ବେଙ୍ଗାଲୁରୁ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ୯୫ % ସଫଳ ହୋଇଛି । ବର୍ତ୍ତମାନ ଚନ୍ଦ୍ରଯାନ-୨ର ଅର୍ବିଟର ସକ୍ରିୟ ରହିଛି । ୫ % ସମସ୍ୟା କେବଳ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ କ୍ଷେତ୍ରରେ ଘଟିଛି । ଯେଉଁଥିପାଇଁ ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିପାରିଲା ନାହିଁ । ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ରହି ନଥିଲେ ମଧ୍ୟ ଏହି ମିସନ ଜାରି ରହିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି ।
ଇସ୍ରୋ ଆଜି ଏକ ବିବୃତ୍ତି ଜାରି କରି କହିଛି, ଭାରତର ଅନ୍ୟାନ୍ୟ ମହାକାଶ କାର୍ଯ୍ୟକ୍ରମ ଠାରୁ ଚନ୍ଦ୍ରଯାନ-୨ ଥିଲା ଭିନ୍ନ ତଥା ଜଟିଳ ମିସନ । ଚନ୍ଦ୍ରଯାନ-୨ ମିସନକୁ ଯଦି ପ୍ରତ୍ୟେକ ପର୍ଯ୍ୟାୟରେ ଅନୁଧ୍ୟାନ କରାଯିବ ତେବେ ଏହା ୯୦-୯୫ ପ୍ରତିଶତ ସଫଳ ହୋଇଛି । ଶୁକ୍ରବାର-ଶନିବାର ରାତି ୧ଟା ୫୫ ମିନିଟ୍ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଲକ୍ଷ୍ୟ ରଖାଯାଇଥିଲା । ସେହି ଅନୁସାରେ ଲ୍ୟାଣ୍ଡର ବିକ୍ରମ ୩୫ କି.ମି. ଉଚ୍ଚରୁ ଚନ୍ଦ୍ରପୃÂକୁ ୧ଟା ୪୦ ମିନିଟରେ ଖସିବା ଆରମ୍ଭ କରିଥିଲା । ପ୍ରଥମେ ଲ୍ୟାଣ୍ଡର ବିକ୍ରମର ରଫ ବ୍ରେକିଂ ଓ ପରେ ଫାଇନ ବ୍ରେକିଂ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଏହାର ସବୁ ସେନ୍ସର ଓ ଉପକରଣ ଠିକ୍ ଭାବେ କାର୍ଯ୍ୟ କରୁଥିଲା । କିନ୍ତୁ ଚନ୍ଦ୍ରପୃÂ ଛୁଇଁବାର ଠିକ୍ ୬୯ ସେକେଣ୍ଡ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ତୁଟି ଯାଇଥିଲା । ତା ସହ ଆଉ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା । ସେହି ସମୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃÂ ଠାରୁ ୨.୧ କି.ମି. ଉପରେ ଥିଲା । ପୃଥିବୀ ଠାରୁ ଚନ୍ଦ୍ରର ଦୂରତା ୩ଲକ୍ଷ ୮୪ ହଜାର କି.ମି. ହୋଇଥିବା ବେଳେ ଲ୍ୟାଣ୍ଡର ବିକ୍ରମ ପ୍ରାୟ ୩ଲକ୍ଷ ୮୩ ହଜାର ୯୯୮ କି.ମି ଯାତ୍ରା କରିଥିଲା । ହେଲେ ଚନ୍ଦ୍ରପୃÂରେ ପହଞ୍ଚô ପାରି ନଥିଲା । କିନ୍ତୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ପତ୍ତା ନମିଳିଲେ ମଧ୍ୟ ଚନ୍ଦ୍ରଯାନ-୨ ମିସନ ଜାରି ରହିବ ।
ଗତ ସୋମବାର ଅର୍ବିଟରରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହୋଇ ଚନ୍ଦ୍ରର ଦକ୍ଷିଣମେରୁ ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ଅର୍ବିଟର ସେହି ସ୍ଥାନରେ ବର୍ତ୍ତମାନ ରହିଛି । ଚନ୍ଦ୍ରଠାରୁ ଏହା ସର୍ବାଧିକ ୧୨୭ ଓ ସର୍ବନିମ୍ନ ୧୧୯ କି.ମି. ଦୂରତାରେ ପରିଭ୍ରମଣ କରୁଛି । ପ୍ରାୟ ୨,୩୭୯ କିଲୋଗ୍ରାମ ଓଜନ ବିଶିଷ୍ଟ ଅର୍ବିଟରରେ ୮ ପେଲୋଡ ରହିଛି । ସେଥିରେ ସବୁଠାରୁ ଅତ୍ୟାଧୁନିକ କ୍ୟାମେରା (୦.୩ମି) ଲଗାଯାଇଛି । ଯେତେ ଚନ୍ଦ୍ର ଅଭିଯାନ ହୋଇଛି ସେହି ସମସ୍ତ ଅଭିଯାନଠାରୁ ଅର୍ବିଟରରେ ଲଗାଯାଇଥିବା କ୍ୟାମେରା ଯଥେଷ୍ଟ ଉନ୍ନତ । ଏଥିରେ ହାଇ-ରିଜୋଲୁ୍ୟସନ ଫଟୋ ଉଠାଯାଇପାରିବ । ଯାହା ସମଗ୍ର ବିଶ୍ୱରେ ବୈଜ୍ଞାନିକ ସମୁଦାୟ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ । ପୂର୍ବରୁ ଅର୍ବିଟର ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ତାକୁ ୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ଅପରପକ୍ଷରେ ଚନ୍ଦ୍ରଯାନ-୨ ଅଭିଯାନ ୧୦୦ ପ୍ରତିଶତ ସଫଳ ହୋଇଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଦାବି କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଅର୍ବିଟର ସହାୟତାରେ ଲ୍ୟାଣ୍ଡର ବିକ୍ରମକୁ ଠାବ କରିବା ସମ୍ଭବ ହୋଇପାରିବ । ଅର୍ବିଟର ୭ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବ । ସେଥିରୁ ମିଳିଥିବା ତଥ୍ୟକୁ ଆଧାର କରି ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଜଳ, ଖଣିଜଦ୍ରବ୍ୟ କିମ୍ବା ଅନ୍ୟ ଶକ୍ତି ଉତ୍ସବର ସନ୍ଧାନ କରାଯାଇପାରିବ । ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂର ୪ ପର୍ଯ୍ୟାୟରୁ ୩ ପର୍ଯ୍ୟାୟ ଠିକ୍ ଭାବେ କରାଯାଇଥିଲା । କିନ୍ତୁ ଶେଷ ପର୍ଯ୍ୟାୟକୁ ଠିକ୍ ଭାବେ ପରିଚାଳନା କରାଯାଇପାରିଲା ନାହିଁ । ଯେଉଁଥି ପାଇଁ ଲ୍ୟାଣ୍ଡର ବିକ୍ରମ ସହିତ ସମ୍ପର୍କ ତୁଟି ଯାଇଥିଲା । ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମର ଅନୁସନ୍ଧାନ କରାଯିବ । ତା ସହିତ ସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ ହେବ । ସେହିଭଳି ଏହି ମିସନର ପ୍ରଭାବ ଅନ୍ୟ କୌଣସି ପ୍ରୋଜେକ୍ଟ ଉପରେ ପଡିବ ନାହିଁ ବୋଲି ସେ କହିଛନ୍ତି । ଆସନ୍ତା ୨୦୨୦ ବେଳକୁ ଗଗନାୟନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପ ଅଧୀନରେ ମହାକାଶକୁ ମଣିଷ ପଠାଇବା ଲାଗି ଯୋଜନା କରାଯାଇଥିବା ସେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଚନ୍ଦ୍ରରେ ଜଳ, ବିକଳ୍ପ ଶକ୍ତି ଉତ୍ସ, ହିଲିୟମ ଓ ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି କି ନାହିଁ ସେ ସମ୍ପର୍କରେ ଅନୁସନ୍ଧାନ କରିବା ଲାଗି ଚନ୍ଦ୍ରୟାନ-୨ ଅଭିଯାନ ଆରମ୍ଭ କରାଯାଇଥିଲା । ସବୁଠାରୁ ବଡକଥା ହେଉଛି ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଏହାକୁ ଲ୍ୟାଣ୍ଡିଂ କରିବାକୁ ଇସ୍ରୋ ବୈଜ୍ଞାନିକମାନେ ଲକ୍ଷ୍ୟ ରଖିଥିଲେ । ଯେଉଁ ଅଞ୍ଚଳକୁ ବିଶ୍ୱର କୌଣସି ଦେଶ ପହଞ୍ଚô ପାରିନାହାନ୍ତି । ସେଥିପାଇଁ ଚନ୍ଦ୍ରଯାନ-୨’ ଗତ ଜୁଲାଇ ୨୨ ତାରିଖରେ ସଫଳତାର ସହ ମହାକାଶକୁ ପଠାଯାଇଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣ ଯାନ ଜିଏସ୍ଏଲ୍ଭି ମାର୍କ-୩ ଏମ୍୧ (ବାହୁବଳୀ) ରକେଟ ଚନ୍ଦ୍ରୟାନ-୨କୁ ଧରି ମହାକାଶ ଯାତ୍ରା କରିଥିଲା । ପ୍ରକ୍ଷେପଣର ମାତ୍ର ୧୬ ମିନିଟ୍ ୩୩ ସେକେଣ୍ଡରେ ମହାକାଶଯାନ ନିର୍ଦ୍ଧିଷ୍ଟ କକ୍ଷପଥରେ ଅବସ୍ଥାପିତ ହୋଇଥିଲା । ପୃଥିବୀର କକ୍ଷପଥରେ ଏହା ଦୀର୍ଘ ୨୩ ଦିନ ଧରି ଘୁରିବୁଲିବା ପରେ ଅଗଷ୍ଟ ୧୪ରେ ଚନ୍ଦ୍ରର କକ୍ଷପଥ ଅଭିମୁଖେ ଯାତ୍ରା କରିଥିଲା । ଏହି ସମୟରେ ଚନ୍ଦ୍ରଯାନ-୨ର କକ୍ଷପଥ ୫ ଥର ପରିବର୍ତ୍ତନ କରାଯାଇଥିଲା । ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ସେପ୍ଟେମ୍ବର ୨ରେ ଅର୍ବିଟର ଠାରୁ ପୃଥକ ହୋଇ ଲ୍ୟାଣ୍ଡର ବିକ୍ରମ ନିଜ ସାଥୀରେ ରୋଭର ପ୍ରଜ୍ଞାନକୁ ଧରି ଚନ୍ଦ୍ରର ଦକ୍ଷିଣ ମେରୁ ଅଭିମୁଖେ ଯାତ୍ରା କରିଥିଲା ।


Comments are closed, but trackbacks and pingbacks are open.