୪ ଏଟିଏମ୍ ଲୁଟେରା ଗିରଫ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ଏଟିଏମ୍କୁ ଟ୍ୟାମ୍ପରିଂ କରୁଥିବାବେଳେ ଧରାପଡିଥିବା ୪ ଜଣ ଯୁବକଙ୍କୁ ବୁଧବାର ପୁଲିସ ଗିରଫ କରିଛି । ଏମାନେ ସମସ୍ତେ ଉତ୍ତରପ୍ରଦେଶ ରାଜ୍ୟ ଚେକାରୀ ଥାନା ଅଞ୍ଚଳର ଜଣାପଡିଛି । ଏମାନଙ୍କଠାରୁ ଗୋଟିଏ କାର୍(ୟୁପି ୩୫ ବିଡି-୦୧୦୪), ୧୯ ହଜାର ଟଙ୍କା, ୨୩ ଟି ଏଟିଏମ କାର୍ଡ, ୮ ଟି ମୋବାଇଲ ଓ ଆଇଡି କାର୍ଡ ଜବତ ହୋଇଛି । ଅଭିଯୁକ୍ତ ହେଲେ କମଲ କଣ୍ଟ(୩୬), ଗୋବିନ୍ଦ ଚୌରାସିଆ(୨୬), ରୀତେଶ ସିଂ(୨୫) ଓ ସେହିରାଜ୍ୟ ବଡାନୁ ଥାନା ଅଞ୍ଚଳର ଆକାଶ ସିଂ(୩୭) । ଏମାନଙ୍କ ପଛରେ ଆନ୍ତଃରାଜ୍ୟ ଏକ ର୍ୟାକେଟ୍ କାମ କରୁଥିବା ପୁଲିସ କହିଛି ।
ପୁଲିସ ସୂଚନା ଅନୁସାରେ, ଏମାନେ ସିଧାସଳଖ ବ୍ୟାଙ୍କରୁ ଲୁଟ କରୁଛନ୍ତି । ର୍ୟାକେଟ୍ ସାରା ଦେଶରେ ସକ୍ରିୟ ରହିଛି । ଟଙ୍କାପାଇଁ ଏମାନେ ପ୍ରଥମେ କାର୍ଡକୁ ଏଟିଏମ ମେସିନ୍ରେ ଭର୍ତ୍ତି କରୁଥିଲେ । ଟଙ୍କା ବାହାରିବା ପରେ କିଛି କୌଶଳ ପ୍ରୟୋଗ କରୁଥିଲେ । ଫଳରେ ଏଟିଏମ୍ ମେସିନ ଟ୍ରାନ୍ଜାକସନ୍ ଫେଲ୍ ଦେଖାଉଥିଲା । ବ୍ୟାଙ୍କ ପୁନଃର୍ବାର କମ୍ପୁ୍ୟଟର ଜରିଆରେ ଟଙ୍କାକୁ ସମ୍ପୃକ୍ତ କାର୍ଡଧାରୀଙ୍କ ଆକାଉଣ୍ଟକୁ ପଠାଇ ଦେଉଥିଲା । ପ୍ରତିଦିନ ଅଭିଯୁକ୍ତ ୪ ଜଣ ବିଭିନ୍ନ ସହରରେ ଡେରା ଜମାଇ ଏହି କାଣ୍ଡ କରୁଥିଲେ । ଏସ୍ବିଆଇର ଏଟିଏମ ମେସିନ୍ ପରିଚାଳନା କମ୍ପାନି ଟ୍ରାନଜାକସନ୍ ସଲୁ୍ୟସନ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏଟିଏମ୍ରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ଦେଖି ସନେ୍ଦହ କରିବା ସହ ନବରଙ୍ଗପୁର ପୁଲିସକୁ ସୂଚନା ଦେଇଥିଲା ।
ଥାନା ଅଧିକାରୀ ତାରେକ୍ ଅହମ୍ମଦଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ରାକେଶ ବେହେରା, ରାମେଶ୍ୱର ପ୍ରଧାନ, କେ. ସାହୁ, ଆଶୋକ ଦେଓଙ୍କ ସମେତ ସାଇବ୍ର ସ୍କ୍ୱାର୍ଡ ଗତ ମଙ୍ଗଳବାର ସନ୍ଧ୍ୟାରେ ୪ ଅଭିଯୁକ୍ତଙ୍କୁ ଧରିଥିଲେ । ଥାନାକୁ ଆଣି ପଚରାଉଚରା କରିଥିଲେ । ଏମାନଙ୍କ ବିରୋଧରେ ଦଫା ୩୭୯, ୪୨୦, ୪୬୭, ୩୪, ୬୬ ଓ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନେ ୩ ଦିନ ଧରି ନବରଙ୍ଗପୁର ସହରରେ ଡେରା ଜମାଇଥିଲେ ।
ସହର ସମେତ ଆଖପାଖ ଏଟିଏମ୍ରୁ ୧୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରିଛନ୍ତି । କେବଳ ୫ ଲକ୍ଷ ୧୦ ହଜାର ଟଙ୍କାର ହିସାବ ମିଳିଛି । କେବଳ ନବରଙ୍ଗପୁର ନୁହେଁ ବାଲେଶ୍ୱର, ମୟୁରଭଞ୍ଜ ଓ ଅନ୍ୟାନ୍ୟ ସ୍ଥାନରେ ଏମାନେ ଲୁଟ କରିଥିବା ପୁଲିସ କହିଛି । ସାରା ଦେଶରେ ଏମାନଙ୍କ ଗ୍ୟାଙ୍ଗର ୬ ଶହ ଜଣ ସକ୍ରିୟ ଥିବା ତଦନ୍ତବେଳେ ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons