ଝିଅକୁ ଉଦ୍ଧାର କରିବାକୁ ଯାଇ ମହାନଦୀରେ ବୁଡ଼ିଗଲା ବାପ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନ୍ୟୁଜ୍): ମହାନଦୀରେ ଗାଧୋଇବା, ଠାକୁର ନୀଳମାଧବଙ୍କୁ ଦର୍ଶନ କରି ରଜପର୍ବ ପାଳିବାକୁ ଲକ୍ଷ୍ୟ ରଖିଥିଲେ ପରିବାର ଓ ବନ୍ଧୁବାନ୍ଧବ । ହେଲେ ସବୁ ଗଡ଼ବଡ଼ ହୋଇଗଲା । ଠାକୁର ଦର୍ଶନ ଭଲରେ ଭଲରେ ସାରି ସମସ୍ତେ ମହାନଦୀ ପାଣିରେ ଗାଧାଉଥିବାବେଳେ ଛୋଟ ଝିଅଟି ପାଣିରେ ଭାସି ଯାଇଥିଲା । ତାକୁ ଉଦ୍ଧାର କରିବାକୁ ଯାଇ ବାପ ମହାନଦୀ ପାଣିରେ ବୁଡ଼ିଗଲା । ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ବ୍ଲକ ଚିନ୍ଦରା ଗ୍ରାମରେ । ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ସୁରେଶ କୁମାର ରାଉତ(୪୫) ।
ଚିନ୍ଦରା ଗ୍ରାମର ସୁରେଶଙ୍କ ପରିବାର ଏବଂ ତାଙ୍କ ଶଳା ଇଟାମାଟିର ସଞ୍ଜୟ କୁମାର ବରାଡଙ୍କ ପରିବାର ମିଶି କଣ୍ଟିଲୋ ନୀଳମାଧବ ଠାକୁର ଦର୍ଶନ କରିବାକୁ ଯାଇଥିଲେ । ଠାକୁରଙ୍କ ଦର୍ଶନ ସାରି ମଧ୍ୟାହ୍ନରେ ମହାନଦୀରେ ସମସ୍ତେ ଗାଧାଇବାକୁ ଯାଇଥିଲେ । କୂଳରେ ଥିବା ଡଙ୍ଗା ଯୋଗେ ମହାନଦୀର ଆରପଟ ବାଲିକୁ ଯାଇଥିଲେ । ସେମାନଙ୍କୁ ନାଉରିଆ ଛାଡ଼ିଦେଇ ଏପଟକୁ ଡଙ୍ଗାଧରି ଆସିଥିଲା । ଏହାପରେ ସୁରେଶଙ୍କ ୮ବର୍ଷର ଝିଅ ଏବଂ ତା ମାମୁଁ ସଞ୍ଜୟ ଗାଧୋଉଥିଲେ । ଅନ୍ୟମାନେ ବାଲି ଉପରେ ରହିଥିଲେ । ଏହି ସମୟରେ ଝିଅଟି ପାଣିରେ ଭାସିଯିବାକୁ ଲାଗିଥିଲା । ତାକୁ ଉଦ୍ଧାର କରିବାକୁ ମାମୁଁ ସଞ୍ଜୟ ଏବଂ ସୁରେଶ ପାଣି ଭିତରକୁ ଯାଇଥିଲେ । ହେଲେ ସୁରେଶଙ୍କ ସ୍ତ୍ରୀ ନିଜର ଲୁଗାକୁ ଯୋଡ଼ି ପାଣିକୁ ପକାଇଥିଲା । ସେହି ଲୁଗାକୁ ଧରି ସଞ୍ଜୟ ଓ ଭାସି ଯାଉଥିବା ଭାଣେଜୀ ଉପରକୁ ଆସିଥିଲେ । କିନ୍ତୁ ସୁରେଶ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ କିଛି ଲୋକ ପାଣି ଭିତରୁ ସୁରେଶଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons