ପତିତପାବନ ବିଦ୍ୟାଳୟ ସମୂହ, ଆମ୍ବେରୀର ୩୨ତମ ବାର୍ଷିକ କ୍ରୀଡା ଉତ୍ସବ ସଫଳ ଭାବେ ଉଦଯାପିତ

Get real time updates directly on you device, subscribe now.

{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବେରୀ ଗ୍ରାମପଞ୍ଚାୟତ ସ୍ଥିତ ପତିତପାବନ ଉଚ୍ଚ ବିଦ୍ୟାଳୟ ଓ ପତିତପାବନ ଉ.ପ୍ରା. ବିଦ୍ୟାଳୟ (ଆମ୍ବେରୀ, ଏରଗାରୀ ଓ ଭରାଗୋଳ) ର ୩୨ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପନୀ ଦିବସ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି।ଉଦଯାପନୀ ସଭା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶାଙ୍କ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ଥାନାର ଭାରପ୍ରାପ୍ତ ଆରକ୍ଷୀ ଅଧିକାରୀ ପ୍ରଦୀପ୍ତ କୁମାର ସେଠି ଯୋଗଦେଇ ଛାତ୍ରଜୀବନରେ ଖେଳକସରତର ଗୁରୁତ୍ୱ ଉପରେ ଆଲୋକପାତ କରି ଖେଳ ମାଧ୍ୟମରେ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମୀ ଓ ଶୃଙ୍ଖଳାବଦ୍ଧ ହୋଇପାରନ୍ତି ବୋଲି କହିଥିଲେ।ମୁଖ୍ୟବକ୍ତା ଭାବେ ଆମ୍ବେରୀ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବିକ୍ରମ ମହାନ୍ତି ଯୋଗଦେଇ କ୍ରୀଡା ଉତ୍ସବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବନ୍ଧୁତ୍ୱ, ସହଯୋଗିତା ଓ ସହଭାଗିତାର ଭାବନା ବିକାଶ କରେ ବୋଲି ମତ ପ୍ରକାଶ କରିଥିଲେ।ପାଠପଢା ସହିତ ଖେଳକସରତ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ଶାରୀରିକ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ।ପତିତପାବନ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ାଶ୍ରୀ ବିମଳ ବିହାରୀ ବାରିକଙ୍କ ତତ୍ତ୍ୱାବଧାନରେ ବରିଷ୍ଠ, କନିଷ୍ଠ ଓ ସର୍ବକନିଷ୍ଠ ବିଭାଗରେ ୧୦୦ ମିଟର ଓ ୨୦୦ ମିଟର ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟପୁଟ, ଡିସକସ ଫିଙ୍ଗା, ଗଣିତ ଦୌଡ଼, ଦଉଡ଼ି ଡିଆଁ, ପୁଚି ଓ ମ୍ୟୁଜିକ ଚେୟାର ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ବରିଷ୍ଠ ବିଭାଗରେ ବରଦା ପ୍ରସନ୍ନ ବାରିକ ଓ ପ୍ରିୟଙ୍କା ସାହୁ, କନିଷ୍ଠ ବିଭାଗରେ ଶୁଭମ ମଲ୍ଲିକ ଓ ପ୍ରିୟଦର୍ଶିନୀ ମହାନ୍ତି ଚମ୍ପିଆନ ଘୋଷିତ ହୋଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ଚମ୍ପିଆନ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।ମଧ୍ୟାନ୍ତରରେ ନବମ–ଦଶମ ଓ ସପ୍ତମ–ଅଷ୍ଟମ ଶ୍ରେଣୀ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ମାନସ କୁମାର ସୂତାର ଓ କ୍ରୀଡ଼ାଶ୍ରୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା।ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ କ୍ରୀଡା ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ପତିତପାବନ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons