ଅଜଣା ଶବକୁ କାନ୍ଧ ଦେଲେ ଥାନାଧିକାରୀ:ମୃତଦେହକୁ ଜଗି ରହିଥିଲା ପୋଷାକୁକୁର

Get real time updates directly on you device, subscribe now.

ରାଉରକେଲା,(ବି.ବି.ବୁ୍ୟରୋ): ମଣିଷ ପାଖରେ ମାନବିକତା ହଜିବାରେ ଲାଗିଛି । ପାଖପଡେ଼ାଶୀ ସମ୍ପର୍କୀୟ ତ ଦୂର କଥା ନିଜର ପରିବାର ସଦସ୍ୟଙ୍କୁ ଅଣାଦେଖା କରିବାକୁ ଲୋକେ ପଛାଉନାହାନ୍ତି । ଏପରିସ୍ଥଳେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଅଞ୍ଚଳରୁ ଆସିଛି ଏକ ସକରାତ୍ମକ ଖବର । ଏକ ଅଜଣା ଶବକୁ ଖୋଦ କେ.ବଲାଙ୍ଗ ଥାନା ଅଧିକାରୀ କାନ୍ଧ ଦେଇଥିବା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ ମୃତ ବ୍ୟକ୍ତିଙ୍କ ଶବକୁ ତାଙ୍କ ପୋଷା କୁକୁର ଦୀର୍ଘ ସମୟ ଧରି ଜଗି ରହିଥିବା ମଧ୍ୟ ଭିଡ଼ିଓରେ ଦେଖିବାକୁ ମିଳିଛି ।
କେ. ବଲାଙ୍ଗ ଥାନା ଅଞ୍ଚଳର ବିମଳାଗଡ଼ ବଜାରରେ କିଛି ଦିନ ପୂର୍ବରୁ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିଲା । ବଜାରରେ ଏକ ଶବ ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ଖୋଦ୍ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ମୃତକଙ୍କ ପାଖରେ ଜଗି ରହିଥିଲା ତାଙ୍କ ପୋଷା କୁକୁର । ଜୀବନ ଥିଲା ବେଳେ ଏକା ସହ ବୁଲୁଥିଲେ । ଯାହା ମିଳୁଥିଲା ଭାଗବଣ୍ଟା କରି ଖାଉଥିଲେ । ମୃତୁ୍ୟ ପରେ ସେ ବି କେମିତି ମାଲିକଙ୍କୁ ବା ଛାଡ଼ିଥାନ୍ତା । ସମାଜ ପାଇଁ ବ୍ୟକ୍ତି ଜଣକ ମାନସିକ ବିକାରଗ୍ରସ୍ତ ହୋଇଥିଲେ ବି କୁକୁର ପାଇଁ ତ ସେ ଥିଲେ ତାର ପ୍ରିୟ ମାଲିକ । କୁକୁରର ମାଲିକ ପାଇଁ ଥିବା ଭଲପାଇବା ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଓ ଟିମ୍ ମୃତ ଦେହକୁ କାନ୍ଧ ଦେବା ସହ ସକ୍ରାର ମଧ୍ୟ କରିଥିଲେ । ଘଟଣାଟି ଗତ ଜାନୁଆରୀ ୨୫ ତାରିଖର ହୋଇଥିଲେ ବି ଗତ ଦୁଇ ଦିନ ହେବ ଏହାର ଭିଡ଼ିଓ ଭାଇରାଲ୍ ହୋଇଛି । ଭିଡ଼ିଓ ଦେଖୁଥିବା ଲୋକେ ଥାନା ଅଧିକାରୀଙ୍କୁ ସାଧୁବାଦ ଦେବା ସହ କୁକୁରର ଭୁରି ଭୁରି ପ୍ରଶାଂସା କରୁଛନ୍ତି । ସେପଟେ ଏ ନେଇ ଥାନା ଅଧିକାରୀଙ୍କୁ ପଚରାଯିବାରେ ମଣିଷ ଭାବେ ସମାଜ ପ୍ରତି ଆମ ସମସ୍ତଙ୍କର ଦାୟିତ୍ୱ ରହିଛି । ମୁଁ ମୋର କର୍ତ୍ତବ୍ୟ କରିଛି ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons