ଆଖିବୁଜିଲା ଚିକିତ୍ସାଧୀନ ଦନ୍ତା

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ବନଖଣ୍ଡରେ ହାତୀ ମୃତୁ୍ୟ ପିଛା ଛାଡ଼ୁନି । ପ୍ରତିମାସରେ ଜିଲ୍ଲାର କେଉଁଠି ନା କେଉଁଠି ହାତୀ ମୃତୁ୍ୟ ହେଉଛି । ଶନିବାର ଏକ ଦନ୍ତାହାତୀ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି । ମୃତ ହାତୀଟିର ବୟସ ୭ ବର୍ଷ ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ଷଡଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଲହଡା ସଂରକ୍ଷିତ ଘଞ୍ଚ ଜଙ୍ଗଲରେ ଏକ ଛୁଆ ଦନ୍ତା ହାତୀ ଅସୁସ୍ଥ ହୋଇ ବୁଲୁଥିବା ବନବିଭାଗ କର୍ମଚାରୀମାନେ ୪ ଦିନ ପୂର୍ବେ ଦେଖିବାକୁ ପାଇଥିଲେ । ହାତୀଟିର ଗତିବିଧି ଉପରେ କର୍ମଚାରୀମାନେ ତୀକ୍ଷ୍ମ ନଜର ରଖିଥିଲେ । ହାତୀଟି କ୍ରମଶଃ ଜଙ୍ଗଲ ଭିତରେ ଚଲାବୁଲା କରିବାରେ ସମସ୍ୟା ଦେଖାଯାଇଥିଲା । ଖାଦ୍ୟ ବି ଗ୍ରହଣ କରୁନଥିବା ଜଣାପଡ଼ିଥିଲା । ବନଖଣ୍ଡ ଅଧିକାରୀ ହାତୀର ଚିକିତ୍ସା ପାଇଁ ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ ଓ କପିଳାସ ପ୍ରାଣୀଧନ ଅଧିକାରୀଙ୍କୁ ଡକାଇଥିଲେ । ଏହି ଡାକ୍ତରୀ ଦଳ ବନ କର୍ମଚାରୀଙ୍କ ସହାୟତାରେ ୨ ଦିନ ଧରି ଜଙ୍ଗଲ ମଧ୍ୟରେ ହାତୀର ଚିକିତ୍ସା କରୁଥିଲେ । ହାତୀଟି ସେପ୍ଟିସିମିଆରେ ରୋଗରେ ସଂକ୍ରମିତ ହୋଇଥିବା ରକ୍ତ ନମୁନା ପରୀକ୍ଷା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ । ମାତ୍ର ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟି ମୃତୁ୍ୟ ହୋଇଯାଇଥିଲା । ଢେଙ୍କାନାଳ ଏସିଏଫ୍ ରଶ୍ମୀ ରଞ୍ଜନ ସ୍ୱାଇଁ, ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଚନ୍ଦ୍ରମଣି ପରିଡାଙ୍କ ଉପସ୍ଥିତିରେ ଗଁଦିଆ ପ୍ରାଣୀଧନ ଚିକିତ୍ସକ କୃଷ୍ଣଚନ୍ଦ୍ର ମଲ୍ଲିକ ଓ କପିଳାସ ପ୍ରାଣୀଧନ ନିରୀକ୍ଷକ ଅସିତ ଚକ୍ରବର୍ତ୍ତୀ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ । ମୃତୁ୍ୟସ୍ଥଳରେ ହାତୀର ଶବ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଥିଲା । ହାତୀ ମୃତୁ୍ୟର କାରଣ ଜାଣିବା ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ଓୟୁଏଟି ପରୀକ୍ଷାଗାରକୁ ପଠାଯାଇଛି । ହାତୀର ଛୋଟ ଦାନ୍ତ ଦୁଇଟିକୁ ଉଦ୍ଧାର କରି ଷଡ଼ଙ୍ଗୀ କାର୍ଯ୍ୟାଳୟରେ ରଖାଯାଇଛି ।
ଏ ସଂପର୍କରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି, ଲହଡ଼ା ଜଙ୍ଗଲ ମଧ୍ୟରେ ୮ ଟିକିଆ ହାତୀଦଳରେ ଏହି ହାତୀଟି ସାମିଲ ହୋଇଥିଲା । ହାତୀଟି ଅସୁସ୍ଥ ଅନୁଭବ କରିବା ପରେ ଅନ୍ୟ ୭ ହାତୀ ତାକୁ ଛାଡ଼ି ପଲାଇଥିଲେ । ହାତୀ ଗତିବିଧି ଉପରେ ଆମେ ନଜର ରଖିଥିଲୁ ଏବଂ ଡାକ୍ତରୀ ଟିମ୍ ଡକାଇ ଚିକିତ୍ସା କରାଇଥିଲୁ । ହାତୀଟି ସେପ୍ଟିସିମିଆରେ ସଂକ୍ରମିତ ହୋଇ ପ୍ରାଣ ହରାଇଛି । ଏହି ଦଳରେ ଥିବା ଅନ୍ୟ ୭ ହାତୀ ସୁସ୍ଥ ଥିବାର ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons