ତିହିଡି, (ବି.ବି.ନୁ୍ୟଜ): ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିÂ ନେତା ବିଜୟଶ୍ରୀ ରାଉତରାୟ( ବାବୁଲି ବାବୁ)ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବୁଧବାର ସନ୍ଧ୍ୟା ସାଢେ଼ ୫ଟାବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କୋଭିଡ୍ରୁ ମୁକ୍ତ ହେବା ପରେ ବି ଜଟିଳ ରୋଗ (କୋମର୍ବିଡିଜ୍)ରେ ପୀଡ଼ିତ ଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।
ଏହି ଦୁଃଖଦ ଖବରରେ ରାଜଧାନୀରୁ ତାଙ୍କ ପୈତୃକ ମାଟି ଭଦ୍ରକର ତିହିଡ଼ି ପର୍ଯ୍ୟନ୍ତ ଶୋକର ଛାୟା ଖେଳିଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ରାଉତରାୟଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ । ରାଜ୍ୟ ରାଜନୀତିରେ ସେ ଥିଲେ ଜଣେ ସ୍ପଷ୍ଟବାଦୀ, ସରଳ ଓ ମେଳାପି ବ୍ୟକ୍ତିତ୍ୱ । ତାଙ୍କ ମୃତୁ୍ୟ ଖବର ପହଞ୍ଚିବା ପରେ ଭଦ୍ରକର ବାସୁଦେବପୁର ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।
ଶ୍ରୀ ରାଉତରାୟଙ୍କ ବିୟୋଗରେ ବାହୁନି ହେଉଛି ତାଙ୍କ ଜନ୍ମଭୂମି । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସୁପୁତ୍ର ବିଜୟଶ୍ରୀ ୧୯୫୩ ମସିହା ଜୁଲାଇ ୨୮ତାରିଖରେ ଜନ୍ମଗ୍ରହଣ କରିଥିଲେ । ତିହିଡି ବଜାରଠାରୁ ମାତ୍ର ଦେଢ଼ କିଲୋମିଟର ଦୂର ମୁକୁନ୍ଦପୁର ଗାଁରେ ତାଙ୍କ ପୈତୃକ ଘର । ଏହି ଗାଁର ମଧ୍ୟ ଭାଗରେ ଜମିଦାର ପରିବାରରେ ସ୍ୱର୍ଗତ ରାଉତରାୟଙ୍କ ଜନ୍ମ । ସଂଗ୍ରାମୀ ଭାବେ ଭାରତୀୟ ମୁକ୍ତି ସଂଗ୍ରାମରେ ଯୋଗ ଦେଇଥିଲେ ବାପା ନୀଳମଣି ରାଉତରାୟ ପରେ ରାଜନୀତିକୁ ଆସି ଓଡିଶାର ମୁଖ୍ୟମନ୍ତ୍ରୀ ହେଲେ । ବିଜୟଶ୍ରୀ ମେଧାବୀ ଛାତ୍ର ଥିଲେ । ଭୂଗୋଳରେ ଏମ୍ଏ କରି ଗୋଲ୍ଡ ମେଡାଲ ପାଇଥିଲେ । ପାଠପଢ଼ା ପରେ ପ୍ରଥମେ ସେ ରେଭେନ୍ସା କଲେଜରେ ଅଧ୍ୟାପକ ଥିଲେ । ପରେ ଅଧ୍ୟାପନା ଛାଡ଼ି ୧୯୮୦ରେ ରାଜନୀତିରେ ସାମିଲ ହୋଇଥିଲେ । ୧୯୮୦ରେ ଜନତା ଦଳରୁ ପୁଅ ବିଜୟଶ୍ରୀଙ୍କୁ ଟିକେଟ ଦେଇ ନୀଳମଣି ବାସୁଦେବପୁର ଆସନରୁ ଛିଡ଼ା କରାଇଲେ ହେଲେ କଂଗ୍ରେସର ଦବଦବା ଯୋଗୁଁ ଜଗବନ୍ଧୁ ଦାସଙ୍କ ଠାରୁ ବିଜୟଶ୍ରୀ ହାରିଗଲେ । ପୁଣି ୧୯୮୫ରେ ଦ୍ୱିତୀୟ ଥର ବିଜୟଶ୍ରୀ ଏହି ଆସନରୁ ଲଢ଼ିଲେ । ହେଲେ କଂଗ୍ରେସ ପ୍ରାର୍ଥୀ ମଧୁସୂଦନ ପାଣିଗ୍ରାହୀଙ୍କ ଠାରୁ ମଧ୍ୟ ହାରିଗଲେ । ହେଲେ ୧୯୯୦ ପରେ ଆଉ ପଛକୁ ଫେରି ନାହାନ୍ତି । ୧୯୯୦ ଓ ୧୯୯୫ ମସିହାରେ ସେ ବାସୁଦେବପୁର ଆସନରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ବିଜୁବାବୁଙ୍କ ପରଲୋକ ପରେ ୧୯୯୭ରୁ ହିଁ ସେ ବିଜେଡି ପରିବାରର ପ୍ରମୁଖ ସଦସ୍ୟ ହୋଇ ରହିଥିଲେ । ୨୦୦୦, ୨୦୦୪, ୨୦୦୯, ୨୦୧୯ ନିର୍ବାଚନରେ ସେ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ଏହି ଅପରାଜେୟ ନେତା ନବୀନଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀ କାଳରେ ହିଁ ପ୍ରଥମ କରି ମନ୍ତ୍ରୀ ହୋଇଥିଲେ । ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ସେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ଥିଲେ ଜଙ୍ଗଲ ମନ୍ତ୍ରୀ । ୨୦୦୪-୨୦୦୬ ପର୍ଯ୍ୟନ୍ତ ଦୁଇ ବର୍ଷ କାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ । ପରବର୍ତ୍ତୀ ସମୟରେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ରହିଥିଲେ ବିଜୟଶ୍ରୀ । ଏହାସହ ଶ୍ରମ ମନ୍ତ୍ରୀ ବି ରହିଥିଲେ । ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ରହିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ପରେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସେ ପୁନର୍ବାର ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ଭିତରେ ଜଙ୍ଗଲ ଓ ପରିବେଶ ବିଭାଗରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ୨୦୧୯ରେ ବିଜୟଶ୍ରୀ ଆଉ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ପରେ ପୁଅ ବିଷ୍ଣୁବ୍ରତ ବିଜେଡି ଟିକେଟରେ ସେହି ବାସୁଦେବପୁର ଆସନରୁ ଲଢ଼ି ବିଧାୟକ ହୋଇଛନ୍ତି ।
ନିର୍ବାଚନ ରାଜନୀତିରୁ ଦୂରେଇ ଯାଇଥିଲେ ବି ବିଜୟଶ୍ରୀ ବିଜେଡିର ଜଣେ ପ୍ରମୁଖ ନେତା ଥିଲେ । ଭଦ୍ରକ ରାଜନୀତିରେ ତାଙ୍କର ବେଶ୍ ପ୍ରଭାବ ରହିଥିଲା । ଜଣେ ସ୍ପଷ୍ଟବାଦୀ ଓ ମେଳାପି ନେତା ଭାବେ ସେ ପରିଚିତ ଥିଲେ । ସ୍ୱର୍ଗତ ରାଉତରାୟଙ୍କ ପରିବାରରେ ତାଙ୍କ ପତ୍ନୀ କମଳିନୀ, ବଡ଼ ପୁଅ ଦୁର୍ଗାବତ୍ର, ସାନ ପୁଅ ବିଷ୍ଣୁବ୍ରତ (ବାସୁଦେବପୁର ବିଧାୟକ) ଅଛନ୍ତି । ହସ୍ପିଟାଲରୁ ତାଙ୍କ ମୃତଦେହ ଭୁବନେଶ୍ୱରସ୍ଥିତ ବାସଭବନକୁ ନିଆଯାଇଛି । ଗୁରୁବାର ଗାଁ ଶ୍ମଶାନରେ ହିଁ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.