ମମିତା ମେହେର ହତ୍ୟା ଘଟଣା:ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର କରିଥିଲା ଗୋବିନ୍ଦ

Get real time updates directly on you device, subscribe now.

ବଲାଙ୍ଗିର, (ବି.ବି.ନୁ୍ୟଜ): କିଛି ଆକସ୍ମିକ ହୋଇନି । ସବୁଯାକ ଯୋଜନାବଦ୍ଧ ଭାବରେ ହୋଇଥିଲା । ହତ୍ୟା ପାଇଁ ବ୍ଲୁ-ପି୍ରଣ୍ଟ ପ୍ରସ୍ତୁତ ହୋଇଥିଲା । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ କେମିତି ହତ୍ୟା କରାଯିବ, ହତ୍ୟା ପରେ କ’ଣ ହେବ ସେଥିପାଇଁ ପଥ ସୁଗମ କରିଥିଲା ସନ୍ସାଇନ୍ ପବ୍ଲିକ ସ୍କୁଲର ମାଲିକ ତଥା ଠିକାଦାର ଗୋବିନ୍ଦ ସାହୁ । ହତ୍ୟା କରିବା ପାଇଁ ନିଷ୍ପତ୍ତି ନେବା ପରେ କେମିତି ପ୍ରମାଣ ନଷ୍ଟ କରାଯିବ ତାହା ବି ଯୋଜନା କରିଥିଲା । ମୃତଦେହକୁ ଷ୍ଟାଡିୟମ୍ ଭିତରେ ପୋତି ଦେବାଲାଗି ଏକ ଗାତ ଖୋଳାଇଥିଲା । ସେଠାରେ କାମ କରୁଥିବା ଜେସିବି ଅପରେଟର୍କୁ ଡାକି ଗୋବିନ୍ଦ ୭ରୁ ୮ ଫୁଟ୍ ଗଭୀର ଗାତ ଖୋଳିବାକୁ ନିଦେ୍ର୍ଧଶ ଦେଇଥିଲା । ଜେସିବି ଅପରେଟର ଆଶ୍ଚର୍ଯ୍ୟ ହୋଇ ଗାତ ଖୋଳିବାର କାରଣ ପଚାରିବାରୁ ସେଠାରେ ନିର୍ମାଣ କାମର ସବୁତକ ଅଳିଆ, ଆବର୍ଜନା ପକାଯିବ ବୋଲି କହିଥିଲା । ଏପରିକି ନିର୍ମାଣ ଅଞ୍ଚଳରେ ଥିବା ପୁରୁଣା କାଠ, ଅବ୍ୟବହୃତ ପଟା, ସିମେଣ୍ଟ ବସ୍ତା ଇତ୍ୟାଦିକୁ ଫିଙ୍ଗିବା ପାଇଁ କହିଥିଲା ।
କିନ୍ତୁ, ଯୋଜନା ମୁତାବକ ମମିତାଙ୍କୁ ହତ୍ୟା କରିବା ପୂର୍ବରୁ କାର୍ରେ ସାଙ୍ଗରେ ଯାଉଥିବା ବେଳେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଗୋବିନ୍ଦ ମୁଥ ମାରିବା ସହ ବେକକୁ ଚାପି ଧରିବା କାରଣରୁ ମମିତାଙ୍କ ମୃତୁ୍ୟ ଘଟିଥିଲା । ପ୍ରାଣବାୟୁ ଉଡ଼ିଯିବା ପରେ ମୃତଦେହକୁ ମହାଲିଙ୍ଗ ଷ୍ଟାଡିୟମ୍କୁ ନେଇ ଖୋଳିଥିବା ଗାତରେ ପକାଇ ପୋଡ଼ି ଦେଇଥିଲା ଏବଂ ପରେ ଜେସିବି ଲଗାଇ ପୋତି ଦେଇଥିଲା । ଏ ସମସ୍ତ ଘଟଣାର ସାଇଣ୍ଟିଫିକ୍, ଫରେନ୍ସିକ୍, ଟେକ୍ନିକାଲ୍ ପ୍ରମାଣ ଏବେ ପୁଲିସ ହାତରେ ଲାଗିଛି ।
ସୂଚନା ଅନୁସାରେ, ମମିତାଙ୍କ ପାଖରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ପରକୀୟା ପ୍ରୀତିର କେତେକ ପ୍ରମାଣ ରହିଥିଲା । ଯାହାକୁ ମମିତା ପ୍ରଘଟ କରିଦେବା ପାଇଁ ଗୋବିନ୍ଦଙ୍କୁ ଧମକ ଦେଉଥିଲେ । ତେଣୁ ଗୋବିନ୍ଦ ପ୍ରତିଶୋଧ ପରାୟଣ ହୋଇଉଠିଥିଲା । ମମିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରି ୭ ତାରିଖରେ ଫୋନ କରି ଡକାଇଥିଲା । ମମିତା ମହାଲିଙ୍ଗ ପହଞ୍ଚିବା ପରେ ଗତ ୮ ତାରିଖରେ ଉଭୟେ ଏକ କାର୍ରେ ବାହାରିଥିଲେ । ଭବାନୀପଟଣାରେ ମାର୍କେଟିଂ କରିଥିଲେ । ଏକ କପଡ଼ା ସୋ’ରୁମକୁ ଯାଇ କିଣାକିଣି କରିବା ପରେ ଭବାନୀପାଟଣା ଗୋଲେଇ ଛକଠାରେ ଏକ ଫାଷ୍ଟଫୁଡ୍ ଦୋକାନକୁ ଯାଇ କିଛି ଖାଦ୍ୟ ସାମଗ୍ରୀ କିଣିଥିଲେ । ପରେ ଭବାନୀପାଟଣାରୁ କେଗାଁକୁ ଫେରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବୋର୍ଡା ନିକଟସ୍ଥ କୁଡ଼ସିରାଠାରେ ମମିତା ଗୋବିନ୍ଦର ବାଳ ପଛପଟୁ ଟାଣି ଧରିଥିଲା । ଏକ ଛୋଟ ଛୁରି ବାହାର କରି ଗୋବିନ୍ଦର ବେକରେ ଲଗାଇଦେବାରୁ ସେ ନିଜକୁ ମୁକୁଳାଇବା ପାଇଁ ହାତ ବୁଲାଇଥିଲା । ମମିତା ଇତସ୍ତତଃ ହୋଇପଡ଼ିବାରୁ ତାଙ୍କ ଛାତିରେ ଦୁଇଥର ମୁଥମାରି ତାଙ୍କ ବେକକୁ ଜୋରରେ ଚାପି ଧରିଥିଲା । ସେତିକିରେ ମମିତା ଚେତାଶୂନ୍ୟ ହୋଇ ପଡ଼ିଥିଲେ । ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ସେଇଠୁ ସିଧାସଳଖ ମମିତାଙ୍କ ମୃତଦେହକୁ ମହାଲିଙ୍ଗସ୍ଥିତ ନିର୍ମାଣାଧିନ ଷ୍ଟାଡିୟମ୍କୁ ନେଇ ପୂର୍ବରୁ ଖୋଳାଯାଇଥିବା ଗାତରେ ଫିଙ୍ଗିଦେଇଥିଲା । ସନ୍ଧ୍ୟା ସମୟ ହୋଇଥିବାରୁ କାର୍ଡ ବୋର୍ଡ ଏବଂ ଟାୟାର ଦେଇ ମୃତଦେହକୁ ନିଆଁ ଲଗାଇଦେଇଥିଲା । ପରଦିନ ସକାଳେ ସେହି ଗାତରେ ଜେସିବି ଲଗାଇ ମାଟି ଭର୍ତ୍ତି କରାଇଦେଇଥିଲା । ଏହି କାର୍ଯ୍ୟରେ ସଂପୃକ୍ତ ଜଣେ ଡ୍ରାଇଭରକୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରିଛି । ଏହି ମାମଲାର ଚାର୍ଜସିଟ ଶୀଘ୍ର ଦାଖଲ କରିବା ସହ ଫାଷ୍ଟଟ୍ରାକ୍ ଟ୍ରାୟଲରେ ଆସିବ ବୋଲି ଆଜି ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଉତ୍ତରାଞ୍ଚଳ ଡିଆଇଜି ଡା. ଦୀପକ କୁମାର ସୂଚନା ଦେଇଛନ୍ତି ।
ଆଜି ସନ୍ଧ୍ୟାରେ ମୃତ ମମିତାଙ୍କ ବାପା-ମା’ଙ୍କୁ ଏସ୍ପି ଅଫିସକୁ ଡକାଇ ଡିଏନ୍ଏ ଟେଷ୍ଟ ପାଇଁ ସେମାନଙ୍କ ରକ୍ତନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ସେପଟେ ଗତକାଲି ରାତିତମାମ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେରା ପରେ ଆଜି ମଧ୍ୟାହ୍ନ ୧୨ଟାରେ ପୁଲିସ ମୁଖ୍ୟାଳୟରୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରିବା ପାଇଁ ନିଆଯାଇଥିଲା । ପ୍ରାୟ ଅଢେ଼ଇଟା ବେଳେ ବଙ୍ଗୋମୁଣ୍ଡା ପହଞ୍ଚିଥିଲେ ହେଁ ନୁ୍ୟ ପିଏଚସିରେ ପୁଲିସ ସୁରକ୍ଷା ସହିତ ରଖାଯାଇଥିଲା । ଓକିଲ ଆସିବା ପରେ ପ୍ରାୟ ୩ଟା ବେଳେ କୋର୍ଟରେ ହାଜର କରାଯାଇ ୭ ଦିନର ରିମାଣ୍ଡ ପାଇଁ ଆବେଦନ କରିଥିଲା । ହେଲେ ପୁଲିସକୁ ୫ ଦିନର ଅନୁମତି ମିଳିଥିବା ସରକାରୀ ଓକିଲ ବାସୁଦେବ ରାଏ କହିଛନ୍ତି । ଏଥିସହ ଗୋବିନ୍ଦଙ୍କ ବିରୋଧରେ ୩୬୬, ୩୦୨, ୩୦୧, ୧୨୦(ବି) ଭଳି ଧାରା ଲଗାଯାଇଥିବା ସେ କହିଥିଲେ । ପ୍ରାୟ ୪ଟା ବେଳେ ଗୋବିନ୍ଦକୁ ନେଇ ପୁଲିସ ବଲାଙ୍ଗିର ଅଭିମୁଖେ ଫେରିଆସିଥିଲା ।
ଅପରପକ୍ଷରେ, ମାମଲାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଗିରଫ ଦାବିରେ ଭାରତୀୟ ଜନତା ପାର୍ଟିର ସଦସ୍ୟମାନେ ବଲାଙ୍ଗିର ସାଂସଦ ସଙ୍ଗୀତ କୁମାରୀ ସିଂଦେଓ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପ;ନାୟକଙ୍କ ନେତୃତ୍ୱରେ ଡିଆଇଜିଙ୍କୁ ସାକ୍ଷାତ କରିଛନ୍ତି । ସେହିଭଳି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତୁରେକେଲା ବ୍ଲକ୍ ଅନ୍ତର୍ଗତ ଝରନୀ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି । ଘଟଣାର ଉପଯୁକ୍ତ ଓ ନିରପେକ୍ଷ ତଦନ୍ତକରି ମୃତକଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ବୁଧବାର ବିଜେପି କଳାହାଣ୍ଡି ବନ୍ଦ କରିଥିବା ବେଳେ ଗୁରୁବାର ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons