ବିଜେଡି ଖେଳିବ ଆଦିବାସୀ କାର୍ଡ:ରାଜ୍ୟସଭା ଯାଇପାରନ୍ତି ପ୍ରଦୀପ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ରାଜ୍ୟସଭା ସାଂସଦ ଭାବେ ଏନ୍. ଭାସ୍କର ରାଓଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହି ଆସନରେ ଆଉ କାହାକୁ ନିଆଯାଇପାରେ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଶ୍ରୀ ରାଓ ଅବିଭକ୍ତ କୋରାପୁଟର ହୋଇଥିବାରୁ ଏହି ଅଞ୍ଚଳରୁ ଅନ୍ୟ ଜଣଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇପାରେ । ତେବେ ଏହି ଦୌଡ଼ରେ ସବୁଠୁ ଆଗରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ରହିଥିବା କୁହାଯାଉଛି । କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପୂର୍ବରୁ ତାଙ୍କୁ କୁଆଡେ ରାଜ୍ୟସଭାକୁ ପଠାଇବା ଲାଗି ସର୍ତ୍ତ ରଖିଥିବା ସେହି ସମୟରେ ଚର୍ଚ୍ଚା ହୋଇଥିଲା । ଏହି ପଦ ଲାଗି ସେ ପ୍ରମୁଖ ଦାବିଦାର ବୋଲି ଏବେ ଚର୍ଚ୍ଚା ହେଉଛି । ଜଣେ ଅନୂସୂଚିତ ଜନଜାତିର ନେତାଙ୍କୁ ରାଜ୍ୟସଭା ସାଂସଦ ଭାବେ ପଠାଇଲେ ବିଜେଡିକୁ ଫାଇଦା ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି ।
ପ୍ରଦୀପ କଂଗ୍ରେସରେ ରହି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷରୁ ଆରମ୍ଭ କରି ନବରଙ୍ଗପୁର ସାଂସଦ ହୋଇ ନିଜର ଦକ୍ଷତା ଦେଖାଇଥିଲେ । ସଂସଦରେ ଅଧିକ ସଂଖ୍ୟାରେ ପ୍ରଶ୍ନ କରିବାରେ ତାଙ୍କ ନାଁ ରହିଛି । ଏଥିସହ ଅଖିଳଭାରତୀୟ ଯୁବକଂଗ୍ରେସ କମିଟିର ସମ୍ପାଦକ, ରାଜ୍ୟ ଯୁବ କଂଗ୍ରେସର ସଭାପତି, ରାଜ୍ୟ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ବି ଥିଲେ । ବିଭିନ୍ନ ସମୟରେ ବିଜେଡିକୁ ଦ୍ୱନ୍ଦ୍ୱରେ ପକାଇବାରେ ମାହିର ଥିଲେ ପ୍ରଦୀପ । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପାଇଖାନା ଓ ଖଣି ଦୁର୍ନୀତିଠାରୁ ଆରମ୍ଭ କରି ଅନ୍ୟାନ୍ୟ ବହୁ ପ୍ରସଙ୍ଗରେ ବିଜେଡିକୁ ଘେରିଥିଲେ । ଜଣେ ଆଦିବାସୀ ନେତା ଭାବେ ହଇଚଇ ସୃଷ୍ଟି କରିଥିଲେ । ହେଲେ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିଲେ । ବିଜେଡିରେ ମିଶିବା ପୂର୍ବରୁ ଦଳ ନିକଟରେ କୁଆଡେ କେତେକ ସର୍ତ୍ତ ରଖିଥିଲେ । ସେ ଭିତରେ ରାଜ୍ୟସଭାକୁ ପଠାଇବା ଲାଗି ସର୍ତ୍ତ ଥିଲା । କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ପ୍ରଦୀପଙ୍କ ଦବଦବା ବଢିଥିଲା । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ନିର୍ବାଚନ ପ୍ରଚାର ଦାୟିତ୍ୱ ମିଳିଥିଲା । ଏଥିରେ ମଧ୍ୟ ସେ ସଫଳ ହୋଇଥିଲେ । ପ୍ରଦୀପ ଆସିବା ପରେ ନବରଙ୍ଗପୁର ସାଂସଦ ରମେଶ ମାଝିଙ୍କ କାଟ୍ତି କମିଥିବା କୁହାଯାଉଛି । ଠିକ୍ରେ ନିର୍ବାଚନ ପରିଚାଳନା କରିଥିବାରୁ ରାଜ୍ୟ ବିଜେଡି ନେତାମାନେ ପ୍ରଦୀପଙ୍କ ଉପରେ ଖୁସି ଥିବା ଜଣାପଡିଛି । ଯଦି ବିଜେଡି ପୂର୍ବ ସର୍ତ୍ତକୁ ମାନିବ, ତେବେ ପ୍ରଦୀପ ରାଜ୍ୟସଭାକୁ ଯିବାରେ କୌଣସି ସମସ୍ୟା ହେବ ନାହିଁ । ଏମିିତିରେ ଆଗକୁ ରହିଛି ବିଧାନସଭା ନିର୍ବାଚନ । ପ୍ରଦୀପଙ୍କୁ ରାଜ୍ୟସଭାକୁ ପଠାଇ ବିଜେଡି ଆଦିବାସୀ କାର୍ଡ ଖେଳିପାରେ । ଏ ସଂପର୍କରେ ଆମେ ପ୍ରଦୀପଙ୍କୁ ପଚାରିଥିଲୁ । ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons