ବଡ଼ ଦେଉଳରେ ବଡ଼ ଅଘଟଣ :ରାତିଅଧରେ ଭାଙ୍ଗି ଦେଲେ ୪୩ ଚୁଲି

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେତେକ ଦୁର୍ବୃତ୍ତ ଉପାସ ରଖିବାର ଉଦ୍ୟମ କରିଛନ୍ତି । ଶନିବାର ଅଧରାତିରେ ବଡ଼ଦେଉଳ ରୋଷଶାଳାରେ ପଶି ୪୩ଟି ଚୁଲି ଭାଙ୍ଗିଦେଇଛନ୍ତି । ଶ୍ରୀମନ୍ଦିର ଇତିହାସରେ ଏହା ଏକ ବଡ଼ ଅଘଟଣ । ବିଶ୍ୱାସ ରହିଛି ରୋଷଘରେ ଥିବା ଚୁଲିରେ ମା’ ମହାଲକ୍ଷ୍ମୀ ରାନ୍ଧିଲେ ଶ୍ରୀଜଗନ୍ନାଥଙ୍କୁ ଭୋଗ ଲଗାଯାଏ । ଆଜିକାର ଅଭାବନୀୟ ଘଟଣା କାରଣରୁ ଠାକୁରଙ୍କୁ ଭୋଗ ଲାଗିବାରେ ପ୍ରାୟ ଏକ ଘଣ୍ଟା ବିଳମ୍ବ ହୋଇଛି । ଏହି ଘଟଣା ଭକ୍ତଙ୍କ ଭକ୍ତି ଭାବନାରେ ଗଭୀର ଆଘାତ ଦେଇଛି । ଏହି ଘଟଣା ପରେ ରତ୍ନଭଣ୍ଡାର କେତେ ସୁରକ୍ଷିତ ସେ ନେଇ ଲୋକମାନେ ପ୍ରଶ୍ନ କରିଛନ୍ତି । ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ଦୁଇ ଜଣ ପ୍ରଶାସକ କରୁଛନ୍ତି । ଏହି ଦୁଇ ପ୍ରଶାସକ ହେଲେ ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ମିଳିବ । ରିପୋର୍ଟ ପାଇବା ପରେ ପରବର୍ତ୍ତୀ କାର୍ଯ୍ୟାନୁÂାନ କରାଯିବ ବୋଲି ପ୍ରଶାସନ କହିଛି । ଇତିମଧ୍ୟରେ ଧୋପଖା, ପାଇକ, ଦ୍ୱାରପାଳିକା ଓ ଅଙ୍ଗାରିଆ ଆଦି ୪ ସେବାୟତଙ୍କୁ ଜେରା କରାଯାଇଛି ।
ଷଡ଼ଯନ୍ତ୍ର କାରଣରୁ ଠାକୁରଙ୍କ ନୀତିରେ କିନ୍ତୁ ଆଞ୍ଚ ଆସି ନାହିଁ । ମହାପ୍ରଭୁଙ୍କ ସେବକମାନେ ତୁରନ୍ତ ଅନ୍ୟ ଚୁଲି ସବୁ ସଜାଡ଼ି ରୋଷ ହୋମ କରିଛନ୍ତିି । ପୂର୍ବାହ୍ନ ୧୦ଟା ୩୫ମିନିଟ୍ରେ ସକାଳ ଧୂପରେ ଦାରୁଦିଅଁଙ୍କୁ କୋଠ ଭୋଗ ଅର୍ପଣ କରାଯାଇଛି । ତେବେ ଏହି ଅଭାବନୀୟ ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀମନ୍ଦିର ବାହାରେ ସଶସ୍ତ୍ର ପୁଲିସ କଡ଼ା ପହରା ଦେଉଥିଲା ବେଳେ ଭିତରେ ଦୁର୍ବୃତ୍ତ ଶ୍ରୀଜିଉଙ୍କର ଏତେଗୁଡ଼ିଏ ଚୁଲି ଭାଙ୍ଗି ଫେରାର ହୋଇଛନ୍ତି । ଚୁଲି ଭଙ୍ଗା ଘଟଣାର ତଦନ୍ତ ଦାୟିତ୍ୱ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ମନ୍ଦିର ପ୍ରଶାସନ ଦେଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ତଲବ କରାଯାଇଛି ।
ପରମ୍ପରା ମୁତାବକ ରବିବାର ଭୋର ୫ଟା ୧୫ମିନିଟ୍ରେ ଶ୍ରୀମନ୍ଦିର ଦ୍ୱାର ଖୋଲିଥିଲା । ଭିତର ଶୋଧ ବିଢ଼ିଥିଲା ୫ଟା୫୦ ମିନିଟ୍ରେ । ଏହାପରେ ରନ୍ଧା ସେବକମାନେ(ରୋଷପାଇକ, ଧୋପଖାଳିଆ ଆଦି) ରୋଷଘରେ ପ୍ରବେଶ କରିଲା ବେଳେ ଚୁଲି ଭାଙ୍ଗିଥିବା ଦେଖିଥିଲେ । ମାଟି ଓ ପଥରରେ ଗଢା ବିଶାଳ ଚୁଲି ସବୁ ଭାଙ୍ଗି ଧରାଶାୟୀ ହୋଇ ଯାଇଥିଲା । ଶ୍ରୀମନ୍ଦିର ସୁପରଭାଇଜର ଖବର ପାଇ ଏହି ଘଟଣାର ସରଜମିନ ତଦନ୍ତ କରିଥିଲେ । ଏହି ଅଘଟଣ ସମ୍ପର୍କରେ ଶ୍ରୀମନ୍ଦିର ଗାରଦରେ ରିପୋର୍ଟ ଲେଖାଇଥିଲେ । ଏହା ପରେ ସୁପରଭାଇଜରଙ୍କ ରିପୋର୍ଟ ଆଧାରରେ ଘଟଣାର ତଦନ୍ତ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନର ଦୁଇ ପ୍ରଶାସକଙ୍କୁ ଦିଆଯାଇଛି ।
ଯାହା ସୂଚନା ମିଳୁଛି ଗୋଟିଏ କି ଦୁଇଟି ନୁହେଁ କୋଠ ରୋଷ ଚୁଲିଠାରୁ ଆରମ୍ଭ କରି ବିଭିନ୍ନ ବଖରାରେ ଥିବା ୪୩ ଚୁଲି ମାଟିରେ ଲୋଟୁଥିଲା । ଲୁହା ଛଡ଼ କିମ୍ବା ଶାବଳ ଅଥବା ଓଜନିଆ କାଠ ଫାଳିଆରେ ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଥିିବାର ପ୍ରାଥମିକ ସୂଚନା ମିଳିଛି । ରୋଷଘରେ ଚୁଲି ଭଙ୍ଗା ଖବର ଶ୍ରୀମନ୍ଦିର ସମେତ ପୁରୀ ସହରରେ ଉଦ୍ବେଗର କାରଣ ହୋଇଛି । ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି ଡ. କେ ବିଶାଲ ସିଂହଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ରୋଷଘର ସ୍ଥିତି ଅନୁଧ୍ୟାନ କରିଥିଲେ । ଗାରଦରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।
ଭକ୍ତମାନେ ପ୍ରତିକି୍ରୟାରେ କହିଛନ୍ତି, ଶ୍ରୀମନ୍ଦିରରେ ଏଭଳି ବିଭ୍ରାଟ ଏକ ଅଶୁଭ ସୂଚନା । ଆଗକୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆସୁଛି । ଶ୍ରୀମନ୍ଦିରରେ ସବୁକିଛି ଶୃଙ୍ଖଳିତ ନହେଲେ ଆଗକୁ କଣ ଯେ ଘଟିବ କହିହେବ ନାହିଁ । ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନ, ନୂତନ କରି ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ତଥା ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦାବି ଉଠିଛି ଏଥିରେ ସେବାୟତ ସଂପୃକ୍ତ ଥିଲେ ତାଙ୍କୁ ସବୁଦିନ ପାଇଁ ଶ୍ରୀମନ୍ଦିର ସେବାରୁ ବାସନ୍ଦ କରାଯାଉ । ଦିଅଁଙ୍କ ଭୋଗ ବନ୍ଦ କରିଦେବା ସାଧାରଣ ଘଟଣା ନୁହେଁ । ଏଭଳି କାଣ୍ଡ ଯେଉଁମାନେ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦାବି କରିଛନ୍ତି ସେବକ ଓ ଭକ୍ତ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ମନ୍ଦିର ପ୍ରଶାସନ ନିଦେ୍ର୍ଧଶ ଦେଇଥିବା ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons