ଫେରିଲାନି ସ୍ତ୍ରୀ, ସ୍ୱାମୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ଆପ୍ର): ସାତ ଜନମ ପାଇଁ ସାଥୀ ହୋଇଥିଲେ । କିନ୍ତୁ ୭ଦିନ ପାଇଁ ବି ଏକାଠି ରହି ପାରିଲେନି । ବିଚ୍ଛେଦ କରିଦେଲା ଖାପ୍ ପଞ୍ଚାୟତ । ଘରକୁ ଫେରିଲାନି ଆଉ ମନର ମଣିଷ । ଏଣେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଲେ ସ୍ୱାମୀ । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି-୯ ଅଞ୍ଚଳରେ । ଉଭୟ ପୁଅ ଓ ଝିଅ ସମାନ ଜାତିର ହୋଇ ନଥିବାରୁ ବିବାହ ଭଳି ଏକ ପବିତ୍ର ବନ୍ଧନ ଶେଷରେ ଦୁଃଖର କାରଣ ସାଜିଲା । ମୃତକ ହେଲେ ଏମଭି-୯ର ସୁଜିତ ହାଲଦାର । ସୋମବାର ଭୋର୍ ସମୟରେ ଜିଲ୍ଲା ସଦର ଚିକିତ୍ସାଳୟରେ ତାଙ୍କର ମୃତୁ୍ୟ ହୋଇଛି । ପୁଅର ମୃତୁ୍ୟ ପାଇଁ ପରିବାର ଲୋକେ ଝିଅଘର ଲୋକଙ୍କୁ ଦାୟୀ କରି ମାଲକାନଗିରି ଥାନାରେ ମୌଖିକ ଅଭିଯୋଗ କରିଛନ୍ତି ।
ସୁଜିତ ବଙ୍ଗାଳୀ ସମ୍ପ୍ରଦାୟର । ପଡୋଶୀ ଗାଁର ଜଣେ ଆଦିବାସୀ ଯୁବତୀଙ୍କୁ ଭଲ ପାଉଥିଲେ । ଉଭୟଙ୍କର ବିବାହ ବୟସ ହୋଇଥିଲା । ପରିବାର ଲୋକେ ରାଜି ନହେବାରୁ ଦୁହେଁ ଘରୁ ପଳାଇଯାଇ କୋର୍ଟରେ ବିବାହ କରିଥିଲେ । ପରେ ଜଣେ ସମ୍ପର୍କୀୟଙ୍କ ଘରେ ଦୁହେଁ ବଙ୍ଗୀୟ ପ୍ରଥାରେ ବାହା ହୋଇଥିଲେ । ନବବଧୂକୁ ସାଥୀରେ ଧରି ସୁଜିତ ଘରକୁ ଆସିଥିଲେ । ହେଲେ ଦୁହିଁଙ୍କ ମଧ୍ୟରେ ଅନ୍ତରାୟ ହୋଇ ଛିଡା ହୋଇଥିଲା ଜାତି । ବିବାହର ଦିନକ ପରେ ଝିଅଘର ଲୋକେ ଏମଭି-୯କୁ ଆସିଥିଲେ । ମା’ଙ୍କ ଦେହ ଖରାପ ଅଛି କହି ଝିଅକୁ ବାପଘରକୁ ନେଇ ଯାଇଥିଲେ । କଥା ଦେଇଥିଲେ ଝିଅ ନିଜ ମା’କୁ ଟିକେ ଦେଖି ପୁଣି ଶାଶୂ ଘରକୁ ଫେରିଆସିବ । କିନ୍ତୁ ଝିଅ ଫେରି ନଥିଲା । ଏମାନଙ୍କ ବିବାହକୁ ନେଇ ଝିଅଘର ଗାଁରେ ଖାପ୍ ପଞ୍ଚାୟତ ବସିଥିଲା । ଗାଁ ମୁଖିଆ ଭଉୟ ପୁଅ ଓ ଝିଅର ଘର ଲୋକଙ୍କୁ ଡକାଇ ଆଲୋଚନା କରିଥିଲେ । ଦମ୍ପତିଙ୍କର ଜାତି ଭିନ୍ନ ଥିବାରୁ ସଭାରେ ବିବାହକୁ ସ୍ୱୀକୃତି ମିଳିନଥିଲା । ଝିଅ ଆଦିବାସୀ ଓ ପୁଅ ବଙ୍ଗାଳୀ ସମ୍ପ୍ରଦାୟର ହୋଇଥିବାରୁ ବିବାହ ଅମୂଳକ ବୋଲି ଦର୍ଶାଯାଇଥିଲା । ଖାପ୍ ପଞ୍ଚାୟତରେ ବାହାର ଗାଁର କେତେଜଣ ଆଦିବାସୀ ନେତା ଉପସ୍ଥିତ ଥିଲେ । ସେମାନେ ଭରାସଭାରେ ଝିଅକୁ ଅପମାନିତ କରିଥିଲେ । ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନାନା କଥା କହିଥିଲେ । ଶେଷରେ ନିଜ ସ୍ୱାମୀ ସୁଜିତଙ୍କ ପାଖକୁ ଯିବେନି ବୋଲି ଯୁବତୀ ସଭାରେ ଜଣାଇଥିଲେ । ଖାପ୍ ପଞ୍ଚାୟତ ନିଦେ୍ର୍ଧଶକୁ ମାନି ପରିବାର ଲୋକେ ଝିଅକୁ ଶାଶୂଘରକୁ ଛାଡିନଥିଲେ ।
ନିଜ ମନର ମଣିଷକୁ ନପାଇ ସୁଜିତ ପାଗଳପ୍ରାୟ ହୋଇଯାଇଥିଲେ । ନିଜ ଉପରୁ ନିୟନ୍ତ୍ରଣ ହରାଇ ତିନିଦିନ ତଳେ ଘରେ ଥିବା କୀଟନାଶକ ପିଇ ଦେଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମେଡିକାଲକୁ ନେଇଥିଲେ । ପୁଅ ଘର ଲୋକଙ୍କ ଥାନାରେ ଏତଲା ପରେ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମାମଲାର ତଦନ୍ତ ଆରମ୍ଭ ହୋଇଛି । ଏହି ମାମଲାକୁ ନେଇ ଖାପ୍ ପଞ୍ଚାୟତର ନିଦେ୍ର୍ଧଶକୁ ଦାୟୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଭିନ୍ନ ଜାତିରେ ବିବାହ କଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଢେଇ ଲକ୍ଷ ଟଙ୍କାର ସହାୟତା ବ୍ୟବସ୍ଥା ରହିଛି । ଏପରିସ୍ଥଳେ ଏଭଳି ବିବାହକୁ କାହିଁକି ସମାଜ ସ୍ୱୀକାର କରିବାକୁ ପଛଘୁଞ୍ଚା ଦେଉଛି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । କୁସଂସ୍କାର ନେଇ ସଚେତନତା କାର୍ଯ୍ୟ ବିଭିନ୍ନ ସମୟରେ କରାଯାଉଥିଲେ ହେଁ ଦୁର୍ଗମ ଗାଁଗୁଡିକରେ ଏହା ଫଳପ୍ରଦ ହେଉ ନଥିବା ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons