ଜୟପୁର,(ବି.ବି.ନ୍ୟୁଜ୍): ଜୟପୁର ଟାଉନ୍ ପୁଲିସ୍ର ଏନକାଉଣ୍ଟର । ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ କାବୁଲ ଖରା । ତା ଗୋଡ଼ରେ ବାଜିଛି ଗୁଳି । କଡ଼ା ସୁରକ୍ଷା ମଧ୍ୟରେ ତାକୁ ଭର୍ତ୍ତି କରାଯାଇଛି ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଗୋଡ଼ରୁ ଗୁଳି ବାହାର କରାଯାଇଛି । କାବୁଲ ପାଖରୁ ଗୋଟିଏ ପିସ୍ତଲ ସହ ୨ଟି ଗୁଳି ଏବଂ କାର୍ ଜବତ କରିଛି ପୁଲିସ । କାବୁଲ ନାଁରେ ନବରଙ୍ଗପୁର, ବୋରିଗୁମ୍ମା, ଜୟପୁର ସଦର ଏବଂ ଟାଉନ ଥାନାରେ ୧୦ରୁ ଅଧିକ ସଙ୍ଗୀନ ମାମଲା ରହିଛି । ବିଶେଷ କରି ଅପହରଣ, ହତ୍ୟା ଉଦ୍ୟମ, ଆର୍ମ ଆକ୍ଟ ସହ ଗଞ୍ଜେଇ ଚାଲାଣ ମାମଲା ରହିଛି । ୫ଟି ମାମଲାରେ ପୁଲିସ୍ ପାଇଁ ସେ ଥିଲା ମୋଷ୍ଟ ୱାଣ୍ଟେଡ ତାଲିକାରେ । କାବୁଲକୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ । ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯିବ । ଆଜି ସାମ୍ବାଦିକ ସମ୍ମିଳନାରେ ଏହି ସୂଚନା ଦେଇଛନ୍ତି ଏସ୍ଡିପିଓ ସାଗରିକା ନାଥ ।
ଏସ୍ଡିପି ସାଗରିକାଙ୍କ ସୂଚନା ଅନୁଯାୟୀ, କାବୁଲ ବୁଧବାର ଭୋର୍ ସମୟରେ ରାଞ୍ଚି-ବିଜୟୱ୍ୱାଡା ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଏକ କାର୍ରେ ଆସୁଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ଟାଉନ ପୁଲିସ ହାତୀଶାଳ ଛକ ନିକଟରେ ଜଗି ରହିଥିଲା । ଭୋର୍ ପ୍ରାୟ ସାଢେ ୪ଟା ବେଳେ ତା’ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲା । ପୁଲିସ୍କୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା କାବୁଲ । ପୁଲିସ୍ ପିଛା କରିବାରୁ କାବୁଲର କାର୍ ଖସି ଯାଇଥିଲା ରାସ୍ତାକଡ଼କୁ । କାର୍ରୁ ଓହ୍ଲାଇ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୁଲିସ୍ ପାଲଟା ଜବାବ ଦେଇଥିଲା । ଫଳରେ କାବୁଲ୍ର ଡାହାଣ ଗୋଡ଼ରେ ବାଜିଥିଲା ଗୁଳି । ତାକୁ ମାଡ଼ି ବସିଥିଲା ପୁଲିସ । ତା ନିକଟରୁ ଉଦ୍ଧାର କରିଥିଲା ପିସ୍ତଲ ଏବଂ ଦୁଇଟି ଗୁଳି । ଗୋଡ଼ରେ ଗୁଳି ବାଜି ଆହତ ହୋଇଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
୨୦୧୭ରୁ ଫେରାର ଥିଲା କାବୁଲ୍ । ବାହାରେ ରହି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାଧିକ ସାମ୍ରାଜ୍ୟ ନିୟନ୍ତ୍ରଣ କରୁଥିଲା । ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟର ମାଫିଆଙ୍କ ସହ ମିଶି ଚାଲାଣ କରିଆସୁଥିଲା କୋଟି କୋଟି ଟଙ୍କାର ଗଞ୍ଜେଇ । ସ୍ଥାନୀୟ ଯୁବକମାନଙ୍କ ସହାୟତାରେ ଏଠାରୁ ଗଞ୍ଜେଇ ଚାଲାଣ କରୁଥିଲା । ୨୦୧୪ରୁ ଅପରାଧିକ ସାମ୍ରାଜ୍ୟ ଆରମ୍ଭ କରିଥିଲା କାବୁଲ୍ । ଟାଉନ ଥାନାରେ ତା ନାଁରେ ବେଆଇନ ଅସ୍ତ୍ରଶସ୍ତ୍ର( ଆର୍ମସ ଆକ୍ଟ) ରଖିବା ମାମଲା ରହିଥିବା ବେଳେ ଗୋଟିଏ ହତ୍ୟା ଉଦ୍ୟମ ମାମଲା ରହିଛି । ସେହିପରି ବୋରିଗୁମ୍ମା ଥାନାରେ ରହିଛି ୪ଟି ମାମଲା । ଚୋରି, ହତ୍ୟା ଉଦ୍ୟମ ଓ ଗଞ୍ଜେଇ ଚାଲାଣ ମାମଲା । ସଦର ଥାନାରେ ୩ଟି ଗଞ୍ଜେଇ ଚାଲାଣ ଏବଂ ଗୋଟିଏ ହତ୍ୟା ଉଦ୍ୟମ ମାମଲା ରହିଛି । ୫ଟି ମାମଲାରେ ସେ ଫେରାର ଅପରାଧୀ ଥିଲା । ତାକୁ ଧରିବା ଲାଗି ବହୁବାର ଜାଲ ବିଛାଇଥିଲା ପୁଲିସ୍ । ଶେଷରେ ଆଜି ଧରାପଡିବା ପରେ ଜୟପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା । କୋର୍ଟ ଚାଲାଣ ପରେ ରିମାଣ୍ଡରରେ ତାକୁ ଆଣିବା ଲାଗି ଆବେଦନ କରିବ ପୁଲିସ୍ । ଅଧିକ ପଚରାଉଚରା ପରେ କାବୁଲର ଅପରାଧିକ ସାମ୍ରାଜ୍ୟର ଚେର ଆଉ କେଉଁ କେଉଁ ଆଡ଼େ ବ୍ୟାପିଛି, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସ୍ଡିପିଓ ସାଗରିକା ।
ସୂଚନାଥାଉକି, ଏସ୍ଡିପିଓ ଭାବେ ସାଗରିକା ଏଠାରେ ଯୋଗଦେବା ପରେ ଧରାପଡିଛନ୍ତି ବହୁ ଗଞ୍ଜେଇ ମାଫିଆ । ଆରମ୍ଭ ହୋଇଥିବା ଅପରେସନ୍ କ୍ଲିନ୍ ଜୟପୁର-୨.୦ ଆଣିଦେଇଛି ଅନେକ ସଫଳତା । କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି ।
Comments are closed, but trackbacks and pingbacks are open.