ନନ୍ଦନକାନନରେ ବାଘ ଛୁଆ ‘ବିବେକ’ର ମୃତୁ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୂ୍ୟଜ): ନନ୍ଦନକାନନର ୩୧(ଖ) ଖୁଆଡ଼ରେ ମା ‘ମେଘା’ ସହିତ ରହୁଥିବା ୧୪ ମାସର ବାଘଛୁଆ ‘ବିବେକ’ର ମଙ୍ଗଳବାର ଅପରାହ୍ଣରେ ମୃତୁ୍ୟ ହୋଇଛି । ଗତ ୫ ଦିନ ହେବ ସେ ଅସୁସ୍ଥ ଥିଲା । ଠିକ୍ ଭାବରେ ଚଲାବୁଲା କରିପାରୁନଥିଲା । ତେଣୁ ତାକୁ ଖୁଆଡ଼ ପଛପଟ ଫିଡିଂ ଚ୍ୟାମ୍ବରରେ ରଖାଯାଇଥିଲା ।
ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ପ୍ରାଣୀ ଉଦ୍ୟାନର ଡାକ୍ତର ବିବେକର ଚିକିତ୍ସା କରୁଥିଲେ । ୨ ଦିନ ହେବ ସେ ଚାଲିବା ବେଳେ ଆଉ ଛୋଟାଉନଥିଲା । କିନ୍ତୁ ମଙ୍ଗଳବାର ସକାଳୁ ଆଉ ଉଠି ଚଲାବୁଲା କରିପାରିନଥିଲା । ଖୁଆଡ଼ରେ ବାଘଛୁଆଟିର ଏପରି ଅବସ୍ଥା ଦେଖି ଜନ୍ତୁ ରକ୍ଷକ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ସକାଳୁ ତାକୁ ଟ୍ରାଙ୍କୁଲାଇଜ କରି ପଶୁ ଚିକିତ୍ସାଳୟକୁ ଅଣାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ବାଘ ଛୁଆ ଗୋଡ଼ର ଏକ୍ସରେ କରାଯିବା ପରେ ବାମପଛ ଗୋଡ଼ ନଳିହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା । ଚେତା ଫେରିବା ପୂର୍ବରୁ ଚିକିତ୍ସା କରାଯାଇ ତା’ଉପରେ ନଜର ରଖାଯାଇଥିଲା । ମାତ୍ର ଅପରାହ୍ଣ ୪ଟାରେ ଛୁଆଟି ଅଧିକ ଅସୁସ୍ଥ ହୋଇପଡ଼ିଲା । ଏହାର କିଛି ସମୟ ପରେ ତାର ମୃତୁ୍ୟ ହୋଇଥିଲା । ବୁଧବାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ ଉପନିଦେ୍ର୍ଧକ ଡ. ସଞ୍ଜିତ କୁମାର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଜଙ୍ଗଲୀ ବାଘ ‘ନନ୍ଦନ’ ଓ ବାଘୁଣୀ ‘ମେଘା’ଙ୍କ ମିଳନରୁ ୨୦୨୧ ଫେବ୍ରୁଆରୀ ୧୪ରେ ତିନୋଟି ଶାବକ ଜନ୍ମ ନେଇଥିଲେ । ସେମାନଙ୍କ ନାମକରଣ ଯଥାକ୍ରମେ ‘ବିବେକ’, ‘ଅଭୟ’ ଓ ‘ଶୋହିନୀ’ ରଖାଯାଇଥିଲା । ଆଉ ଦୁଇଟି ଛୁଆ ସୁସ୍ଥ ଅଛନ୍ତି । ‘ବିବେକ’ର ମୃତୁ୍ୟ ପରେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସିଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons