ନୂଆଦିଲ୍ଲୀ: ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ହେଗ୍ସ୍ଥିତ ଆଇସିଜେ (ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍)ରେ ଭାରତକୁ ବଡ କୂଟନୈତିକ ବିଜୟ ମିଳିଛି । ଆଇସିଜେ ଆଜି ତାଙ୍କ ଫାଶୀଦଣ୍ଡ ଉପରେ ରହିତାଦେଶ ଲଗାଇଛନ୍ତି । ଯାହାଫଳରେ କୁଳଭୂଷଣଙ୍କୁ ଏବେ ପାକିସ୍ତାନ ଫାଶୀ ଦେଇପାରିବ ନାହିଁ । ଏଥିସହ ମାମଲାର ସମୀକ୍ଷା ତଥା ସାନି ବିଚାର କରିବା ଏବଂ ତାଙ୍କୁ କନ୍ସୁଲାର ଆକ୍ସେସ (କୂଟନୈତିକ ସାନ୍ନିଧ୍ୟ) ପ୍ରଦାନ କରିବାକୁ ଆଇସିଜେ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି । ପୁନର୍ବିଚାର ଶେଷ ନହେବା ଯାଏ କୂଳଭୂଷଣଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଆନ୍ତର୍ଜାତିକ ନ୍ୟାୟାଳୟ ତାଙ୍କ ୧୫-୧ ରାୟରେ କହିଛନ୍ତି ।
ଆଇସିଜେର ମୋଟ ୧୬ ଜଣ ବିଚାରପତିଙ୍କ ମଧ୍ୟରୁ ଭାରତ ସପକ୍ଷରେ ୧୫ ଜଣ ଓ ପାକିସ୍ତାନ ସପକ୍ଷରେ ଜଣେ ରାୟ ଦେଇଥିଲେ । ପାକିସ୍ତାନୀ ବିଚାରପତି ତସଦୁକ ହୁସେନ ଜିଲାନୀ ଭାରତ ବିପକ୍ଷରେ ରାୟ ଦେଇଥିଲେ । ଏପରକି ଚୀନ୍ ବିଚାରପତି ମଧ୍ୟ ଭାରତକୁ ସମର୍ଥନ ଜଣାଇଥିଲେ । ଆଇସିଜେ ଅଧ୍ୟକ୍ଷ ଅବଦୁଲକାୱି ଅହମ୍ମଦ ୟୁସୁଫ ରାୟ ପଢ଼ି ଶୁଣାଇଥିଲେ । କହିଥିଲେ ପାକିସ୍ତାନ କୁଳଭୂଷଣଙ୍କୁ କନ୍ସୁଲାର ଆକ୍ସେସ ପ୍ରଦାନ ନକରି ୧୯୬୩ ଭିଏନା ଘୋଷଣାନାମାର ଧାରା ୩୬ ଉଲ୍ଲଂଘନ କରିଛି । କୁଳଭୂଷଣ ମାମଲାର ନିରପେକ୍ଷ ବିଚାର ହୋଇନାହିଁ । ତାଙ୍କର ମାନବାଧିକାର ଉଲ୍ଲଂଘନ କରାଯାଇଛି । ତେଣୁ ମାମଲାର ସାନି ବିଚାର କରିବାକୁ ପଡିବ । ସାନି ବିଚାର ଶେଷ ନହେବା ପର୍ଯ୍ୟନ୍ତ ପାକିସ୍ତାନ କୁଳଭୂଷଣଙ୍କୁ ଫାଶୀ ଦେଇପାରିବ ନାହିଁ । ତେବେ ପାକିସ୍ତାନର ସାମରିକ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡକୁ ରଦ୍ଦ କରି କୁଳଭୂଷଣଙ୍କୁ ଅକ୍ଷତ ଅବସ୍ଥାରେ ପ୍ରତ୍ୟର୍ପଣ କରିବାକୁ ପାକିସ୍ତାନକୁ ଆଦେଶ ଦେବା ଲାଗି ଭାରତ କରିଥିବା ଦାବିକୁ ଆଇସିଜେ ଅଗ୍ରାହ୍ୟ କରିଦେଇଛନ୍ତି । ଏହି ମାମଲାରେ ଭାରତ ଓ ପାକିସ୍ତାନର ଯୁକ୍ତି ଶୁଣିବା ପରେ ଗତ ଫେବ୍ରୁଆରୀ ୨୧ ତାରିଖରେ ବିଚାରପତି ୟୁସୁଫଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିଜେର ୧୫ ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ଏହି ମାମଲାର ଶୁଣାଣି ପାଇଁ ୨ ବର୍ଷ ୨ ମାସ ସମୟ ଲାଗିଥିଲା ।
ଆଇସିଜେରେ ଶୁଣାଣି ସମୟରେ ଭାରତ ଯୁକ୍ତି ବାଢ଼ିଥିଲା ଯେ ପାକିସ୍ତାନର ସାମରିକ ଅଦାଲତ ଗୁପ୍ତଚର ଓ ଆତଙ୍କବାଦ ଅଭିଯୋଗରେ ଏକତରଫା ଭାବେ କୁଳଭୂଷଣଙ୍କ ବିରୋଧରେ ରାୟ ଦେଇଛନ୍ତି । ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନାହିଁ କିମ୍ବା ତାଙ୍କୁ କୌଣସି ଆଇନଗତ ସହାୟତା ମିଳିନାହିଁ । ଭାରତ ୧୭ ଥର କୂଟନୈତିକ ସାନ୍ନିଧ୍ୟ ପାଇଁ ପାକିସ୍ତାନ ସରକାରଙ୍କ ପାଖରେ ଆବେଦନ କରିଥିଲେ ମଧ୍ୟ ତାକୁ ଅଗ୍ରାହ୍ୟ କରିଦିଆଯାଇଛି । ଯାହାକି ଭିଏନା ଘୋଷଣାନାମାର ଉଲ୍ଲଂଘନ । ଏପରିକି ପାକିସ୍ତାନ କୁଳଭୂଷଣଙ୍କ ଯେଉଁ ସ୍ୱୀକାରୋକ୍ତିର ଭିଡିଓ ଆଇସିଜେରେ ଦାଖଲ କରିଛି ତାହା ବଳପୂର୍ବକ ତଥା ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇ ହାସଲ କରାଯାଇଛି । ଏହି ଭିଡିଓକୁ ପାକିସ୍ତାନ କେବଳ କୋର୍ଟରେ ନୁହେଁ, କୋର୍ଟ ବାହାରେ ମଧ୍ୟ ପ୍ରଚାର ଲାଗି ବ୍ୟବହାର କରିଛି ବୋଲି ଭାରତ ଦର୍ଶାଇଥିଲା । ଭାରତର ଯୁକ୍ତି ଶୁଣିବା ପରେ ୨୦୧୭ ମେ ୯ରେ ଆଇସିଜେ ଏହି ମୃତ୍ୟୁଦଣ୍ଡ ଉପରେ ରୋକ୍ ଲଗାଇଥିଲେ । ଆଜିର ରାୟ ପ୍ରକାଶ ପରେ ଭାରତରେ ବିଭିନ୍ନ ମହଲରେ ଖୁସିର ଲହରି ପ୍ରକାଶ ପାଇଛି । ଆଇସିଜେର ରାୟକୁ ବିଭିନ୍ନ ମହଲାରେ ସ୍ୱାଗତ କରାଯାଇଛି ।
Comments are closed, but trackbacks and pingbacks are open.