ଜରାଜୀର୍ଣ୍ଣ ପ୍ରାଣୀଧନ କେନ୍ଦ୍ର

Get real time updates directly on you device, subscribe now.

ଝରିଗାଁ,(ଗଗନ ଗନ୍ତାୟତଙ୍କଠାରୁ): ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଫୁପୁଗାଁ ପଞ୍ଚାୟତ ପ୍ରାଣୀଧନ ଚିକିତ୍ସା ସହାୟକ କେନ୍ଦ୍ର । କୋଠାଟି ଦୀର୍ଘ ଦିନ ହେଲା ବ୍ୟବହାର ହେଉ ନଥିବାରୁ ଅନାବନା ଘାସ ଓ ଲଟାବୁଦାରେ ଭର୍ତ୍ତି ହୋଇଯାଇଛି । ମରାମତି ହେଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କୋଠାଟି ବହୁତ ପୁରୁଣା ହୋଇଥିବାରୁ କାନ୍ଥର ସିମେଣ୍ଟ ପ୍ଲାଷ୍ଟର ଝଡ଼ି ଯାଇଛି । ସାମାନ୍ୟ ବର୍ଷାହେଲେ ଛାତରୁ ପାଣି ଗଳୁଛି । ଛାତରୁ ସିମେଣ୍ଟ ଖଣ୍ଡ ଝଡ଼ି ଲୁହାଛଡ ଦେଖାଯାଉଛି । ଲୁହା କବାଟ ଓ ଝରକା କଳଙ୍କି ଲାଗି ନଷ୍ଟ ହେବାକୁ ବସିଛି । ଚଟାଣରୁ ସିମେଣ୍ଟ, ମେଟଲ ଓ ଚିପ୍ସ ବାହାରି ଛୋଟଛୋଟ ଗାତ ହୋଇଯାଇଛି । କେନ୍ଦ୍ରର ପାଚେରି ଅଛି, ହେଲେ ଫାଟକ ନିର୍ମାଣ ହୋଇନି । ଗେଟ୍ ନଥିବାରୁ ସନ୍ଧ୍ୟାହେଲେ ପରିସରରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଛି । ଅନ୍ୟପକ୍ଷରେ, ପରିସର ଅଳିଆ ଆବର୍ଜନାରେ ଭର୍ତ୍ତିହୋଇ ରହିଛି ।
ଅଞ୍ଚଳବାସୀ କହିଛନ୍ତି, ଦୀର୍ଘ ଦିନ ହେଲା କେନ୍ଦ୍ର ବନ୍ଦ ରହିଛି । ଫଳରେ ଗାଈଗୋରୁଙ୍କ ଚିକିତ୍ସା ହେଉ ଅବା ଅନ୍ୟ ସମସ୍ୟା ପାଇଁ ଲୋକେ ଆସି ନିରାଶ ହୋଇ ଫେରୁଛନ୍ତି । କେନ୍ଦ୍ର ଉପରେ ଫୁପୁଗାଁ ପଞ୍ଚାୟତର ଭାଲୁକନାଡି, ତାରାକନାଡ଼ି, ଯୋବାଧଡ଼ି, ଫୁପୁଗାଁ ଓ ବରାଗୁଡ଼ା ଆଦି ୫ ଖଣ୍ଡ ଗାଁର ଲୋକେ ନିର୍ଭର କରୁଛନ୍ତି ।
ଏ ସମ୍ପର୍କରେ ଝରିଗାଁ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ଅନୁଗତ ଜେନା କହିଛନ୍ତି, କୋଠା ମରାମତି କାର୍ଯ୍ୟ ପଞ୍ଚାୟତ ଦାୟିତ୍ୱରେ ଅଛି । ଏଥିପାଇଁ ଖୁବଶୀଘ୍ର ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons