ବରମୁଣ୍ଡା ବସଷ୍ଟାଣ୍ଡରୁ ଅଧ କୁଇଣ୍ଟାଲ ଗଞ୍ଜେଇ ଜବତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଫୁଲବାଣୀରୁ କୋଲକାତାକୁ ଚୋରାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଧରା ପଡ଼ିଛନ୍ତି ୪ ନିଶା ବେପାରୀ । ସେମାନଙ୍କଠାରୁ ଅଧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଭରତପୁର ଥାନା ପୁଲିସ ହାତରେ ଧରା ପଡ଼ିଥିବା ୪ ନିଶା ବେପାରୀ ହେଲେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାର ନାସିରୁଦ୍ଧିନ୍ ମଲ୍ଲ(୪୦), ଜବର ହୁସେନ୍ ବୈଦ୍ୟ(୨୫), ସିରାଜୁଲ ହାଲଦାର(୩୬) ଓ ଆକ୍ରମ ଅଲ୍ଲୀ ଫକିର(୩୨) ।
ପୁଲିସ ସୂଚନା ଅନୁଯାୟୀ, ଧରା ପଡ଼ିଥିବା ୪ ନିଶା ବେପାରୀ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ବସ୍ଷ୍ଟାଣ୍ଡର କୋଲକାତା ବସ୍ଷ୍ଟାଣ୍ଡରେ ୨ଟି ଜରି ବସ୍ତା ଧରି ଛିଡ଼ା ହୋଇଥିଲେ । ସେମାନଙ୍କ ହାବଭାବ ଦେଖି ଲୋକଙ୍କର ସନେ୍ଦହ ହେବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ୨ଟି ବସ୍ତା ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା । ପୁଲିସ ଗଞ୍ଜେଇ ସହ ୪ ଜଣଙ୍କୁ ଧରି ଥାନାକୁ ନେଇ ଯାଇଥିଲା । ଜବତ ହୋଇଥିବା ଗଞ୍ଜେଇର ପରିମାଣ ୫୦ କିଲୋ । ସେମାନେ ଫୁଲବାଣୀରୁ ବସ୍ ଯୋଗେ ଗଞ୍ଜେଇ ଆଣି କୋଲକାତା ଚାଲାଣ କରୁଥିଲେ ବୋଲି ଜେରା ବେଳେ ସ୍ୱୀକାର କରିଥିଲେ । ପୁଲିସ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ।
ସୂଚନା ଥାଉକି, ଗତ ୩ ତାରିଖରେ ଫୁଲବାଣୀରୁ କୋଲକାତାକୁ ଚୋରାରେ ଗଞ୍ଜେଇ ଚାଲାଣ ବେଳେ ଭରତପୁର ଥାନା ପୁଲିସ ବରମୁଣ୍ଡା ବସ୍ଷ୍ଟାଣ୍ଡର କୋଲକାତା ଷ୍ଟାଣ୍ଡରୁ ୧୨ କିଲୋ ଗଞ୍ଜେଇ ଜବତ କରିଥିଲା । କୋଲକାତା ମୁର୍ସିଦାବାଦର ସୁଭୋଜିତ ମଣ୍ଡଳ ନାମକ ଜଣେ ନିଶା ବେପାରୀକୁ ପୁଲିସ ଗିରଫ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons