କେନ୍ଦ୍ରାପଡ଼ା କଲେଜରେ ଟି-୫୫ ଯୁଦ୍ଧ ଟ୍ୟାଙ୍କ୍

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ୧୯୭୧ ମସିହା ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ବ୍ୟବହୃତ ରୁଷିଆ ପ୍ରସ୍ତୁତ ଟି-୫୫ ଯୁଦ୍ଧ ଟ୍ୟାଙ୍କ ଆଜି କେନ୍ଦ୍ରାପଡ଼ାରେ ଆସି ପହଞ୍ଚିଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏହାକୁ ରଖାଯାଇଛି । କଲେଜ ପରିସରରେ ଏହା ‘ୱାର୍ ଟ୍ରଫି’ ଭାବେ ପ୍ରଦର୍ଶିତ ହେବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ହେଉଛି ଏହାର ମୁଖ୍ୟ ଉଦେ୍ଧଶ୍ୟ ।
ମିଳିଥିବା ସୂଚନା ଅନୁଯାୟୀ, ରୁଷିଆ ପ୍ରସ୍ତୁତ ଏହି ଯୁଦ୍ଧ ଟ୍ୟାଙ୍କ୍ଟିକୁ କେନ୍ଦ୍ରାପଡ଼ା କଲେଜକୁ ଅଣାଯିବା ପାଇଁ ବହୁ ଆଗରୁ ଉଦ୍ୟମ ହୋଇଥିଲା । ଦୀର୍ଘ ୨ ବର୍ଷର ପ୍ରଚେଷ୍ଟା ଫଳରେ ଟି-୫୫ ଟ୍ୟାଙ୍କ ଆସି ପହଞ୍ଚିଛି । ତକ୍ରାଳୀନ ସେନାମୁଖ୍ୟ ଏବଂ ବର୍ତ୍ତମାନର ସେନାମୁଖ୍ୟଙ୍କ ଅନୁମତି ମିଳିବା ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ତୋପଖାନା ସେବା ନିଦେ୍ର୍ଧଶାଳୟର ପ୍ରମୁଖ ଶାଖାରୁ ଏହାକୁ ଅଣାଯାଇଛି । ଟ୍ୟାଙ୍କଟି ଭାରତୀୟ ସେନାର ଦାକ୍ଷିଣାତ୍ୟ କମାଣ୍ଡ୍ ଅଧୀନ ମହାରାଷ୍ଟ୍ର ପୁନେର କିର୍କିିଠାରେ ଥିଲା । ଏହି ଟ୍ୟାଙ୍କର ଓଜନ ୩୭ ଟନ୍ । ଏଥିରେ ୧୦୦ ଏମ୍ଏମ୍ କ୍ଷମତା ସମ୍ପନ୍ନ ଗୋଟିଏ ଗନ୍, ୭.୬୨ ଏମ୍ଏମ୍ କ୍ଷମତା ସମ୍ପନ୍ନ ୨ଟି ଗନ୍ ଓ ୨.୭ ଏମ୍ଏମ୍ କ୍ଷମତା ବିଶିଷ୍ଟ ଗୋଟିଏ ଗନ୍ ଧାରଣା କରିବାର କ୍ଷମତା ରହିଛି । ଏଥିସହ ରାତିରେ ମଧ୍ୟ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରିବାର ଦକ୍ଷତା ଏହା ରଖେ । ପରମାଣୁ, ଜୈବିକ ଓ ରସାୟନିକ ବିସ୍ଫୋରଣଠାରୁ ଏହା ସୁରକ୍ଷିତ ବୋଲି ସୂଚନା ମିଳିଛି ।
ଏହି ଟ୍ୟାଙ୍କ୍ ୧୯୭୧ ମସିହା ଯୁଦ୍ଧରେ ୫୮ଟି ପାକିସ୍ତାନୀ ଯୁଦ୍ଧ ଟ୍ୟାଙ୍କକୁ ଧ୍ୱଂସ କରିଥିଲା । ୧୯୬୦ ମସିହାରୁ ୧୯୮୦ ମସିହା ମଧ୍ୟରେ ଏହା ପାକିସ୍ତାନୀ ସେନା ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଏହା ୧୯୬୮ ମସିହାରେ ଭାରତୀୟ ସେନାରେ ସାମିଲ ହୋଇଥିବା ବେଳେ ୨୦୧୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ଏହି ଟ୍ୟାଙ୍କ ଦୀର୍ଘ ୪୦ ବର୍ଷ ଧରି ଭାରତୀୟ ସେନାକୁ ନିରବଛିନ୍ନ ଭାବେ ସେବା ଯୋଗାଇ ଦେଇଆସିଛି । ଏହାର ଲମ୍ବ ୨୭.୬ ଫୁଟ୍, ଚଉଡ଼ା ୧୦.୮ ଫୁଟ୍ ଓ ଉଚ୍ଚତା ୯ ଫୁଟ୍ । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ କହିବା ମୁତାବକ, ଏହି ଯୁଦ୍ଧ ଟ୍ୟାଙ୍କରୁ ୧୯୭୧ ମସିହା ବାଂଲାଦେଶ ମୁକ୍ତି ସଂଗ୍ରାମ ବାବଦରେ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇବେ । ଯୁଦ୍ଧ ବାବଦରେ ପ୍ରତ୍ୟକ୍ଷ ଅନୁଭବ ସାଉଁଟି ପାରିବେ । ଟି-୫୫ ଟ୍ୟାଙ୍କ ୧୯୭୧ ମସିହା ବାଂଲାଦେଶ ମୁକ୍ତି ସଂଗ୍ରାମରେ ସାମିଲ ହୋଇ ପାକିସ୍ତାନକୁ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲା । ତେଣୁ ଏହି ଟ୍ୟାଙ୍କକୁ ଗର୍ବ ଓ ସମ୍ମାନର ପ୍ରତୀକ ଭାବେ ବିବେଚନା କରାଯାଇଆସୁଛି । ଟ୍ୟାଙ୍କକୁ ଆଣିବା ପାଇଁ କଲେଜକୁ ୧ ଲକ୍ଷ ୧୪ ହଜାର ଟଙ୍କା ଜମା କରିବାକୁ ପଡ଼ିଛି । ସେହିପରି କଲେଜରେ ନିର୍ମିତ ଏକ କଂକ୍ରିଟ ପିଣ୍ଡିରେ ଏହାକୁ ରଖାଯିବ । ଏହାକୁ ସୁରକ୍ଷିତ ରଖିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏଥିପାଇଁ ପ୍ରାୟ ଅଢେ଼ଇରୁ ୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୱାର ଟ୍ରଫିକୁ କଲେଜକୁ ଆଣିବା ପାଇଁ ଅଦ୍ୟାବଧି ୨ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଏବେ ଏହି ଟ୍ୟାଙ୍କଟି ଭାରତୀୟ ସେନାରେ କାମରେ ଲାଗୁନାହିଁ । ଏହି ଟ୍ୟାଙ୍କ କଲେଜର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସେନାରେ ଯୋଗଦେବା ଦିଗରେ ପ୍ରେରଣାର ପ୍ରମୁଖ ମାଧ୍ୟମ ସାଜିବ ବୋଲି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons