{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ଼ ଜିଲ୍ଲା ତିଲେଇ ବଣି ବ୍ଲକ ଅନ୍ତର୍ଗତ ଡିମିରି କୁଦା ପଞ୍ଚାୟତର ପୋହଳାମରା ଗ୍ରାମରେ ଦେଖିବାକୁ ମିଳେ ଏକ ନିଆରା ରଥଯାତ୍ରା | ଉପାନ୍ତ ଅଞ୍ଚଳରେ ଏବେ ରଥଯାତ୍ରା କେବଳ ଧାର୍ମିକ ପର୍ବ ନୁହେଁ , ବରଂ ନାରୀ ଶକ୍ତିର ଏକ ଅନନ୍ୟ ପରିଚୟ ପାଲଟିଛି | ଏଠାରେ ଶତାଧିକ ମହିଳା ଏକତ୍ରିତ ହୋଇ ଭକ୍ତି ଭାବର ସହ ଶ୍ରୀ ଜଗନ୍ନାଥଙ୍କ ରଥକୁ ଟାଣି ଏକ ନିଆରା ପରମ୍ପରାର ପରିଚୟ ଦେଇଛନ୍ତି । ପ୍ରାୟତଃ ସମସ୍ତ ଯାଗାରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିବାର ଦେଖିବାକୁ ମିଳେ କିନ୍ତୁ ଦେବଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ପୋହଳାମରା ଗ୍ରାମରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ ମହିଳା ମାନେ ଟାଣିବା ଏକ ନିଆରା ଅନୁଭୂତି । ସମୟ ସହିତ ତାଳ ଦେଇ ବଦଳୁଛି ଉପାନ୍ତ ଅଞ୍ଚଳର ଚିତ୍ର । ଘଣ୍ଟ , ଶଙ୍ଖ , ଭଜନ ଓ ହରିବୋଲ ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ରଙ୍ଗୀନ ପୋଷାକ ପିନ୍ଧିଥିବା ମହିଳା ମାନେ ଉତ୍ସାହର ସହ ରଥର ଦଉଡ଼ି ଧରି ଟାଣି ଥିବା ବେଳେ ଗ୍ରାମବାସୀ ମାନେ ଏହି ଦୃଶ୍ୟ କୁ ଆନନ୍ଦର ସହ ଉପଭୋଗ କରିଥିଲେ । ସ୍ଥାନୀୟ ବୁଦ୍ଧଜୀବୀ ଙ୍କ କହିବା ଅନୁଯାୟୀ , ଏହି ପରମ୍ପରା ମହିଳା ଙ୍କ ଏକତା , ସାମାଜିକ ସହଭାଗିତା ଓ ଧାର୍ମିକ ନିଷ୍ଠାର ଏକ ଉଜ୍ଜଳ ଉଦାହରଣ । ଏଭଳି ଆୟୋଜନ ଗ୍ରାମାଞ୍ଚଳର ସଂସ୍କୃତି କୁ ସୁଦୃଢ କରିବା ସହ ନାରୀ ଶକ୍ତିର ଗୁରୁତ୍ଵ କୁ ମଧ୍ୟ ପ୍ରତିଫଳିତ କରୁଛି ।


Comments are closed, but trackbacks and pingbacks are open.