିନଥିଲେ । ଆଶାକର୍ମୀ ମଧ୍ୟ ଏ ବାବଦରେ ଭଲ ଭାବେ ଅବଗତ ଥିଲେ । ମେ ମାସ ୧୩ ତାରିଖରେ ସବିତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା ଦେଖି ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ । ସବିତା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଘରୁ ବାହାରିବାର ସୁଯୋଗ ନଥିଲା । ଏଣେ ୧୦୮, ୧୦୨ ଓ ୧୦୪କୁ ଫୋନ୍ କରି ମଳୟ ଡାକିଥିଲେ ମଧ୍ୟ କେହି ଆସିନଥିଲେ । ଆଶାକର୍ମୀ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି ସେମାନେ କେହି ଆସିନଥିଲେ । ଶେଷରେ ଘରେ ସବିତା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ତାଙ୍କ ଶାଶୂ ପ୍ରସବ କରାଇଥିଲେ । ପ୍ରସବ ପରେ ମଧ୍ୟ କରୋନା କଟକଣା ପାଇଁ ନବଜାତ ଶିଶୁ ଓ ମା’ କୌଣସି ପ୍ରକାର ଚିକିତ୍ସା ପାଇପାରି ନାହାନ୍ତି । ଏପରିକି ବାତ୍ୟା ସମୟରେ ମଧ୍ୟ ଉଭୟ ମା’ ଓ ନବଜାତ ଶିଶୁଙ୍କୁ ନିରାପଦ ସ୍ଥାନକୁ ପ୍ରଶାସନ ନେଇନଥିଲା ବୋଲି ସବିତାଙ୍କ ସ୍ୱାମୀ ମଳୟ ଅଭିଯୋଗ କରିଛନ୍ତି । କୋଭିଡ୍ ପରିଚାଳନାରେ ଥିବା ଜିଲ୍ଲା ନୋଡାଲ ଅଫିସର ଏଡିଏମ୍ଓ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କୁ ଅଭିଯୋଗ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ଏ ବାବଦରେ ମୁଁ ଖବର ପାଇଛି । ଘଟଣାର ତଦନ୍ତ ପରେ ଏଥିପାଇଁ ଦାୟୀ କର୍ମଚାରୀ, ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons