ଚନ୍ଦ୍ରାୟନ-୨ ସଫଳ ଉତ୍କ୍ଷେପଣ:ଶଙ୍କରାଚାର୍ଯ୍ୟଙ୍କ ବୈଦିକ ଗଣିତର ପ୍ରେରଣା ରହିଛି

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ମହାକାଶ ବିଜ୍ଞାନ ଗବେଷଣା ତଥା ଚନ୍ଦ୍ରାୟନ-୨ ଉପଗ୍ରହର ସଫଳ ଉତ୍କ୍ଷେପଣ ପଛରେ ଗୋବର୍ଦ୍ଧନ ମଠର ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରେରଣା ରହିଛି । ଶଙ୍କରାଚାର୍ଯ୍ୟଙ୍କ ପ୍ରଣୀତ ବୈଦିକ ଗଣିତ ସୂତ୍ରକୁ ଚନ୍ଦ୍ରାୟନ-୨ ପ୍ରେରଣରେ ବିନିଯୋଗ କରାଯାଇଛି ।
ଚନ୍ଦ୍ରାୟନ-୨ ଉତ୍କ୍ଷେପଣର କିଛିଦିନ ପୂର୍ବରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଇସ୍ରୋର ବୈଜ୍ଞାନିକମାନେ ଆଲୋଚନା କରିଥିଲେ । ଉତ୍କ୍ଷେପଣ ତିଥି ନିର୍ଦ୍ଧାରଣ ପାଇଁ ଇସ୍ରୋ ବୈଜ୍ଞାନିକମାନେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଥିବାର ଜଣାପଡ଼ିଛି । ଚନ୍ଦ୍ରାୟନ-୨ ଉତ୍କ୍ଷେପଣ ପୂର୍ବରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ପ୍ରୟୋଗଶାଳା ପରିଦର୍ଶନ କରିଥିଲେ । ସେଠାରେ ସେ ବୈଦିକ ଗଣିତ ଏବଂ ଚନ୍ଦ୍ରାୟନ-୨ ଉତ୍କ୍ଷେପଣ ସମ୍ପର୍କରେ ବୈଜ୍ଞାନିକମାନଙ୍କୁ ସହ ବିଚାର ବିମର୍ଶ କରିଥିଲେ ।
ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଗଣମାଧ୍ୟମକୁ କହିଛନ୍ତି ବିଷ୍ଣୁ ପୁରାଣ, ବାୟୁ ପୁରାଣ, ଶ୍ରୀମଦ୍ ଭାଗବତରେ ପୃଥିବୀ ଠାରୁ ଚନ୍ଦ୍ରମାର ଦୂରତାକୁ ଆକଳନ କରାଯାଇଛି । ମହାଭାରତରେ ଭୀଷ୍ମଙ୍କ ଆକଳନ ଅନୁସାରେ ଚନ୍ଦ୍ରମାର ବ୍ୟାସ ୧୧ ହଜାର ଯୋଜନ । ଏହାର ପରିଧି ୩୩ ହଜାର ଯୋଜନ, ମୋଟେଇ ୫୯ ଯୋଜନ । ଏହି ତଥ୍ୟ ପ୍ରତି ବୈଜ୍ଞାନିକଙ୍କ ଧ୍ୟାନ ରହିବା ଉଚିତ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ଆକଳନ କେବଳ ବୈଦିକ ଗଣିତ ଦ୍ୱାରା ସମ୍ଭବ । ପୁରାତନ ଯୁଗରୁ ବୈଦିକ ଗଣିତ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏହାର ଅଭ୍ୟାସକୁ ଏବେ ଉପେକ୍ଷା କରାଯାଉଛି । ଚନ୍ଦ୍ରାୟନ-୨ ଉତ୍କ୍ଷେପଣକୁ ନେଇ ଶଙ୍କରାଚାର୍ଯ୍ୟ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଇସ୍ରୋ ପ୍ରୟୋଗଶାଳାକୁ ଶଙ୍କରାଚାର୍ଯ୍ୟଙ୍କ ପରିଦର୍ଶନ ଏବଂ ବୈଜ୍ଞାନିକମାନଙ୍କ ସହ ବିଚାର ବିମର୍ଶ ଖବର ୟୁ-ଟ୍ୟୁବ୍ ତଥା ବିଭିନ୍ନ ୱେବ୍ସାଇଟରୁ ଜାଣିବା ପରେ ଦିଲ୍ଲୀର ଜଣେ ସୂଚନା ପ୍ରଯୁକ୍ତି ବିଦ୍ୟା ଛାତ୍ର ମୋହକ ଲଛବ ବୈଦିକ ଗଣିତ ଶିକ୍ଷା ପାଇଁ ପୁରୀ ଗୋବର୍ଦ୍ଧନ ପୀଠରେ ଚନ୍ଦ୍ରର୍ମାସ୍ୟା ଅବସରରେ ଅବସ୍ଥାନ କରୁଛନ୍ତି । ସେ ଜଗତଗୁରୁଙ୍କ ସମସ୍ତ ଉପନିଷଦକୁ ହିନ୍ଦୀରୁ ଇଂରାଜୀକୁ ଅନୁବାଦ କରୁଛନ୍ତି ।
ଦିଲ୍ଲୀର ଏହି ଛାତ୍ର କହିଛନ୍ତି ଯେ, ଚନ୍ଦ୍ରାୟନ-୨ର ସଫଳତା ପଛରେ ରହିଛି ଜଗତଗୁରୁଙ୍କ ବୈଦିକ ଗଣିତ । ଏହାକୁ ମହାକାଶ ଗବେଷଣାରେ ସୁବିନିଯୋଗ କରାଯାଇ ପାରିବ । ଏହି ଗଣିତ ଆଧାରରେ ଆଜି ବିଜ୍ଞାନକୁ ମିଳିପାରିଛି ନୂତନ ମାର୍ଗଦର୍ଶନ । ଚନ୍ଦ୍ରାୟନ-୨ କେବେ ଉତ୍କ୍ଷେପଣ କରାଯିବ ତାହା ନେଇ ଇସ୍ରୋ ବୈଜ୍ଞାନିକମାନେ ମଧ୍ୟ ଜଗତଗୁରୁଙ୍କ ପରାମର୍ଶ ନେଇଥିଲେ । ଏହି କାରଣରୁ ଚନ୍ଦ୍ରାୟନ-୨ ସଫଳତା ପଛରେ ଜଗଦ୍ଗୁୁରୁ ଶଙ୍କରାଚାର୍ଯ୍ୟଙ୍କ ଅନେକ ଅବଦାନ ରହିଛି ବୋଲି ସେ ଦାବି କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଏବେ ଚତୁର୍ମାସ୍ୟା ଚାଲିଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ ଗୋବର୍ଦ୍ଧନ ପୀଠରେ ପହଞ୍ଚି ଅଦ୍ୱୈତ ବେଦାନ୍ତ, ବେଦବେଦାନ୍ତ, କଳ୍ପ, ଛନ୍ଦ୍ର, ବୃହଦାରଣ୍ୟକ ଉପନିଷଦ, ଭାଗବତ, ବ୍ରହ୍ମସୂତ୍ର, ବେଦାଙ୍ଗ, ଜ୍ୟୋତିଷ, ନିରୁକ୍ତ, ବ୍ୟାକରଣ ଆଦି ଶିକ୍ଷା ନେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons