{ ବରଗଡ଼ରୁ ଗୌର ସାହୁଙ୍କ ରିପୋର୍ଟ } : ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ରୋଷେଇ କଳା, ଦଳଗତ କାର୍ଯ୍ୟ ଓ ସ୍ୱାବଲମ୍ବନର ଭାବନା ବିକାଶ ଉଦ୍ଦେଶ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାନ୍ଦୁପାଲି ପରିସରରେ ଏକ ଆକର୍ଷଣୀୟ ଖାଦ୍ୟପର୍ବ ‘ସ୍ୱାଦ ସଙ୍ଗମ’ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅବିନାଶ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଖାଦ୍ୟପର୍ବରେ ବରଗଡ଼ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରୀତମ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଜବୋଡ଼ାସମ୍ବର ବ୍ଲକର ପୂର୍ବତନ ବିଇଓ ଶ୍ରୀ ଜନକଲାଲ ମେହେର,ମନୋରଞ୍ଜନ ସାହୁ, ରମାକାନ୍ତ ବେଶ୍ରା ଓ କୁମାରୀ ନିତୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ ପ୍ରଦୀପ ଭୁଏ ମଞ୍ଚ ପରିଚାଳନା କରିଥିଲେ। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏହି ଖାଦ୍ୟପର୍ବରେ ଉତ୍ସାହର ସହ ଅଂଶଗ୍ରହଣ କରି ୫୦ଟି ଷ୍ଟଲ୍ ପ୍ରସ୍ତୁତ କରିଥିଲେ। ଏହି ଷ୍ଟଲ୍ଗୁଡ଼ିକରେ ଛାତ୍ରଛାତ୍ରୀମାନେ ନିଜ ହାତରେ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଓ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟ ପରିସରକୁ ମଧ୍ୟ ବେଶ୍ ଆକର୍ଷଣୀୟ ଭାବେ ସଜାଯାଇଥିଲା। ବିଭିନ୍ନ ଷ୍ଟଲ୍ରେ ଓଡ଼ିଶାର ପାରମ୍ପରିକ ପିଠାପଣା ସହ ଝାଲମୁଢ଼ି, ଦହିବରା, ପାନ, ମୋମୋ, ଆଳୁଦମ, ଚାଟ୍, ଫଳରସ ଏବଂ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ହାତ ତିଆରି ଖାଦ୍ୟର ସ୍ୱାଦ ଚାଖିଥିଲେ। ଛାତ୍ରଛାତ୍ରୀଙ୍କ ଉଦ୍ୟମ ଓ ସୃଜନଶୀଳତାକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପ୍ରୀତମ ମେହେର କହିଥିଲେ ଯେ, ପାଠପଢ଼ା ସହିତ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବା ସହ ସ୍ୱାବଲମ୍ବୀ ହେବା, ଦଳଗତ ଭାବେ କାର୍ଯ୍ୟ କରିବା ଏବଂ ସୁସ୍ଥ ଓ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବୁଝିବାରେ ସହାୟକ ହୋଇଥାଏ। ଖାଦ୍ୟପର୍ବରେ ଶ୍ରେଷ୍ଠ ଖାଦ୍ୟ ପ୍ରସ୍ତୁତି ପାଇଁ ପ୍ରଜ୍ଞାସ୍ମିତା ମହାପାତ୍ର ଓ ତାଙ୍କ ଗ୍ରୁପ୍ ପ୍ରଥମ, ଆରାଧ୍ୟା ଅଂଶୀ ମେହେର ଓ ତାଙ୍କ ଗ୍ରୁପ୍ ଦ୍ୱିତୀୟ ଏବଂ ଲକ୍ଷ୍ୟରାଜ ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଆଇଟି ଶିକ୍ଷକ ଶ୍ରୀ କ୍ଷେତ୍ରମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Comments are closed, but trackbacks and pingbacks are open.