ଶ୍ରୀ ଶ୍ରୀ ଶ୍ରୀ ରସିକରାଜ ମହାପ୍ରଭୁ ସ୍ୱାମୀ ମନ୍ଦିରର ପୁନରୁଦ୍ଧାରକୁ ନେଇ ସମୀକ୍ଷା କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ
{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ }: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ୱାର୍ଡ ନମ୍ବର-୩ରେ ଅବସ୍ଥିତ ଦୁଇ ଶତାବ୍ଦୀରୁ ଊର୍ଦ୍ଧ୍ୱ ପୁରାତନ ତଥା ଐତିହ୍ୟବହୁଳ ଶ୍ରୀ ଶ୍ରୀ ଶ୍ରୀ ରସିକରାଜ ମହାପ୍ରଭୁ ସ୍ୱାମୀ ମନ୍ଦିରର ପୁନରୁଦ୍ଧାରକୁ ନେଇ ଆଶା ସଞ୍ଚାର ହୋଇଛି। ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବା ଏହି ପୁରାତନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ନେଇ ଆଜି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ଦିର ପରିଦର୍ଶନ ସମୟରେ ମନ୍ଦିରର ପୁରାତନ ଇତିହାସ, ଧାର୍ମିକ ମହତ୍ତ୍ୱ ଓ ଏହା ସହିତ ଜଡ଼ିତ ଅନେକ ପୁରୁଣା ସ୍ମୃତି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଯାଇଥିଲା। ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ଏହି ମନ୍ଦିର ସ୍ଥାନୀୟ ଲୋକଙ୍କ ଧାର୍ମିକ ଆସ୍ଥା, ପରମ୍ପରା ଓ ଭାବନାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଥିବା ଜାଣି ବିଧାୟକ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏତେ ପୁରାତନ ଓ ଐତିହ୍ୟବହୁଳ ମନ୍ଦିର ଆଜି ପର୍ଯ୍ୟନ୍ତ କାହିଁକି ସଠିକ୍ ଭାବେ ପୁନରୁଦ୍ଧାର ହୋଇପାରିନାହିଁ ବୋଲି ବିଧାୟକ ପ୍ରଶ୍ନ କରିଥିଲେ। ମନ୍ଦିରର ବର୍ତ୍ତମାନ ସ୍ଥିତି ଦେଖି ଏହାର ପୁନରୁଦ୍ଧାର ଆଉ ବିଳମ୍ବ କରାଯିବା ଉଚିତ ନୁହେଁ ବୋଲି ସେ ମତ ପ୍ରକାଶ କରିଥିଲେ।ବିଧାୟକ ରୂପେଶ ପାଣିଗ୍ରାହୀ କହିଥିଲେ ଯେ, ଏହା କେବଳ ଏକ ମନ୍ଦିର ନୁହେଁ, ବରଂ ପାରଳାଖେମୁଣ୍ଡିର ପୁରାତନ ଐତିହ୍ୟ ଓ ଲୋକଙ୍କ ଆସ୍ଥାର ପ୍ରତୀକ। ତେଣୁ ଏହି ଐତିହ୍ୟକୁ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ୱ। ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଅତିଶୀଘ୍ର ଆରମ୍ଭ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ।ଏଥିସହିତ ମନ୍ଦିର ପରିସରରେ ଥିବା ଲାଇବ୍ରେରୀର ମଧ୍ୟ ଉନ୍ନତିକରଣ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।ଏହି ଗସ୍ତ ସମୟରେ ବିଧାୟକ ନିକଟସ୍ଥ ମା’ ଫୁଲସୁନ୍ଦରୀ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ। ମା’ଙ୍କ ଦର୍ଶନ କରିବା ସହ ମନ୍ଦିରର ବର୍ତ୍ତମାନ ସ୍ଥିତି ଓ ଅଧାରେ ରହିଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଆବଶ୍ୟକ ବନ୍ଦୋବସ୍ତ କରାଯିବ ବୋଲି ବିଧାୟକ ଆଶ୍ୱାସନ ଦେଇଥିଲେ।


Comments are closed, but trackbacks and pingbacks are open.