ରିମାଣ୍ଡରେ ଆସି ପୁଣି ଜେଲ୍ ଗଲେ ଦେବେନ୍ଦ୍ର

Get real time updates directly on you device, subscribe now.

ପାରାଦୀପ,(ବି.ବି.ଆପ୍ର): ଜେଏସ୍ଡବ୍ଲୁ ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କୁ ରିମାଣ୍ଡ୍ରେ ଆଣି ପଚରାଉଚରା କରିବା ଭିତରେ ପାରାଦୀପ ଅଭୟଚାନ୍ଦପୁର ଥାନା ପୁଲିସକୁ ଆଜି ଏକ ସଫଳତା ମିଳିଛି । ପାଟଣା ଗ୍ରାମର ବଡ଼ବାଗ ପୋଖରୀ ନିକଟରେ ଏକ ବୁଦା ମୂଳରେ କପଡ଼ା ଓ ପଲିଥିନ୍ରେ ଗୁଡ଼ାଇ ଦେବେନ୍ଦ୍ର ଲୁଚାଇ ରଖିଥିବା ୯ ଏମ୍ଏମ୍ର ଏକ ପିସ୍ତଲ ଓ ୨ଟି ଅଫୁଟା ଗୁଳିକୁ ଜବତ କରିଛି ପୁଲିସ । ୨୦୨୧ ଡିସେମ୍ବର ୧୨ ତାରିଖ ରାତିରେ ଢିଙ୍କିଆର ପ୍ରକାଶ ଦଳେଇ ନାମକ ଜଣେ ପ୍ରକଳ୍ପ ସପକ୍ଷବାଦୀଙ୍କ ଘରକୁ ଯାଇ ଧମକ ଚମକ ଦେଇଥିଲେ ଦେବେନ୍ଦ୍ର । ପ୍ରକାଶଙ୍କ ଭାଇ ସନ୍ତୋଷ ଦଳାଇ ପ୍ରକଳ୍ପ ସପକ୍ଷରେ ଓ ପ୍ରଶାସନ ସପକ୍ଷରେ ଥିବାରୁ ପ୍ରକାଶଙ୍କ ଉପରେ ରାଗ ରଖି ତାଙ୍କୁ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀମାନେ ବନ୍ଧୁକ ଦେଖାଇ ମାରିବାକୁ ଧମକ ଦେଇଥିବା ସେତେବେଳେ ଅଭିଯୋଗ ହୋଇଥିଲା । ଏନେଇ ୨୦୨୧ ଡିସେମ୍ବର ୧୩ରେ ଏକ ମାମଲା ଅଭୟଚାନ୍ଦପୁର ଥାନାରେ ରୁଜୁ ହୋଇଥିଲା । ଏହି ମାମଲାରେ ଦେବେନ୍ଦ୍ର ଲୁଚାଇ ରଖିଥିବା ବନ୍ଧୁକ ଓ ଗୁଳି ପୁଲିସ ପାଉ ନ ଥିବାରୁ ଦେବେନ୍ଦ୍ରଙ୍କୁ ଆଜି ରିମାଣ୍ଡରେ ଅଣାଯାଇ ପଚାରାଉଚରା କରାଯିବା ପରେ ଘଟଣାସ୍ଥଳକୁ ନିଆଯାଇଥିଲା ।
ପୁଲିସ ଦେବେନ୍ଦ୍ରଙ୍କୁ ୨୪ ଘଣ୍ଟିଆ ରିମାଣ୍ଡ୍ରେ ଆଣି ଗୁରୁବାର ଦିନ ତଦନ୍ତ କରୁଥିବା ବେଳେ ପୁଣି ଏକ ଅଘଟଣ ଘଟିଥିଲା । ଦେବେନ୍ଦ୍ର ଲୁଚାଇଥିବା ବନ୍ଧୁକ ଓ ଗୁଳି ଜବତ କରିବା ପରେ ବଡ଼ବାଗ ପୋଖରୀ ପାଖରେ ଶୌଚ ପାଇଁ ଯିବାକୁ ପୁଲିସକୁ କହିଥିଲେ । ଏଣୁ ତାଙ୍କ ସହ ଜଣେ ଏସ୍ଆଇ ଓ ଜଣେ କନଷ୍ଟେବଲ୍ଙ୍କୁ ସାଙ୍ଗରେ ପଠାଯାଇଥିଲା । କିନ୍ତୁ ସଂପୃକ୍ତ ଏସ୍ଆଇଙ୍କୁ ମାଡ଼ ମାରି ଓ କନଷ୍ଟେବଲ୍ଙ୍କୁ ତଳେ ପକାଇ ଦେବେନ୍ଦ୍ର ଫେରାର ହୋଇଯାଇଥିଲେ । ପୁଲିସ ବହୁ ଖୋଜାଖୋଜି କରିବା ପରେ ଏକ କାଜୁ ଜଙ୍ଗଲରେ ଲୁଚିଥିବା ଅବସ୍ଥାରେ ଦେବେନ୍ଦ୍ରଙ୍କୁ ମାଡ଼ି ବସିଥିଲା ।
ପୁଲିସ ଅଫିସରଙ୍କୁ ଆକ୍ରମଣ କରି ପୁଲିସ ହେପାଜତରୁ ଖସି ପଳାଇବାକୁ ଉଦ୍ୟମ କରିଥିବାରୁ ଥାନାରେ ତାଙ୍କ ନାମରେ ଆଉ ଏକ ମାମଲା ରୁଜୁ କରିଛି ଅଭୟଚାନ୍ଦପୁର ପୁଲିସ । ଏପରିକି ଆହତ ଅଫିସରଙ୍କ କାନମୁଣ୍ଡାରେ ଶକ୍ତ ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ଲାଗି ତାଙ୍କୁ କଟକ ପଠାଇ ଦିଆଯାଇଛି । ରିମାଣ୍ଡ ଅବଧି ସରି ଯାଇଥିବାରୁ ଦେବେନ୍ଦ୍ରଙ୍କୁ ପୁଣି ଏରସମା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ପୁଣି ଜେଲ୍କୁ ପଠାଇ ଦିଆଯାଇଥିବା ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons