କୋରାପୁଟରେ ଭୁଶୁଡ଼ୁଛି କଂଗ୍ରେସ ଦୁର୍ଗ :ଶଙ୍ଖ ଫୁଙ୍କିବେ କୈଳାସ

Get real time updates directly on you device, subscribe now.

କୋରାପୁଟ,(ବି.ବି.ବୁ୍ୟରୋ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ । ତା ପୂର୍ବରୁ କୋରାପୁଟ ଜିଲ୍ଲାରେ ଭୁଶୁଡ଼ିବାରେ ଲାଗିଛି କଂଗ୍ରେସ ଦୁର୍ଗ । ଆଭ୍ୟନ୍ତରୀଣ କନ୍ଦଳ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ପରେ ବୁଧବାର ହାତ ଛାଡ଼ିବେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା । ଏଥିଲାଗି ଶ୍ରୀ କୁଲେସିକା ଆଜି ୧୦ରୁ ଅଧିକ ଗାଡ଼ିରେ ଶତାଧିକ ସମର୍ଥକଙ୍କୁ ଧରି ଭୁବନେଶ୍ୱର ଯାଇଛନ୍ତି । ବୁଧବାର ସମର୍ଥକଙ୍କ ସହ ଶଙ୍ଖ ଫୁଙ୍କିବେ ବୋଲି ବିଜେଡିର ଜଣେ ରାଜ୍ୟସ୍ତରୀୟ ନେତା ସୂଚନା ଦେଇଛନ୍ତି । କଂଗ୍ରେସ ଛାଡ଼ିବା ସଂପର୍କରେ କୈଳାସ ସିଧାସଳଖ କୌଣସି ଉତ୍ତର ରଖିନାହାନ୍ତି । ବୁଲେଇ ବଙ୍କେଇ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ୁଥିବା ସଙ୍କେତ ଦେଇଛନ୍ତି ।
ସୂଚନାଥାଉ କି, ୨୦୦୭ରୁ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରି ଆସୁଥିଲେ କୈଳାସ । ୨୦୦୯ରେ କଂଗ୍ରେସ ଲକ୍ଷ୍ମୀପୁର ଆସନରୁ କୈଳାସଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ଟିକେଟ୍ ଦେଇ ନ ଥିଲା । ହେମା ଗମାଙ୍ଗଙ୍କୁ ଟିକେଟ୍ ଦିଆଯିବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ୧୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ହେଁ ହାରି ଯାଇଥିଲେ । ୨୦୦୯ ନିର୍ବାଚନ ପରେ ପୁନର୍ବାର କଂଗ୍ରେସକୁ ଫେରି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ୨୦୧୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ୭ଟି ଜିଲ୍ଲା ପରିଷଦ ଆସନରୁ ୬ଟିରେ ବିଜୟୀ ହୋଇଥିଲା । ନିର୍ବାଚନମଣ୍ଡଳୀର ୪ଟି ବ୍ଲକ୍ ଅଧ୍ୟକ୍ଷ ପଦ ଅକ୍ତିଆର କରିବାରେ ସଫଳ ହୋଇଥିଲା କଂଗ୍ରେସ । ଯାହାର ଶ୍ରେୟ ଯାଇଥିଲା କୈଳାସଙ୍କୁ ।
୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସରୁ ଟିକେଟ୍ ପାଇ କୈଳାସ ୨୪ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ୨୦୧୯ ନିର୍ବାଚନରେ ସେ ପୁଣି ଥରେ କଂଗ୍ରେସ ଟିକେଟ୍ରେ ଲଢ଼ିଥିଲେ ହେଁ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀଙ୍କଠାରୁ ମାତ୍ର ୨୨୯ ଖଣ୍ଡ ଭୋଟ୍ ବ୍ୟବଧାନରେ ହାରି ଯାଇଥିଲେ । ଏଥିଲାଗି ସେ କଂଗ୍ରେସର କେତେକ ଆତ୍ମଘାତୀ ଚରିତ୍ରଙ୍କୁ ସମାଲୋଚନା କରିଥିଲେ । ନିକଟରେ ଦଶମନ୍ତପୁର ଓ ନାରାୟଣପାଟଣା ବ୍ଲକ୍ କଂଗ୍ରେସ ସଭାପତି ଚୟନକୁ ନେଇ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ଓ ଜୟପୁର ବିଧାୟକ ତାରାଙ୍କ ପ୍ରତି ଅସନ୍ତୁଷ୍ଟ ହୋଇ ପିସିସି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତର ପିସିସି ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ପରାମର୍ଶକ୍ରମେ ନିଜ ଇସ୍ତଫା ନିଷ୍ପତ୍ତିରୁ ଓହରିଥିଲେ । ହେଲେ ବୁଧବାର କୈଳାସ ହାତ ଛାଡ଼ି ବିଜେଡିରେ ସାମିଲ ହେଉଥିବା ଖବର ଜଣାପଡିବା ପରେ ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଛି । ଜଣଙ୍କ ପରେ ଜଣେ ନେତା ଦଳ ଛାଡିବା ଆଗାମୀ ଦିନରେ କଂଗ୍ରେସ ପାଇଁ ମହଙ୍ଗା ପଡ଼ିବ ବୋଲି ଆଲୋଚନା ହେଉଛି । ଆଗକୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ କଂଗ୍ରେସ ଛାଡ଼ିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଆଶଙ୍କା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons