ବାଲେଶ୍ୱର,(ବି.ବି.ନୁ୍ୟଜ): ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି । ବିଦେଶୀ ଗୁପ୍ତଚର ସଂସ୍ଥାକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଅଟକ ୪ ଜଣ ଯୁବକଙ୍କୁ ବୁଧବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବକମାନେ ହେଲେ ଚାନ୍ଦିପୁର ଥାନା ଅନ୍ତର୍ଗତ ଝାମ୍ପୁରା ହାଟ ଅଞ୍ଚଳର ବସନ୍ତ ବେହେରା(୫୨), ଶ୍ରୀକୋଣା ଅଞ୍ଚଳର ସେକ୍ ମୁସାଫିର୍(୩୨), ପାଳସିଆ ଅଞ୍ଚଳର ତାପସ ରଞ୍ଜନ ନାୟକ(୪୧), ସଦର ଥାନା ଅନ୍ତର୍ଗତ ବୁଅାଁଳ ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରୀ(୫୨) । ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଡିଜି ଅଭୟ କ୍ରାଇମ୍ବ୍ରାଞ୍ଚ୍କୁ ତଦନ୍ତଭାର ଦେଇଛନ୍ତି । ଡିଜିଙ୍କ ନିଦେ୍ର୍ଧଶ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁଲିସ୍ଠାରୁ ସବୁ ତଥ୍ୟ ହାତକୁ ଆଣିବା ପରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଯିବ ବୋଲି କ୍ରାଇମ୍ବ୍ରାଞ୍ଚ୍ର ଜଣେ ବରିÂ ଅଧିକାରୀ କହିଛନ୍ତି । ଖୋଳତାଡ଼ ହେଲେ ଆହୁରି କେତେକ କର୍ମଚାରୀ ତଦନ୍ତ ପରିସରକୁ ଆସିବେ ବୋଲି ପୁଲିସ ସନେ୍ଦହ ପ୍ରକାଶ କରିଛି ।
ଗିରଫ ସମସ୍ତ ବ୍ୟକ୍ତି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଡିଆର୍ଡିଓରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ବସନ୍ତ ଓ ମୁସାଫିର ଆଇଟିଆର ଏସି ଅପରେଟର ଭାବେ କାର୍ଯ୍ୟକରୁଥିବା ବେଳେ ହେମନ୍ତ ଡିଜି ଅପରେଟର, ଭାବେ କାମ କରୁଥିଲେ । ତାପସ ଆଇଟିଆର ମୁଖ୍ୟ ଫାଟକ ନିକଟରେ ନିଯୁକ୍ତି ପାଇଥିଲେ । ପୂର୍ବରୁ ଅଟକ ରଖାଯାଇଥିବା ଚାନ୍ଦିପୁର ଅଞ୍ଚଳର ଟୁଲୁ ଓରଫ ପ୍ରକାଶ ବେହେରାଙ୍କୁ ପିଆର ବଣ୍ଡରେ ଛାଡ଼ି ଦିଆଯାଇଛି । ଗୁପ୍ତ ତଥ୍ୟ ଦେବା ଘଟଣାରେ ସେ ସଂପୃକ୍ତ ନଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିବା ତଦନ୍ତକାରୀ ଟିମ୍ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ୨ ଜଣଙ୍କୁ ପୁଲିସ ଆଜି ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି । ତଦନ୍ତ ଚାଲିଥିବାରୁ ସେମାନଙ୍କ ପରିଚୟ ପୁଲିସ ପ୍ରକାଶ କରିନାହିଁ ।
ଅନ୍ୟପକ୍ଷରେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ଅଧିକାରୀ ପ୍ରଶାନ୍ତ କୁମାର ବିଷୋୟୀଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ଚିଛନ୍ତି । ଚାନ୍ଦିପୁର ଥାନାରୁ କ୍ଷେପଣାସ୍ତ୍ର ଘାଟିର ଗୋପନୀୟ ତଥ୍ୟ ଚୋରି ମାମଲାର ତଦନ୍ତ ଦାୟିତ୍ୱ ନେଇଛନ୍ତି । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନଙ୍କ କଲ୍ ରେକର୍ଡ ବିଶ୍ଳେଷଣ କରାଯିବ । ସେଥିପାଇଁ କ୍ରାଇମବ୍ରାଞ୍ଚର ଦୁଇ ଜଣ ସାଇବର ଇନ୍ସପେକ୍ଟରଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି । ପ୍ରତିରକ୍ଷା ବିଭାଗର ଅତ୍ୟନ୍ତ ଗୋପନୀୟ ତଥ୍ୟ ପାକିସ୍ତାନ ଏଜେଣ୍ଟକୁ ଦେବା ପଛରେ ସଂସ୍ଥାର ଆଉ କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ସେ ବାବଦରେ ତଦନ୍ତକାରୀ ଟିମ୍ ଛାନ୍ଭିନ୍ କରିବ । ଅଭିଯୁକ୍ତ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ୍, ଆର୍ଥିକ କାରବାର ଦିଗ ଉପରେ ବି କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି ।
ସୂଚନା ଥାଉକି,ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଚୋରି ହେଉଥିବା ଖବର ରାଜ୍ୟ ଗୃହ ମନ୍ତ୍ରଣାଳୟକୁ କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ସୂଚନା ଦେଇଥିଲା । ଏଥିପାଇଁ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଥିଲା । ଏଥିରେ ୬ ଜଣ ଆଇଆଇସି, ୬ ଜଣ ଡିଏସ୍ପି ରହିଥିଲେ । ସୋମବାର ବିଳମ୍ବିତ ରାତିରେ ଏହି ସ୍କ୍ୱାଡ୍ ଡିଆର୍ଡିଓରେ କାର୍ଯ୍ୟରତ କିଛି କର୍ମଚାରୀଙ୍କୁ ଉଠାଇ ଆଣିଥିଲା । ଏମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା (ଆଇଏସଆଇ)କୁ ପ୍ରତିରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିବା ପ୍ରମାଣ ମିଳିବା ପରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ବୁଧବାର ଅଭିଯୁକ୍ତଙ୍କୁ ଏସ୍ଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏହି ଘଟଣାରେ ଚାନ୍ଦିପୁର ଥାନାରେ କେସ ନଂ. ୭୬/୨୧ରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ୟୁ/ଏସ୍ ୧୨୦-ବି/୧୨୧-ଏ/୩୪ ଆଇପିସି, ଆର/ଡବ୍ଲୁ୍ୟ ଧାରା ୩,୪,୫ ଲାଗୁ ହୋଇଛି ।
ଏକ ଅସମର୍ଥିତ ସୂଚନା ଅନୁଯାୟୀ, ପୁଲିସ ଏହି ଘଟଣାରେ ଆଉ ୨ ଜଣକୁ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କ ମଧ୍ୟରୁ ଜଣେ ଡିଆର୍ଡିଓର ସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣେ ଠିକା କର୍ମଚାରୀ । ସ୍ଥାୟୀ କର୍ମଚାରୀ ଜଣକ ଡ୍ରାଇଭର ଭାବେ କାମ କରନ୍ତି । ସେ ବାହାର ରାଜ୍ୟର ଓ ଠିକା କର୍ମଚାରୀ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । କେବଳ ଏହି ୨ଜଣ ନୁହନ୍ତି, ଆଗାମୀ ଦିନରେ ଆହୁରି କେତେକ କର୍ମଚାରୀ ମଧ୍ୟ ଏହି ଘଟଣାର ତଦନ୍ତ ପରିସରକୁ ଆସିବା ନେଇ ସନେ୍ଦହ କରାଯାଉଛି ।


Comments are closed, but trackbacks and pingbacks are open.