ଭୁବନେଶ୍ୱର,(ବି.ବି.ବ୍ୟୁରୋ): କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସ୍ଟିଏଫ୍) ପୁଣି ୩ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ଗାଁର ସେକ୍ ହଜବାହାର୍ (୩୬), ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ପଶ୍ଚିମବଙ୍ଗ ମେଦିନାପୁରର ସେକ୍ ଆଜାଦ ଓରଫ ନାଲୁ (୪୩) ଓ ପୁରୀ ଜିଲ୍ଲା ବୀରମିତ୍ରପୁର ଗାଁର ରମାକାନ୍ତ ସାହୁ (୨୭) । ଏମାନଙ୍କ ଠାରୁ ଏସ୍ଟିଏଫ୍ ୧୩୦ ଗ୍ରାମ୍ ବ୍ରାଉନ୍ସୁଗର, ବନ୍ଧୁକ, ୨ଟି ଗୁଳି ଓ କାର୍ ଜବତ କରିଛି । ଜବତ ବ୍ରାଉନ୍ସୁଗର ମୂଲ୍ୟ ଆନୁମାନିକ ୧୩ ଲକ୍ଷ ଟଙ୍କା ହେବ ବୋଲି ଏସ୍ଟିଏଫ୍ ଏସ୍ପି ରାହୁଲ ପିଆର ସୂଚନା ଦେଇଛନ୍ତି ।
ଏସ୍ଟିଏଫ୍ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଛୋଟା ଗିରଫ ପରେ ଏସ୍ଟିଏଫ୍ ତା’ ସହଯାଗୀମାନଙ୍କୁ ଗିରଫ କରିବାକୁ ବିଭିନ୍ନ ଆଡ଼େ ଚଢ଼ଉ ଚଳାଇଛି । ଛୋଟାକୁ କେଜି କେଜି ବ୍ରାଉନ୍ସୁଗର ଯୋଗାଉଥିବା ବେପାରୀଙ୍କୁ ଠାବ କରିବାକୁ ପୁଲିସ୍ ଲାଗି ପଡ଼ିଛି । ସୋମବାର ରାତିରେ ଇନ୍ପପେକ୍ଟର ଆଲୋକ ଜେନା ଓ ତାଙ୍କ ଟିମ୍ ଖୋର୍ଦ୍ଧା ଅଞ୍ଚଳରେ ବୁଲୁଥିବା ବେଳେ ଖବର ମିଳିଲା ଏକ କାର୍ (ଓଡି୦୨ଏଏସ୍୩୭୧୨)ରେ ୩ଜଣ ଯୁବକ ଛୋଟାର ଜଣେ ସାଙ୍ଗକୁ ଦେଖା କରି ଭୁବନେଶ୍ୱର ଆଡ଼କୁ ଯାଉଛନ୍ତି । ଏହା ଜାଣି ଶ୍ରୀ ଜେନା ସେମାନଙ୍କୁ ଧରିବା ପାଇଁ ବାଟରେ ଛକି ବସିଥିଲେ । କିଛି ସମୟ ପରେ ସେକ୍ ହଜବାହାର୍, ସେକ୍ ଆଜାଦ ଓ ରମାକାନ୍ତ କାର୍ରେ ଦ୍ରୁତଗତିରେ ଭୁବନେଶ୍ୱର ଆଡ଼େ ଆସୁଥିଲେ । ଶ୍ରୀ ଜେନା ତାଙ୍କୁ ପିଛା କରି ପିତାପଲ୍ଲୀ ପାଖରେ ଅଟକାଇଥିଲେ । ଯାଞ୍ଚ ବେଳେ ସମସ୍ତଙ୍କ ପାଖରୁ ବ୍ରାଉନସୁଗର ମିଳିଥିଲା । ସମସ୍ତଙ୍କୁ ଗିରଫ କରି ଏସ୍ଟିଏଫ୍ କାର୍ଯ୍ୟାଳୟକୁ ଆଣିଥିଲା ।
ଜେରା ବେଳେ ସେମାନେ ବାଲେଶ୍ୱରର ଜଣେ କୁଖାତ ବେପାରୀ ବ୍ରାଉନସୁଗର ଆଣି ଭୁବନେଶ୍ୱର ଦେଉଥିବା କହିଥିଲେ । ଏମାନେ ଉକ୍ତ ବ୍ରାଉନସୁଗର ବିଭିନ୍ନ ସ୍ଥାନରେ ବୁଲି ବିକ୍ରି କରୁଥିଲେ । ସୋମବାର ରାତିରେ ବ୍ରାଉନସୁଗର ଦେବାକୁ ଖୋର୍ଦ୍ଧା ଯାଇଥିଲେ । ସେକ୍ ଆଜାଦ ଦୀର୍ଘ ୩ ବର୍ଷ ହେବ ବେପାର କରୁଥିଲା ବୋଲି ଜେରା ବେଳେ ମାନିଛି । ସେକ୍ ଆଜାଦର ୧୦ରୁ ଅଧିକ ସହଯୋଗୀ ମାଳିସାହିରେ ଅଛନ୍ତି । ସେମାନେ ବି ନିଶା ବେପାର କରୁଛନ୍ତି । ତା’ଛଡା ମାଳିସାହିରେ ଅନେକ ବାଂଲାଦେଶୀ ଅଛନ୍ତି । ସେମାନେ ମଧ୍ୟ ବେପାର କରୁଛନ୍ତି ବୋଲି ସେକ୍ ଆଜାଦ ଏସ୍ଟିଏଫ୍କୁ ସୂଚନା ଦେଇଛି । ଅନ୍ୟ ଦୁଇ ଜଣ ମଧ୍ୟ ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ବେପାର କରୁଥିବା ମାନିଛନ୍ତି । ତେବେ ଏହି ୩ ଜଣଙ୍କ ନିଶା ବେପାରୀଙ୍କ ଛୋଟା ସହ ସମ୍ପର୍କ ଅଛି କି ନାହିଁ ସେ ବିଷୟରେ କିଛି ଜାଣିପାରିନି ଏସ୍ଟିଏଫ୍ । ଏନେଇ ଶ୍ରୀ ଜେନା କହିଛନ୍ତି, ସେ ବିଷୟରେ ତଦନ୍ତ ଚାଲିଛି । ଖୁବ୍ଶୀଘ୍ର ଜଣାପଡ଼ିବ ।
Comments are closed, but trackbacks and pingbacks are open.