ଚାଓମିନ୍ ଫ୍ୟାକ୍ଟ୍ରିରେ ବାଳ ଶ୍ରମିକୁ ନିସ୍ତୁକ ମାଡ଼

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରବିବାର ରାତିରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ବୋତଣ୍ଡାରେ ଥିବା ଏକ ଚାଓମିନ୍ ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ ନାବାଳକକୁ ନିସ୍ତୁକ ମାଡ଼ ମରାଯାଇଛି । ଖବରପାଇ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ପହଞ୍ଚି ନାବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା କରାଇବା ପରେ ଏୟାଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି କରି ଚାଓମିନ ଫ୍ୟାକ୍ଟ୍ରିରେ ଚଢ଼ଉ କରିଛି । ମାଡ଼ ମାରିଥିବା ଫ୍ୟାକ୍ଟ୍ରିର ହେଡ୍ ମିସ୍ତ୍ରୀ ରାହୁଲ କୁମାରକୁ ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖିଛି ପଚରାଉଚରା ଚଳାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ୧୨ ବର୍ଷର ନାବାଳକ ଜଣଙ୍କ ବୋତଣ୍ଡାରେ ଥିବା ଚାଓମିନ ଫ୍ୟାକ୍ଟ୍ରିରେ ଦୀର୍ଘଦିନ ହେବ ଶ୍ରମିକ ଭାବେ କାମ କରୁଥିଲେ । ଆଜି ରାତିରେ ଫ୍ୟାକ୍ଟ୍ରିର ହେଡ୍ ମିସ୍ତ୍ରୀ ରାହୁଲ୍ ତାଙ୍କୁ ଏକ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ଡ. ବେଣୁଧର ସେନାପତି ସହକର୍ମୀଙ୍କ ସହ ଫ୍ୟାକ୍ଟ୍ରିରେ ପହଞ୍ଚି ବାଳ ଶ୍ରମିକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା କରାଇବା ପରେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ବାଳ ଶ୍ରମିକ ଜଣଙ୍କୁ ଧରି ଚାଓମିନ ଫ୍ୟାକ୍ଟ୍ରିରେ ଚଢ଼ଉ କରି ଅଭିଯୁକ୍ତ ରାହୁଲକୁ ଉଠାଇ ଆଣିଛି । ଏନେଇ ତାଙ୍କୁ ପୁଲିସ ପଚରାଉଚରା ଚଳାଇଛି । ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।
ଡ. ସେନାପତିଙ୍କ କହିବା ଅନୁଯାୟୀ, ଶିଶୁ ଚାଲାଣକାରୀମାନେ ବାହାର ରାଜ୍ୟରୁ ଶିଶୁମାନଙ୍କୁ ଆଣି ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ଥିବା ପାଉଁରୁଟି ଫ୍ୟାକ୍ଟ୍ରି, ଚାଓମିନ ଫ୍ୟାକ୍ଟ୍ରି ମାନଙ୍କୁ ଯେଗାଇ ଦେଉଛନ୍ତି । ଏ ବାବଦରେ ସେମାନେ ପ୍ରଚୁର ଟଙ୍କା ରୋଜଗାର କରୁଛନ୍ତି । ୧୪ ବର୍ଷରୁ କମ୍ ବୟସର ପିଲାଙ୍କୁ ଶ୍ରମିକ ଭାବେ ନିୟୋଜିତ କରିବା ଧର୍ତ୍ତବ୍ୟ ଅପରାଧ । ସେମାନଙ୍କ ବିରୋଧରେ କଡ଼ା ଆଇନ୍ ରହିଛି । ସେକ୍ସନ୍ -୭୯ ଜେଜେ ଆକ୍ଟ ସମେତ ଶିଶୁ ଶ୍ରମିକ ନିରୋଧ ଆଇନ୍-୨୦୧୬ ଅନୁସାରେ ୫ ବର୍ଷ ଜେଲ୍ ସାଙ୍ଗକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟର ନିୟମ ରହିଛି । କିନ୍ତୁ ଅଧିକାଂଶ ଫ୍ୟାକ୍ଟ୍ରି ମାଲିକମାନେ ଶିଶୁ ଶ୍ରମିକମାନଙ୍କୁ କାମରେ ଲଗାଉଛନ୍ତି । ଆଜି ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକ ବିଷୟରେ ସିଡବ୍ଲ୍ୟୁସି ଓ ଡିସିପିଓଙ୍କୁ ଅବଗତ କରାଯାଇଛି । ଆସନ୍ତାକାଲି ଉଦ୍ଧାର ଶିଶୁକୁ ସିଡବ୍ଲ୍ୟୁସିରେ ହାଜର କରାଯିବା ପରେ ରୁଚିକା ଚାଇଲ୍ଡ ଲାଇନ୍ରେ ଛଡ଼ାଯିବ ବୋଲି ଡ.ସେନାପତି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons