{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ଗ୍ରାମାଞ୍ଚଳରେ ରାସ୍ତାଘାଟର ଉନ୍ନତି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି।ମାତ୍ର ଏହାକୁ ତୃଣମୂଳ ସ୍ତରରେ କିଭଳି ଏହାର ଦୁରୂପଯୋଗ କରାଯାଉଛି ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୁଜଙ୍ଗ ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ଥିବା ପରମାନନ୍ଦପୁର -ପଥୁରିଆ ଭାୟା ଅଗପାଳ ରାସ୍ତା ନିର୍ମାଣ କ୍ଷେତ୍ରରେ।ଏହି ରାସ୍ତା ନିର୍ମାଣ ପାଇଁ ସରକାର ପ୍ରାୟ ୪ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ସୁଦ୍ଧା କାମ ଅତ୍ୟନ୍ତ ନିମ୍ନମାନର କରାଯାଇଛି।ଗତ ୭ ଦିନ ପୂର୍ବେ କରାଯାଇଥିବା ପିଚୁ କାମ ଏବେ ଫଡା ଫଡା ଉପୁଡ଼ିବା ଆରମ୍ଭ କରିଛି।ତେବେ ଠିକାଦାର କରିଥିବା ମନମୁଖି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଥିବା ବେଳେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।କୁଜଙ୍ଗ ବ୍ଳକ୍ ଅଗପାଳ ପଞ୍ଚାୟତ ତଥା କଟକ-ପାରାଦୀପ ରାଜ୍ୟ ରାଜପଥ ସଂଯୋଗ କରୁଥିବା ପରମାନନ୍ଦପୁର-ପଥୁରିଆ ଭାୟା ଅଗପାଳ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଏହି ରାସ୍ତା ଉପରେ ପଞ୍ଚାୟତବାସୀ ନିର୍ଭରଶୀଳ।ଏହି ନୂତନ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରିଥିଲେ ତତ୍କାଳୀନ ବିଜେଡି ସରକାର। ନିର୍ମାଣ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା।ଏହି ଟେଣ୍ଡର ପ୍ରକ୍ରିୟାରେ ଅନେକ ଠିକାଦାର ଅଂଶଗ୍ରହଣ କରିଥିଲେ ସୁଦ୍ଧା ସରକାରୀ ସ୍ତରରେ କୁଜଙ୍ଗ ଅଞ୍ଚଳର ଲାଇସେନ୍ସ ପ୍ରାପ୍ତ ଠିକାଦାରଙ୍କୁ ମିଳିଥିଲା। ଟେଣ୍ଡର୍ ପାଇବା ପରେ ଠିକାଦାର ପ୍ରାରମ୍ଭରେ କଂକ୍ରିଟ ରାସ୍ତା ନିର୍ମାଣ କରିଥିଲେ।ମାତ୍ର ରାସ୍ତା ନିର୍ମାଣ ପୂର୍ବରୁ ଜନସାଧାରଣ ଅବଗତ ପାଇଁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ବିବରଣୀ ସୂଚନା ଫଳକରେ ସୂଚାଇବା କଥା, କିନ୍ତୁ ଠିକାଦାର ଏହା କଲେ ନାହିଁ ବରଂ ନିଜ ମନମୁଖି କାର୍ଯ୍ୟ ଜାରି ରଖିଥିଲେ।କଂକ୍ରିଟ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ଗତ ୭ ଦିନ ପୂର୍ବେ କରାଯାଇଥିବା ପିଚୁ ରାସ୍ତା କାମ ମଧ୍ୟ ନିମ୍ନମାନର କରଯାଇଛି।ତେବେ ୭ ଦିନ ନପୁରୁଣୁ ରାସ୍ତାରୁ ପିଚୁ ଫଡ଼ା ଫଡା ଉଠି ଯାଉଥିବା ଦେଖିବାକୁ ମିଳିଛି।ଏହି କାର୍ଯ୍ୟ ନିର୍ମାଣ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିବା ସହିତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି।ଏମିତିକି କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତ ସମୟରେ ଏହି କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି।ସରକାରଙ୍କ ରାଜକୋଷରୁ ରାସ୍ତା ନିର୍ମାଣ ପାଇଁ ୪ କୋଟି ଟଙ୍କା ପାଣିରେ ପଡିଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଲାଞ୍ଚଖୋର ମନୋଭୂତିର ତଦନ୍ତ କରିବା ସହିତ ଦୃଢ଼ କାଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।


Comments are closed, but trackbacks and pingbacks are open.