କଟକ,(ବି.ବି.ନ୍ୟୁଜ୍): କଟକ ସହରରେ ଏବେ ଜଣେ ଅଜଣା ହତ୍ୟାକାରୀ (କିଲର୍)ମାତିଛି । ଦୁଇ ଦିନ ଭିତରେ ସହରରେ ତିନିଜଣଙ୍କ ତଣ୍ଟି କାଟି ହତ୍ୟା କଲାଣି ଏହି ଦୁର୍ବୃତ୍ତ । ବିଶେଷ କରି ଫୁଟପାଥରେ ଶୋଉଥିବା ଦିନ ମଜୁରିଆ, ଶ୍ରମିକଙ୍କୁ ଟାର୍ଗେଟ୍ କରାଯାଉଛି । ଗତକାଲି ଜଣେ ଶ୍ରମିକଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା ବେଳେ ଆଜି ଦୁଇ ଜଣଙ୍କୁ ସମାନ ଢଙ୍ଗରେ ତଣ୍ଟି କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ୨୪ ଘଣ୍ଟା ବ୍ୟବଧାନରେ ତିନିଟି ହତ୍ୟାକାଣ୍ଡ କଟକ ସହରରେ ଆଲୋଡନ ସୃଷ୍ଟି କରିଛି ।
ମଙ୍ଗଳବାର ସକାଳୁ ରାଣୀହାଟ ଅଞ୍ଚଳରେ ଜଣେ ଦିନ ମଜୁରିଆଙ୍କ ତଣ୍ଟି କଟା ମୃତ ଦେହ ଜବତ କରାଯାଇଥିଲା । ଆଜି ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା ଓଏମ୍ପି ଫ୍ଲାଏ ଓଭର ବ୍ରିଜ୍ ନିକଟସ୍ଥ ପାର୍କ ସାମ୍ନାରେ ଜଣେ ବ୍ୟକ୍ତିଙ୍କୁ ଓ ଏସ୍ସିବି ଡାକ୍ତରଖାନା ପାଖରେ ଆଉଜଣେ ବ୍ୟକ୍ତିଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ଉଭୟ ମୃତକଙ୍କ ପରିଚୟ ଏଯାଏ ମିଳିପାରିନାହିଁ ।
ଖବରରୁ ପ୍ରକାଶ, ଆଜି ଭୋର୍ ହେବା ୪ଟା ସମୟରେ କେହି ଜଣେ ଅଜଣା ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏସ୍ସିବି କାର୍ଡିଓଲୋଜି ବିଭାଗ ସାମ୍ନା ରାସ୍ତାରେ ଛଟପଟ ହେଉଥିବା ଦେଖାଯାଇଥିଲା । କେହି ଜଣେ ଏହା ଦେଖି ଏସ୍ସିବି ଫାଣ୍ଡି ପୁଲିସକୁ ଖବର ଦେଇଥିଲେ । ମାତ୍ର ପୁଲିସ୍ ଆସିବା ବିଳମ୍ବ ହେବାରୁ କେତେକ ରୋଗୀ ସମ୍ପର୍କୀୟ ଓ ନିକଟସ୍ଥ ବ୍ୟବସାୟୀ ଗୁରୁତର ଥିବା ବ୍ୟକ୍ତିଙ୍କୁ ଉଠାଇ ଡାକ୍ତରଖାନାରେ ଚାଲିଥିବା ବ୍ୟାଟେରୀ ଆମ୍ବୁଲାନ୍ସରେ ତାଙ୍କୁ ଆଶୁଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ । ତାଙ୍କ ତଣ୍ଟି କାଟାଯାଇଥିଲା । ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଯାଇଥିବାରୁ ତାଙ୍କ ଅବସ୍ଥା ଅତି ଗୁରୁତର ହୋଇପଡିଥିଲା । ଚିକିତ୍ସା ପାଇଁ ଆଇସିୟୁର ଆବଶ୍ୟକ ରହିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସହଜରେ ଆଇସିୟୁ ମିଳିନଥିଲା । ଚିକିତ୍ସା ପାଇବାର ଅଳ୍ପ ସମୟ ମଧ୍ୟରେ ସଂପୃକ୍ତ ବ୍ୟକ୍ତି ଡାକ୍ତରଖାନାରେ ଆଖିବୁଜିଥିଲେ । ସେହିପରି ଓଏମ୍ପି ଫ୍ଲାଏ ଓଭରବ୍ରିଜ୍ ଗଡ଼ା ନିକଟ ପାର୍କ ନିକଟରେ ଆଉ ଜଣେ ଯୁବକଙ୍କୁ କେହି ତଣ୍ଟି କାଟି ହତ୍ୟା କରି ଫିଙ୍ଗି ପଳାଇଥିବା ଦେଖିବାକୁ ମିଳିଥିଲା ।ଏହି ହତ୍ୟାକାଣ୍ଡ ଚାଉଳିଆଗଞ୍ଜ ଥାନାଠାରୁ ମାତ୍ର କେଇ ହାତ ଦୂରରେ ଘଟିଛି । ଯୁବକଙ୍କ ତଣ୍ଟି କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ୍ ସାଇଣ୍ଟିଫିକ୍ ଟିମ୍କୁ ଡକାଇ ଘଟଣାସ୍ଥଳରୁ ମୃତଦେହକୁ ଜବତ କରିଛି । ଅନ୍ୟପକ୍ଷରେ ପୁଲିସ କମିସନର ସତ୍ୟଜିତ୍ ମହାନ୍ତି, କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ କମିସନରେଟ୍ ପୁଲିସ୍ର ଅନ୍ୟ ଅଧିକାରୀମାନେ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଚଳାଇଛନ୍ତି । ଦୁଇଟି ଯାକ ହତ୍ୟାକାଣ୍ଡରେ ମୃତକଙ୍କର ପରିଚୟ କିମ୍ବା ଠିକଣା ସଠିକ୍ ଭାବେ ଜଣାପଡିନାହିଁ । ସୋମବାର ରାତିରେ ମଧ୍ୟ ରାଣୀହାଟ କେନାଲ୍ ରୋଡ଼ରେ ମଧ୍ୟ ଜଣେ ଶ୍ରମିକଙ୍କ ତଣ୍ଟି କାଟି ଦୁର୍ବୃତ୍ତ ମୁଣ୍ଡ ଗଡ଼ାଇ ପଳାଇଥିଲେ । ସମାନଭାବେ ଗତକାଲି ତଥା ମଙ୍ଗଳବାର ରାତିରେ ମଧ୍ୟ ଦୁଇ ଜଣଙ୍କର ତଣ୍ଟି କାଟି ହତ୍ୟା କରିଥିଲେ । ସମାନ ଶେଳୀରେ ୩ ଜଣଙ୍କୁ ହତ୍ୟାକରାଯାଇଥିବାରୁ ନିର୍ଦ୍ଦିଷ୍ଟ ଭାବେ କେହି ଜଣେ ଏପରି କାଣ୍ଡ ଘଟାଉଥିବା ଅନୁମାନ କରାଯାଉଛି । ମାତ୍ର ୩ଟି ଯାକ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ଏଯାଏ ରହସ୍ୟ ଭେଦ କରିପାରିନାହିଁ ।
Comments are closed, but trackbacks and pingbacks are open.