ଗଞ୍ଜେଇ ବେପାରୀଙ୍କ ଘରୁ ମିଳିଲା ୮.୫ କିଲୋ ସୁନା, ନଗଦ ୭୫ ଲକ୍ଷ

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ): ପୁଲିସ ଖୋଜୁଥିଲା ଗଞ୍ଜେଇ, ଅଫିମ । ହେଲେ ମିଳିଲା ପୁଳା ପୁଳା ଟଙ୍କା ଓ ସୁନାଗହଣା । ଏହାସହ ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ । ଖଲ୍ଲିକୋଟ ପୁଲିସ ଖୋଜାପଲ୍ଲୀ ବଡଦାଣ୍ଡ ସାହିର ରଜନୀକାନ୍ତ ପଟ୍ଟନାୟକ ଘରୁ ଜବତ କରିଛି ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ ସହ ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ଓଜନର ସୁନା ଗହଣା । ଗଞ୍ଜେଇ ଚୋରାଚାଲାଣକାରୀ ରଜନୀକାନ୍ତ ପଟ୍ଟନାୟକଙ୍କୁ ଗିରଫ କରାଯାଇଥିବା ଶୁକ୍ରବାର ଅପରାହ୍ଣରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିଶା ବେପାରୀଙ୍କ ଘରୁ ଏତେ ମାତ୍ରାରେ ନଗଦ ଟଙ୍କା ଓ ସୁନା ଜବତ ହେବା ଘଟଣାର ଆର୍ଥିକ ଯାଞ୍ଚ କରାଯାଉଥିବା ଏସ୍ପି ସୂଚନା ଦେଇଛନ୍ତି ।
ଏସ୍ପିଙ୍କ କହିବା ଅନୁସାରେ ଗୁରୁବାର ରାତି ପ୍ରାୟ ୧୦ଟା ୧୦ରେ ଏକ ସ୍କୁଟି ଯୋଗେ ରଜନୀକାନ୍ତ ଗଞ୍ଜେଇ ନେଇ ଯାଉଥିବା ପୁଲିସ ଖବର ପାଇଲା । ସେ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଗ୍ରାହକଙ୍କୁ ଚୋରାରେ ଯୋଗାଉଥିବା ନେଇ ସୂଚନା ଥିଲା । ଖବର ପାଇ ତୁରନ୍ତ ଭେଜିପୁଟ ଫାଣ୍ଡି ଏସ୍ଆଇ ଏମ୍.କେ.ପ୍ରଧାନ ସଦଳବଳ ଚଢଉ କରିଥିଲେ । ତାକୁ ଫାଣ୍ଡିକୁ ଆଣି ପୁଲିସ ପଚରାଉଚୁରା କରିଥିଲା । ପରେ ଏସ୍ଆଇଙ୍କ ସୂଚନା ଆଧାରରେ ଥାନାଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନେତୃତ୍ୱରେ ରଜନୀକାନ୍ତଙ୍କ ଖୋଜାପଲ୍ଲୀସ୍ଥିତ ଘରେ ଚଢଉ କରାଯାଇ ଥିଲା । ଏକ୍ଜିକୁ୍ୟଟିଭ୍ ମାଜିଷ୍ଟେ୍ରଟ୍ ଭାବେ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶଙ୍କ ଉପସ୍ଥିତିରେ ପୁଲିସ ପ୍ରଥମେ ନିଶା ସାମଗ୍ରୀ (ଗଞ୍ଜେଇ ଓ ଅଫିମ) ଜବତ କରିଥିଲା । ତେବେ ଅଧିକ ଖାନତଲାସ ବେଳେ ରଜନୀକାନ୍ତଙ୍କ ଘରୁ ବିପୁଳ ମାତ୍ରାର ସୁନା ଓ ନଗଦ ଟଙ୍କା ମିଳିଥିଲା । ଆଇଆଇସିଙ୍କ ସୂଚନା ଅନୁସାରେ ଟଙ୍କା, ସୁନା ସବୁ ବ୍ୟାଗ୍ରେ ଭର୍ତ୍ତି ହୋଇ ରହିଥିଲା ସୁଟ୍କେଶ୍ରେ । ସୁଟ୍କେଶ୍ ଥିଲା ରଜନୀକାନ୍ତଙ୍କ ଘରର ଶେଷଭାଗର କୋଠରୀରେ । ସାକ୍ଷୀଙ୍କ ଉପସ୍ଥିତିରେ ପୁଲିସ ସବୁ ସାମଗ୍ରୀ ଜବତ କରିଥିଲା । ଏନ୍ଡିପିଏସ୍ ଆକ୍ଟ ସମେତ ଆଇନର ବିଭିନ୍ନ ଦଫାରେ ଖଲ୍ଲିକୋଟ ଥାନାରେ କେସ୍ ନମ୍ବର ୬୪୫/୨୨.୧୦.୨୦୨୧ ରୁଜୁ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି ।
ପୂର୍ବରୁ ଖଲ୍ଲିକୋଟ ଥାନା ପୁଲିସ ଅନେକ ଥର ଚୋରାଚାଲାଣ ବେଳେ ଗଞ୍ଜେଇ, ମଦ ଆଦି ଜବତ କରିଥିଲା । ତେବେ କୌଣସି ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଘରୁ ଏତେ ପରିମାଣର ଟଙ୍କା ଓ ସୁନା ଗହଣା ଜବତ ହୋଇନଥିବା କହିଛନ୍ତି ଥାନାଧିକାରୀ ଜଗନ୍ନାଥ ମଲ୍ଲିକ । ସେହିପରି ଅଭିଯୁକ୍ତ ଘର ଭିତରେ ଏତେ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା କାହିଁକି ଗଚ୍ଛିତ ରଖିଥିଲା ଓ କେଉଁଠୁ ଆଣିଲା ତାହାର ଅନୁସନ୍ଧାନ କରାଯାଉଛି ବୋଲି ଏସ୍ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପୂର୍ବରୁ ଅଭିଯୁକ୍ତ ନାମରେ ଅନ୍ୟ କୌଣସି ଥାନାରେ ମାମଲା ରହିଛି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି । ରଜନୀକାନ୍ତର କେଉଁ କେଉଁ ବ୍ୟାଙ୍କ୍ରେ ଆକାଉଣ୍ଟ ରହିଛି ଏବଂ ସେଥିରେ କେତେ ଟଙ୍କା ରହିଛି ତାହାର ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି ପୁଲିସ । ବ୍ୟାଙ୍କ୍ ଆକାଉଣ୍ଟ୍ ସିଜ୍ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଏସ୍ପି ବ୍ରିଜେଶ କୁମାର ରାଏ ସାମ୍ବାଦିକଙ୍କୁ କହିଛନ୍ତି । ଅଭିଯୁକ୍ତ ରଜନୀକାନ୍ତକୁ ଗିରଫ କରାଯାଇ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons