ବ୍ରହ୍ମବରଦା,(ବି.ବି.ନ୍ୟୁଜ୍): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଓଦା ପଞ୍ଚାୟତ ମାଝିପାଟଣା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । କୂଅରେ ଖସି ପଡ଼ିଥିବା ଏକ ବିଲେଇକୁ ଉଦ୍ଧାର କରିବାକୁ କୂଅ ଭିତରକୁ ପଶିଥିବା ଜନୈକ ଯୁବକଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ମୃତ ଯୁବକ ଧର୍ମଶାଳା ବ୍ଲକ୍ ନରସିଂହପୁର ପଞ୍ଚାୟତ ଅଲଣିସାହୁପାଟଣା ଗ୍ରାମର କୈଳାସ ମଳିକଙ୍କ ପୁଅ ଦିନବନ୍ଧୁ(୪୨) ।
ଆଜି ସକାଳ ପ୍ରାୟ ୬ଟା ସମୟରେ ମାଝିପାଟଣା ଗ୍ରାମର ପିତାମ୍ବର ନାୟକଙ୍କ କୂଅରେ ଏକ ବିଲେଇ ଖସି ପଡ଼ିଥିଲା । ବିଲେଇଟି କୂଅ ଭିତରେ ଛଟପଟ ହେଉଥିବା ବେଳେ ତାକୁ ଉଦ୍ଧାର କରିବା ପାଇଁ ଅଲଣିସାହୁପାଟଣା ଗ୍ରାମର ଦିନବନ୍ଧୁଙ୍କ ସହଯୋଗ ଲୋଡ଼ିଥିଲେ ପିତାମ୍ବର । ଦୀର୍ଘ ସାଢ଼େ ୪ଘଣ୍ଟା ଧରି ବିଲେଇଟି ଜୀବନ ସଂଗ୍ରାମ ଜାରି ରଖିଥିବା ବେଳେ ଦିନବନ୍ଧୁ ସାଢ଼େ ୧୦ଟା ବେଳେ ପହଞ୍ôଚ ବିଲେଇକୁ ଉଦ୍ଧାର କରିବା ପାଇଁ କୂଅ ଭିତରକୁ ପଶିଥିଲେ । ମାତ୍ର କୂଅ ଭିତରେ ଅମ୍ଳଜାନ ଅଭାବ ଥିବାରୁ ସେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ । ଫଳରେ ସେ ଉପରକୁ ଉଠିବାକୁ ଚେଷ୍ଟା କରୁଥିବା ବେଳେ ପାଣିରେ ଖସି ପଡ଼ି ବୁଡ଼ି ଯାଇଥିଲେ । କୂଅରେ ୧୦ ଫୁଟ୍ରୁ ଅଧିକ ପାଣି ଥିଲା । ଦିନବନ୍ଧୁ ୨ଘଣ୍ଟା ପର୍ଯ୍ୟନ୍ତ ବାହାରକୁ ନଆସିବାରୁ ପିତାମ୍ବର ସନ୍ଦେହରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଦିନବନ୍ଧୁଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଦିନବନ୍ଧୁଙ୍କର ମୃତ୍ୟୁ ହୋଇ ସାରିଥିଲା । ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ରଥ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏ ନେଇ ଧର୍ମଶାଳା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ମୃତ ଦିନବନ୍ଧୁଙ୍କ ପତ୍ନୀ ରାତି ୯ଟା ସମୟରେ ଧର୍ମଶାଳା ଥାନାରେ ପହଞ୍ଚି ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ଦିନବନ୍ଧୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପିତାମ୍ବର ଓ ତାଙ୍କ ପୁଅ ପହଞ୍ôଚ କୂଅରୁ ବିଲେଇ ଉଦ୍ଧାର କରିବାକୁ କହି ଡାକି ନେଇଥିଲେ । କୂଅ ଭିତରେ ଦିନବନ୍ଧୁ ଶ୍ୱାସରୁଦ୍ଧ ହୋଇଯାଇଥିବା ପିତାମ୍ବର ଓ ତାଙ୍କ ପରିବାର ଲୋକ କିପରି ଜାଣିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଦିନବନ୍ଧୁ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ୫ବର୍ଷର ଦୁଇଟି ଜାଆଁଳା ଝିଅ ଓ ୫ମାସର ଝିଅ ଅଛନ୍ତି । ଏହି ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.