ଏସଟିଏଫ୍, ପୁଲିସ ହାତରେ ୩ ବ୍ରାଉନସୁଗର୍ ବେପାରୀ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): କିଛି ମାସର ନିରବତା ପରେ ପୁଣି ବ୍ରାଉନ୍ସୁଗର୍ ବେପାର ଉପରେ ଆଖି ପକାଇଛି ଜଗତସିଂହପୁର ପୁଲିସ । ହେଲେ ପୁଲିସ ଚଢଉ କରିବା ପୂର୍ବରୁ ପଞ୍ଝା ମାରିଛି ଏସ୍ଟିଏଫ୍ । ଏସ୍ଟିଏଫ୍ର ସ୍ୱତନ୍ତ୍ର ଟିମ୍ ଗତକାଲି ରାତିରେ ରାଇବରାଇର ଚମାରସାହିରେ ଚଢଉ କରି ୩ ଜଣ ନିଶା ମାଫିଆଙ୍କୁ କାବୁ କରିଛି । ଅବଶ୍ୟ ଚଢଉରେ ଜଗତସିଂହପୁର ପୁଲିସ ସାମିଲ ଥିଲେ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମହାକାଳେଶ୍ୱର ଅଞ୍ଚଳର ପ୍ରଶାନ୍ତ ବେହେରା ଓରଫ ମଙ୍ଗୁ, ରାଇବରାଇର ପରେଶ ରଞ୍ଜନ ମହାନ୍ତି ଓରଫ ଗୁଡ଼ୁ ଓ ବାଲିକୁଦା ଥାନା ଏରା ଗ୍ରାମର ତୋଫାନ୍ ମଲ୍ଲିକ । ପୂର୍ବରୁ ବ୍ରାଉନ୍ସୁଗର୍ କାରବାର ଅଭିଯୋଗରେ ଜଗତସିଂହପୁର ପୁଲିସ ଦ୍ୱାରା ତୋଫାନ୍ ଗିରଫ ହୋଇଥିବାର ରେକର୍ଡ ରହିଛି ।
ତିନି ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ୩୧୦ ଗ୍ରାମ ବ୍ରାଉନ୍ସୁଗର୍ ଏବଂ ଦୁଇଟି ମୋଟର ସାଇକେଲ୍ ଜବତ କରାଯାଇଛି । ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ରାଇବରାଇ ଅଞ୍ଚଳରେ ଡେରା ପକାଇଥିଲେ ଏସ୍ଟିଏଫ୍ ଟିମ୍ । ଅଭିଯୁକ୍ତଙ୍କ ଠିକଣା ପାଇବା ପରେ ଏସ୍ଟିଏଫ୍ ଟିମ୍ ଜଗତସିଂହପୁର ପୁଲିସର ସହାୟତା ଲୋଡ଼ିଥିଲେ । ଏ ସଂକ୍ରାନ୍ତରେ ଜଗତସିଂହପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । ନିଶା କାରବାରକୁ ସମୂଳେ ନାଶ କରିବାର ଲକ୍ଷ୍ୟ ନେଇ ଏସ୍ଟିଏଫ୍ ପକ୍ଷରୁ ୨୦୨୦ ମସିହା ସୁଦ୍ଧା ୫୦ କେଜି ବ୍ରାଉନ୍ସୁଗର୍ ଜବତ କରାଯାଇ ସାରିଲାଣି । ଅନୁରୂପ ଭାବେ ୯୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ସର୍ବମୋଟ ୧୩୩ ନିଶା ବେପାରୀଙ୍କୁ ବାନ୍ଧି ସାରିଥିବା ଏସ୍ଟିଏଫ୍ ପକ୍ଷରୁ ଅବଗତ କରାଯାଇଛି । ଏସ୍ଟିଏଫ୍ର ଏଭଳି ତନାଘନା ପରେ ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି । ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ଜଗତସିଂହପୁର ପୁଲିସ ଆଜି ସନ୍ଧ୍ୟାରେ ସ୍ଥାନୀୟ ଆଳିପିଙ୍ଗଳ ଅଞ୍ଚଳରୁ ପାଖାପାଖି ୧୦୦ ଗ୍ରାମ ବ୍ରାଉନ୍ସୁଗର୍ ଜବତ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons