ପୁଣି ରାସ୍ତାରେ ଫାଟିଲା ପାଣି ପାଇପ୍ :ବାଦାମବାଡ଼ି ରାସ୍ତାରେ ୧୨ ଫୁଟ୍ ଗାତ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ସମୟ ପାଖାପାଖି ଅପରାହ୍ନ ସାଢେ ୫ଟା । ସହରର କେନ୍ଦ୍ରସ୍ଥଳୀ ବାଦାମବାଡ଼ି ମୁଖ୍ୟ ରାସ୍ତାରେ ବେଶ ଗହଳି ଥିଲା । ହଠାତ୍ ବାଦାମବାଡି ଟ୍ରାଫିକ୍ ପୋଷ୍ଟ୍ ସମ୍ମୁଖ ଗଣେଶ ମନ୍ଦିର ପାଖରେ ଜୋର୍ ଶବ୍ଦ ହୋଇ ରାସ୍ତା ଦବିଗଲା । ଚାହୁଁ ଚାହୁଁ ଭୂତଳ ପାଣି ପାଇପ୍ ଫାଟିଯାଇ ସୁ ସୁ ହୋଇ ୧୫ ଫୁଟ୍ ଉଚ୍ଚର ପାଣି ଫୁଆର ଉପରକୁ ଉଠିଲା । ସୌଭାଗ୍ୟବଶତଃ ଏତିକିବେଳେ ପାଖରେ ଥିବା ଜଣେ ବାଇକ୍ ଆରୋହୀ ଓ ଏକ କାର୍ ଏ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ।
ପାଖାପାଖି ଅଧଘଣ୍ଟା ଯାଏ ଏମିତି ପାଣି ବାହାରିଥିଲା ଯେ ବାଦାମବାଡି ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପାଣିର ପରିମାଣ ଏତେ ଅଧିକ ଥିଲା ଯେ, ଟ୍ରାଫିକ୍ ଛକରୁ ଆଖପାଖ ସବୁ ରାସ୍ତାରେ ପାଣି ଲହଡି ମାରିଥିଲା । ପାଣି ପ୍ରବାହ ଓ ଚାପ ଯୋଗୁଁ ମୁଖ୍ୟ ରାସ୍ତାରେ ପିଚୁ ଫାଟି ୧୨ଫୁଟର ବିରାଟ ଗାତ ବି ହୋଇଯାଇଛି । ଆଜି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଦାମବାଡ଼ି ମୁଖ୍ୟ ରାସ୍ତା ଉପରେ । ଲୋକମାନେ ଭୟଭୀତ ହୋଇ ଜନସ୍ୱାସ୍ଥ୍ୟ ବିଭାଗକୁ ଖବର ଦେବା ପରେ ପାଣି ଯୋଗାଣ ବନ୍ଦ କରାଯାଇଥିଲା । ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀମାନେ ପହଞ୍ଚିବା ପରେ ପାଇପ୍ର ମରାମତି କାମ ଆରମ୍ଭ ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ୪ ଦିନ ମଧ୍ୟରେ କଟକ ସହରରେ ବିଚ୍ ରାସ୍ତାରେ ପାଣି ପାଇପ୍ ଫାଟିବାର ଏହା ହେଉଛି ତୃତୀୟ ଘଟଣା । ଗତ ବୁଧବାର ଅପରାହ୍ନରେ କାଠଯୋଡ଼ି ରିଂ ବନ୍ଧରେ ଏବଂ ଏହା ପରେ ଖାନନଗରରେ ମୋଟ ଦୁଇ ଥର ପାଣି ପାଇପ୍ ଫାଟି ରାସ୍ତାରେ ଫୁଆର ସୃଷ୍ଟି ହୋଇ ବିରାଟ ଗାତ ହୋଇଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ସୌଭାଗ୍ୟବଶତଃ କାହାରି କ୍ଷତି ହୋଇନାହିଁ । କିନ୍ତୁ ଚିନ୍ତାର ବିଷୟ ହେଉଛି ୱାଟ୍କୋ ବା ରାଜ୍ୟ ଜଳ ନିଗମ ପାଣି ଚାପ ପରୀକ୍ଷା କରୁଥିଲା ବେଳେ କେତେବେଳେ କେଉଁଠି କେଉଁ ରାସ୍ତା ଫାଟିବ ଓ ଅଘଟଣ ଘଟିବ ତାହା କହିବା ଏବେ ମୁସ୍କିଲ୍ ହୋଇପଡିଛି । ଏମିତିକି ଆଉ କେତେ ଦିନ ଏହି ଟେଷ୍ଟିଂ ଚାଲିବ ତାହା ମଧ୍ୟ ଜଣାନାହିଁ । ୱାଟ୍କୋ ରାତିବେଳା ପରୀକ୍ଷଣ ନ କରି ନିଜ ସୁବିଧା ପାଇଁ ଦିନରେ ଏହି ପରୀକ୍ଷଣ କରୁଥିବାରୁ ଏହା ଏବେ ବଡ ଅଘଟଣକୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଅଭିଯୋଗ ଉଠିଛି ।
ମିଳିଥିବା ସୂଚନା ମୁତାବକ, ସହରବାସୀଙ୍କୁ ୨୪ଘଣ୍ଟିଆ ଜଳ ଯୋଗାଣ ପାଇଁ ୨୦୧୫-୧୬ ମସିହାରୁ ଅମୃତ ଯୋଜନାରେ ପ୍ରକଳ୍ପ ଆରମ୍ଭ ହୋଇଥିଲା । ମହାନଦୀ ଜଳକୁ ବିଶୁଦ୍ଧ କରାଯାଇ ଲୋକଙ୍କୁ ଯୋଗାଇବା ପାଇଁ ହୋଇଥିବା ପାଖାପାଖି ୪୫୦କୋଟିର ଏହି ପ୍ରକଳ୍ପକୁ ପୂର୍ବରୁ ଜନସ୍ୱାସ୍ଥ୍ୟ ବିଭାଗ କରୁଥିଲା ବେଳେ ଏବେ ଏହାର ଦାୟିତ୍ୱ ୱାଟ୍କୋ ବା ଓଡ଼ିଶା ଜଳ ନିଗମ ହାତରେ ରହିଛି । ଏମିତିକି ଜଳ ହିଁ ଜୀବନ ନାଁରେ ସହରସାରା ହୋର୍ଡିଂର ଛାଉଣି ହୋଇଯାଇଛି । ଏସବୁ ମଧ୍ୟରେ ପାଇପ୍ ବିଛାଇବା କାର୍ଯ୍ୟ ଓ ସିଡିଏ-୧୨ ସ୍ଥିତ ୧୨୯ ଏମ୍ଏଲ୍ଡିର ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ କାର୍ଯ୍ୟ ଶେଷ ହୋଇସାରିଛି । ଏବେ ବିଛା ହୋଇଥିବା ପାଇପ୍ ବିଭିନ୍ନ ଟାଙ୍କି ସହ ସଂଯୋଗ କରି ଲୋକଙ୍କ ଘରକୁ ପ୍ରଦାନ କରାଯିବ । ତେଣୁ ଗତ କିଛି ଦିନ ଏହାର ପରୀକ୍ଷଣ କରାଯାଉଛି । କିନ୍ତୁ ଏହି ପରୀକ୍ଷଣ ଲୋକଙ୍କ ପାଇଁ ବିପଦ ପାଲଟିଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହିଭଳି ହଠାତ୍ ପାଇପ୍ ଫାଟିବା ଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ୱାଟ୍କୋର ପରିଚାଳନା ନିଦେ୍ର୍ଧଶକ ପ୍ରଦୀପ୍ତ ମହାନ୍ତି କହିଛନ୍ତି ଯେ, ଟେଷ୍ଟିଂ ସମୟରେ ପାଇପ୍ର ହ୍ୟାଣ୍ଡ୍କପ୍ ଖୋଲିଗଲା । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହିଭଳି ଚାଲିବ । ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ଏବେ ୩ରୁ ୪ଦିନ ମଧ୍ୟରେ ଥରେ ସମସ୍ୟା ହେଉଛି । ଆଗକୁ ଏହା ୧୫ରୁ ୧୬ଦିନ ମଧ୍ୟରେ ଥରେ ଥରେ କେବେ କେମିତି ମଝିରେ ହେବ । ତା’ପରେ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons