ବ୍ରହ୍ମପୁର, (ବି.ବି.ବ୍ୟୁରୋ): ବ୍ରହ୍ମପୁର ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଆଶିଷ କୁମାର ବେହେରାଙ୍କ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର କଟକ ଭିଜିଲାନ୍ସ ୟୁନିଟ୍ ବିଭିନ୍ନ ସ୍ଥାନରେ ଖାନତଲାସ କରିଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିବା ପରେ ଶୁକ୍ରବାର ଭୁବନେଶ୍ୱରସ୍ଥିତ ମଣିତ୍ରିଭୁବନ ଆପାର୍ଟମେଣ୍ଟର ଫ୍ଲାଟ୍, ବ୍ରହ୍ମପୁରରେ ଥିବା ସରକାରୀ ବାସଭବନ, ଡିଏଫ୍ଓଙ୍କ ଅଫିସ୍ ରୁମ୍, ଭଞ୍ଜନଗରରେ ଥିବା ପୈତୃକ ଘର, ଆମ୍ବପୁଆରେ ଥିବା ଶ୍ୱଶୁର ଘରେ ଯାଞ୍ଚ କରାଯାଇଛି । ଡିଏଫ୍ଓଙ୍କ ମାମଲାରେ ସମ୍ପୃକ୍ତି ସନ୍ଦେହରେ ଦିଗପହଣ୍ଡି ରେଞ୍ଜର୍ ପରମାନନ୍ଦ ପାଣିଗ୍ରାହୀଙ୍କ ଅଫିସ୍, ବାସଭବନ ଓ ବ୍ରହ୍ମପୁର ଜୟଶ୍ରୀ ଏନ୍କ୍ଲେଭ୍ରେ ଥିବା ଘର, ଖଲିକୋଟ ରେଞ୍ଜର୍ଙ୍କ ବାସଭବନ ଓ ଅଫିସ୍, ବ୍ରହ୍ମପୁର କୋର୍ଟପେଟାରେ ଥିବା ଘରେ ଖାନତଲାସ କରାଯାଇଛି । ଡିଏଫ୍ଓ ବେହେରା ଏବଂ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଇଛି । ଏଥିସହ କେତେକ ବ୍ୟାଙ୍କ୍ ଆକାଉଣ୍ଟ୍ ଏବଂ ଦଲିଲ ପତ୍ର ମଧ୍ୟ ଠାବ କରାଯାଇଛି । ମୋଟ କେତେ ଟଙ୍କାର ସମ୍ପତ୍ତି ଆକଳନ ହୋଇଛି ତାହାର ରିପୋର୍ଟ ଜଣାପଡ଼ିନାହିଁ ।
ବ୍ରହ୍ମପୁର ଡିଏଫ୍ଓ ଆଶିଷ କୁମାର ବେହେରାଙ୍କ ଭଞ୍ଜନଗରସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ଉ ହୋଇଛି । ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍ପି ଶିଶିର କୁମାର ସାହୁ, ଇନିସ୍ପେକ୍ଟର ପୁଷ୍ପାଞ୍ଜଳି ଜେନା ସଦଳବଳେ ଭଞ୍ଜନଗର ଲଣ୍ଡେଇ ସାହିରେ ଥିବା ଡିଏଫ୍ଓ ବେହେରାଙ୍କ ବାସଭବନରେ ଖାନତଲାସ କରିଥିଲେ । ଦିନତମାମ ତାଙ୍କ ଘରେ ଥିବା ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ । ଅପରାହ୍ନରେ ଭିଜିଲାନ୍ସ ଟିମ୍ ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ୍ରେ ଥିବା ଲକର୍ରେ କ’ଣ ଅଛି ତାହା ଦେଖିବାକୁ ଯାଇଥିବା ଡିଏସ୍ପି ସାହୁଙ୍କ ଠାରୁ ପ୍ରକାଶ । ତେବେ ଏଠାରୁ କ’ଣ କ’ଣ କାଗଜପତ୍ର ମିଳିଛି ତାହା ସ୍ପଷ୍ଟ ହୋଇପାରିନି । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ କାଗଜପତ୍ର ତନଖି ଚାଲିଥିଲା ।
Comments are closed, but trackbacks and pingbacks are open.